ଭୁବନେଶ୍ବର: ରାଜ୍ୟର ଚାଷୀଙ୍କ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ପଞ୍ଚମ କିସ୍ତିର ଆର୍ଥିକ ସହାୟତା ଜାରି କରିଛନ୍ତି ଓଡ଼ିଶା ସରକାର। ଏହାଦ୍ୱାରା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।
ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆର୍ଥିକ ସହାୟତା ବଣ୍ଟନ କରିଥିଲେ। ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୮୩୩ କୋଟି ଟଙ୍କାରୁ ଅଧିକ ରାଶି ପଠାଯାଇଛି। ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟେକଙ୍କ ପାଇଁ ୨,୦୦୦ ଟଙ୍କା ଲେଖାଏଁ ହସ୍ତାନ୍ତର କରାଯାଇଛି। ଏହି ସହାୟତାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ଦୁର୍ବଳ ଆଦିବାସୀ ଗୋଷ୍ଠୀ ଏବଂ ଭୂମିହୀନ ଚାଷୀ ପରିବାର ମଧ୍ୟ ସାମିଲ ଅଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଚାଷୀମାନଙ୍କୁ କୃଷି କାର୍ଯ୍ୟରେ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇବା ସହ ସେମାନଙ୍କ ଆୟ ଓ ଜୀବିକାକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି କୁହାଯାଇଛି।