ନ୍ୟୁ୍ଜ୍ ବ୍ୟୁରୋ: ଭାରତକୁ ବଡ଼ ଝଟକା ଲାଗିଛି। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ତଥା ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଆଘାତ କାରଣରୁ ୨୦୨୬ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ନାହିଁ। ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏହି ବହୁରାଷ୍ଟ୍ରୀୟ କ୍ରୀଡ଼ା ମହାକୁମ୍ଭରୁ ନୀରଜଙ୍କ ବାଦ୍ ପଡ଼ିବା ଭାରତୀୟ ଦଳ ପାଇଁ ବଡ଼ ଝଟକା ଭାବେ ଦେଖାଯାଉଛି। ଆଘାତ ଯୋଗୁଁ ନୀରଜ ୨୦୨୬ ସିଜିନ୍ର ବାକି ସମସ୍ତ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ଏହାର ଫଳରେ ଏସୀୟ କ୍ରୀଡ଼ା ସହିତ ଡାଇମଣ୍ଡ ଲିଗ୍ ଫାଇନାଲ୍ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ନାହିଁ।
ନିକଟରେ ଲୌସାନରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍ ପ୍ରତିଯୋଗିତାରେ ନୀରଜ ୮୮.୦୫ ମିଟରର ଥ୍ରୋ କରିଥିଲେ। ଏହା ତାଙ୍କର ଚଳିତ ସିଜିନ୍ର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ତେବେ ଏହାପରେ ପ୍ରଶିକ୍ଷଣ ସମୟରେ ତାଙ୍କ ଗୋଡ଼ର ଲିଗାମେଣ୍ଟରେ ଆଘାତ ଲାଗିଥିବା ସେ ଜଣାଇଛନ୍ତି। ସୋସିଆଲ ମିଡିଆରେ ନୀରଜ କହିଛନ୍ତି ଯେ, ଡାକ୍ତର ଏବଂ ତାଙ୍କ ଟିମ୍ ସହ ଆଲୋଚନା ପରେ ଚଳିତ ସିଜିନ୍ର ବାକି ସମୟରେ କୌଣସି ପ୍ରତିଯୋଗିତାରେ ନ ଖେଳିବାକୁ ନିଷ୍ପତ୍ତି ନିଆଯାଇଛି। ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଗାମୀ ପ୍ରତିଯୋଗିତା ପାଇଁ ଫିଟ୍ ହେବା ଏବେ ତାଙ୍କର ପ୍ରାଥମିକତା।