ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ। ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଲେ ତାଙ୍କୁ ଘରୁ ବାହାରିବାକୁ ଦିଆଯିବ ନାହିଁ ଏବଂ ଗୃହବନ୍ଦୀ କରି ରଖାଯିବ ବୋଲି ଶୁଭେନ୍ଦୁ ଧମକ ଦେଇଥିବା ମମତା ଅଭିଯୋଗ କରିଛନ୍ତି। ନିଜ ଦାବିର ସମର୍ଥନରେ ମମତା ଶୁଭେନ୍ଦୁଙ୍କ ଏକ ଭିଡିଓ ମଧ୍ୟ ଦେଖାଇଛନ୍ତି। ଭିଡିଓରେ ଶୁଭେନ୍ଦୁ ମମତାଙ୍କୁ ଫେସବୁକ୍ରେ ସୀମିତ ରହିବାକୁ କହିବା ସହ ତାଙ୍କୁ ରାସ୍ତାକୁ ଆସିବାକୁ ଦିଆଯିବ ନାହିଁ ବୋଲି କହୁଥିବା ମମତା ଦାବି କରିଛନ୍ତି। ଏହାକୁ ନେଇ ରାଜ୍ୟରେ ପୁଣିଥରେ ଟିଏମସି ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି।
ମମତା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ ଅବସର ନେବାକୁ ଯାଉନାହାନ୍ତି। ବିଜେପିକୁ ରାଜନୈତିକ ଭାବେ ମୁକାବିଲା ନକରିବା ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ସେ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ମାତ୍ର ଚାରି ମାସ ମଧ୍ୟରେ ରାଜ୍ୟବାସୀ ଦଳର ଅସଲ ଚେହେରା ଦେଖିସାରିଲେଣି। ବିଜେପି ଲୋକଙ୍କୁ ପ୍ରତାରିତ କରୁଥିବା ମମତା ଅଭିଯୋଗ କରିଛନ୍ତି। ତାଙ୍କ ଏହି ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।