ନୂଆଦିଲ୍ଲୀ: ଶିକ୍ଷକଙ୍କ ଦାୟିତ୍ୱ କେବଳ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ପଢ଼ାଇବାରେ ସୀମିତ ନୁହେଁ। ସେମାନେ ଛାତ୍ରଙ୍କ ଚରିତ୍ର, ଚିନ୍ତାଧାରା ଓ ଆତ୍ମବିଶ୍ୱାସ ଗଢ଼ିବା ସହ ଦେଶର ଭବିଷ୍ୟତ ନିର୍ମାଣରେ ବଡ଼ ଭୂମିକା ନିଅନ୍ତି ବୋଲି ଶିକ୍ଷକ ଦିବସ ଅବସରରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୋଟି କୋଟି ଛାତ୍ରଛାତ୍ରୀଙ୍କ ଜୀବନରେ ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ ଓ ପ୍ରେରଣା ଭରିଦେଉଥିବା ଶିକ୍ଷକମାନଙ୍କ ପ୍ରତି ସେ କୃତଜ୍ଞତା ପ୍ରକାଶ କରିଥିଲେ।
ଶିକ୍ଷକ-ଛାତ୍ର ସମ୍ପର୍କର ଗୁରୁତ୍ୱ– ‘ଆଚାର୍ଯ୍ୟଦେବୋ ଭବ’ର ଆଦର୍ଶକୁ ଉଲ୍ଲେଖ କରି ମୁର୍ମୁ କହିଥିଲେ, ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ, ଧୈର୍ଯ୍ୟ ଓ ନ୍ୟାୟସଙ୍ଗତ ବ୍ୟବହାର କରିବା ଆବଶ୍ୟକ। ଶିକ୍ଷକଙ୍କ ବ୍ୟବହାର ପିଲାଙ୍କ ମନରେ ଭୟ କିମ୍ବା ହୀନମନ୍ୟତା ନୁହେଁ, ବରଂ ଆତ୍ମବିଶ୍ୱାସ ଓ ସାହସ ସୃଷ୍ଟି କରିବା ଉଚିତ। ନିଜ ଜୀବନରେ ସ୍ନେହଶୀଳ ଓ ନିଷ୍ଠାବାନ ଶିକ୍ଷକଙ୍କ ମାର୍ଗଦର୍ଶନରୁ ମିଳିଥିବା ପ୍ରେରଣାକୁ ମଧ୍ୟ ସେ ସ୍ମରଣ କରିଥିଲେ।
ରାଇରଙ୍ଗପୁରରେ ଶିକ୍ଷକତାର ସ୍ମୃତି– ନିଜ ଶିକ୍ଷକତା ଜୀବନକୁ ସ୍ମରଣ କରି ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ରାଇରଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦୋ ଇଣ୍ଟିଗ୍ରାଲ ସ୍କୁଲରେ ପଢ଼ାଇଥିବା ସମୟର ଅନୁଭୂତି ବାଣ୍ଟିଥିଲେ। ଛାତ୍ରଛାତ୍ରୀଙ୍କ ସହ ସଙ୍ଗୀତ, କ୍ରୀଡ଼ା ଓ ନାଟକରେ ଅଂଶ ନେବା ସହ ପ୍ରକୃତି ଓ ପରିବେଶ ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ନେଇଯାଉଥିଲେ ବୋଲି କହିଥିଲେ। ପୂର୍ବତନ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ସମ୍ପର୍କ ଆଜି ମଧ୍ୟ ଅତୁଟ ରହିଥିବା ସେ କହିଥିଲେ। ପିଲାଙ୍କ ସ୍ୱାଭାବିକ ଜିଜ୍ଞାସା ଓ ଉତ୍ସାହରୁ ନିଜେ ମଧ୍ୟ ଶିଖିଥିବା ସେ ଉଲ୍ଲେଖ କରିଥିଲେ।
ବଞ୍ଚିତ ପିଲାଙ୍କ ପାଇଁ ବିଦ୍ୟାଳୟ– ପ୍ରାୟ ୧୧ ବର୍ଷ ପୂର୍ବେ ନିଜ ଗାଁରେ ବଞ୍ଚିତ ପରିବାରର ଶିଶୁ ଏବଂ ଅଭିଭାବକ ହରାଇଥିବା ପିଲାଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା କଥା ମଧ୍ୟ ମୁର୍ମୁ ସ୍ମରଣ କରିଥିଲେ। ପିଲାମାନେ ନିଜ ଜୀବନରେ ଆଗକୁ ବଢ଼ୁଥିବା ଦେଖିବା ତାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ସେ କହିଥିଲେ।
‘ରାଷ୍ଟ୍ର ପ୍ରଥମ’ ଭାବନାରେ ଭବିଷ୍ୟତ ପିଢ଼ି– ଆଗାମୀ ପିଢ଼ିକୁ ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ିବା ସହ ବୈଜ୍ଞାନିକ ଚିନ୍ତାଧାରା ବିକଶିତ କରିବାକୁ ଶିକ୍ଷକମାନଙ୍କୁ ମୁର୍ମୁ ଆହ୍ୱାନ ଦେଇଥିଲେ। ମାନବ କଲ୍ୟାଣ, ଅନ୍ତ୍ୟୋଦୟ, ପରିବେଶ ଓ ଜୀବଜନ୍ତୁ ସୁରକ୍ଷା, ଉତ୍କର୍ଷ ସାଧନା ଏବଂ ‘ରାଷ୍ଟ୍ର ପ୍ରଥମ’ ଭାବନାକୁ ପିଲାଙ୍କ ମନରେ ବିକଶିତ କରିବା ଆବଶ୍ୟକ ବୋଲି ସେ କହିଥିଲେ। ପିଲାଙ୍କ ଶିକ୍ଷା ଓ ଚରିତ୍ର ଗଠନରେ ଶିକ୍ଷକଙ୍କ ସହ ଅଭିଭାବକ ଓ ସମାଜର ମଧ୍ୟ ଦାୟିତ୍ୱ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ। ସମର୍ପିତ ଶିକ୍ଷକଙ୍କ ଅବଦାନରେ ଭାରତ ନିରନ୍ତର ଶିଖିବ, ପ୍ରଗତି କରିବ ଏବଂ ବିଶ୍ୱକୁ ନେତୃତ୍ୱ ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।