ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟର ଆର୍ଥିକ ପ୍ରଦର୍ଶନ, କ୍ୟାବିନେଟ୍ ନିଷ୍ପତ୍ତିର ସମୟବଦ୍ଧ କାର୍ଯ୍ୟାନ୍ୱୟନ, ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଏବଂ ‘ବିକଶିତ ଓଡ଼ିଶା–୨୦୩୬ ଓ ୨୦୪୭’ ଲକ୍ଷ୍ୟରେ ଗଜପତି ଜିଲ୍ଲାର ବିକାଶ ରୂପରେଖ ଉପରେ ବିସ୍ତୃତ ସମୀକ୍ଷା କରାଯାଇଛି।
ବୈଠକ ଆରମ୍ଭରେ ମୁଖ୍ୟ ଶାସନ ସଚିବ ପୁରୀ ରଥଯାତ୍ରାର ସଫଳ ପରିଚାଳନା ଏବଂ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ। ସେ ବନ୍ୟା ପରବର୍ତ୍ତୀ ରିଲିଫ୍, ଘାଇ ମରାମତି ଏବଂ ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତି ଉପସ୍ଥାପନ କରିଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ରାଜସ୍ୱ ଆଦାୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାବେଳେ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ବ୍ୟୟ ୨୦.୨ ପ୍ରତିଶତ ଏବଂ ସାମାଜିକ କ୍ଷେତ୍ରରେ ୧୬.୧ ପ୍ରତିଶତ ବୃଦ୍ଧି ପାଇଥିବା ସେ ସୂଚନା ଦେଇଥିଲେ।
‘ବିକଶିତ ଓଡ଼ିଶା’ ଅଭିଯାନ ଅଧୀନରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ୨୫ଟି ପ୍ରମୁଖ ପ୍ରକଳ୍ପର ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ। ଏଥିରେ ଜିରାଙ୍ଗ ବୌଦ୍ଧପୀଠର ବିକାଶ, ମହେନ୍ଦ୍ରଗିରି ଇକୋ-ଟୁରିଜିମ୍, ପାରଳାଖେମୁଣ୍ଡିର ଐତିହ୍ୟବାହୀ ‘ବୃନ୍ଦାବନ ରାଜପ୍ରାସାଦ’ର ସଂରକ୍ଷଣ, ଜାତୀୟ ରାଜପଥ-୩୨୬ର ସମ୍ପ୍ରସାରଣ ଏବଂ ୨୦୨୭ ସୁଦ୍ଧା ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଭଳି ଯୋଜନା ସାମିଲ ରହିଛି।
ଶିକ୍ଷା କ୍ଷେତ୍ରରେ ଗଜପତି ଜିଲ୍ଲାର ସଫଳତାକୁ ମଧ୍ୟ ବୈଠକରେ ପ୍ରଶଂସା କରାଯାଇଥିଲା। ‘ପ୍ରୟାସ ସୁପର-୩୦’ କାର୍ଯ୍ୟକ୍ରମ ଯୋଗୁଁ ୨୦୨୫ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ୯୯.୩୫ ପ୍ରତିଶତ ପାସ୍ ହାର ହାସଲ କରିବା ସହ NIEPAର ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।
ବୈଠକରେ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ, ନିୟମିତ ସମୀକ୍ଷା ଓ ଅନୁପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସଚିବମାନଙ୍କୁ ନିୟମିତ ଜିଲ୍ଲା ଗସ୍ତ, ସାଇବର ଅପରାଧ ନିୟନ୍ତ୍ରଣ ଏବଂ ନିଶାମୁକ୍ତ ଅଭିଯାନର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।