ଭୁବନେଶ୍ବର: ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିଲେ ଏଣିକି କମ୍ ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ୧୦ ହଜାର ଟଙ୍କା ଜରିମାନା ଥିବାବେଳେ ଏହାକୁ ୬ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ବୁଧବାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ଦେଇଛନ୍ତି।
ନୂଆ ନିୟମ ଅନୁସାରେ, ଦୁଇ ଓ ତିନିଚକିଆ ଯାନ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ୨ ହଜାର ଟଙ୍କା ଜରିମାନା ହେବ। ସେହିପରି କାର୍, ଟ୍ରାକ୍ଟର ଆଦି ଯାନ ପାଇଁ ପ୍ରଥମ ଉଲ୍ଲଂଘନରେ ୨ ହଜାର ଓ ଦ୍ୱିତୀୟ ଉଲ୍ଲଂଘନରେ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ଅନ୍ୟାନ୍ୟ ଯାନ କ୍ଷେତ୍ରରେ ପ୍ରଥମ ଥର ୩ ହଜାର ଏବଂ ଦ୍ୱିତୀୟ ଥର ୬ ହଜାର ଟଙ୍କା ଜରିମାନା ରହିବ। ଏହାସହ ୯୦ ଦିନରୁ ଅଧିକ ସମୟ ଧରି ଇ-ଚାଲାଣ ବକେୟା ଥିଲେ ସମ୍ପୃକ୍ତ ଯାନର ପିୟୁସିସି କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ପିୟୁସିସି ଉଲ୍ଲଂଘନ ପାଇଁ ଜରିମାନା ବ୍ୟବସ୍ଥା ଲାଗୁ ହୋଇଥିଲା।