ଭୁବନେଶ୍ବର: ମହାନଦୀ, ବୈତରଣୀ, ସାଳନ୍ଦୀ ଓ ଜଳକା ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର ଯୋଗେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବନ୍ୟା ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଉପସ୍ଥିତ ଥିଲେ।
ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଳସ୍ତରକୁ ଯାଇ କ୍ଷୟକ୍ଷତିର ତଦାରଖ କରିବା ସହ ପାଣି ଟ୍ୟାଙ୍କର ଓ ମୋବାଇଲ ଭ୍ୟାନ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି।
ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ୯ଟି ଜିଲ୍ଲାର ପ୍ରାୟ ୪.୮୮ ଲକ୍ଷ ଗୃହପାଳିତ ପଶୁ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ସେବା ପାଇଁ ୫୮ଟି ପଶୁ ଚିକିତ୍ସା ଦଳ ନିୟୋଜିତ ହୋଇଥିବାବେଳେ ୨୪୫ଟି ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି। ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ପଶୁଙ୍କ ଚିକିତ୍ସା କରାଯାଇଥିବା ସହ ୨୬୩ ମେଟ୍ରିକ୍ ଟନ୍ ପଶୁଖାଦ୍ୟ ବଣ୍ଟନ କରାଯାଇଛି।
ବନ୍ୟା ପ୍ରଭାବରେ ରାଜ୍ୟର ୧୪ଟି ଜିଲ୍ଲାର ୮ ଲକ୍ଷ ୩୪ ହଜାର ୭୪୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୬୫ଟି ବ୍ଲକ, ୪୯୨ଟି ପଞ୍ଚାୟତ, ୧୪୪୬ଟି ଗାଁ ଏବଂ ୧୩ଟି ସହରାଞ୍ଚଳର ୨୦୧ଟି ୱାର୍ଡ ଜଳମଗ୍ନ ହୋଇଛି। ଏପର୍ଯ୍ୟନ୍ତ ୨,୬୭,୩୦୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ୫୦୯ଟି ରିଲିଫ୍ କ୍ୟାମ୍ପରେ ୨,୩୮,୫୧୪ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ୨୬,୯୪୨.୩ ହେକ୍ଟର ଚାଷଜମି ଏବଂ ୧୦୮୨ଟି ଘର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି।