ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ନୂଆ ଦିଲ୍ଲୀ: ପ୍ରମୁଖ ବିଶ୍ୱ ନେତାଙ୍କ ସମାଗମରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଦୁଇଦିନିଆ ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍-ସିସିଙ୍କ ସମେତ ଅନେକ ନେତା ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତିଥି ନେତାମାନଙ୍କୁ ସ୍ୱାଗତ କରିଛନ୍ତି।
ସମ୍ମିଳନୀ ଅବସରରେ ମୋଦୀ ବିଭିନ୍ନ ଦେଶର ନେତାଙ୍କ ସହ ପୃଥକ ଦ୍ୱିପାକ୍ଷିକ ଆଲୋଚନା କରିବେ। ବିଶେଷକରି ପୁଟିନ, ସି ଜିନପିଙ୍ଗ ଓ ପେଜେଶକିୟାନଙ୍କ ସହ ବୈଠକ ଉପରେ ଅନ୍ତର୍ଜାତୀୟ ମହଲର ନଜର ରହିଛି। ପ୍ରାୟ ସାତ ବର୍ଷ ପରେ ସି ଜିନପିଙ୍ଗଙ୍କ ଭାରତ ଗସ୍ତ ହୋଇଥିବାରୁ ଭାରତ-ଚୀନ୍ ସମ୍ପର୍କ, ସୀମା ପ୍ରସଙ୍ଗ ଓ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନାକୁ ଗୁରୁତ୍ୱ ଦିଆଯାଉଛି।
ବୈଠକରେ ଆର୍ଥିକ ଅଭିବୃଦ୍ଧି, ବାଣିଜ୍ୟ, ଅର୍ଥ, ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ ବିକାଶ ଏବଂ ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକ ମଧ୍ୟରେ ସହଯୋଗ ଭଳି ପ୍ରସଙ୍ଗ ଉପରେ ମତବିନିମୟ ହେବ। ଏହାସହ ପଶ୍ଚିମ ଏସିଆର ଅସ୍ଥିରତା ଓ ୟୁକ୍ରେନ ଯୁଦ୍ଧ ଭଳି ଭୂ-ରାଜନୈତିକ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ। ଭାରତ ପାଇଁ ଏଥରର ସମ୍ମିଳନୀ ଅଧିକ ଗୁରୁତ୍ୱପୂର୍ଣ୍ଣ। ଭାରତ ଚତୁର୍ଥ ଥର ପାଇଁ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବେଳେ ବ୍ରିକ୍ସ ଗଠନର ୨୦ ବର୍ଷ ମଧ୍ୟ ପୂରଣ ହେଉଛି। ବହୁପକ୍ଷୀୟ ସହଯୋଗ ସୁଦୃଢ଼ କରିବା ସହ ବିଶ୍ୱ ଦକ୍ଷିଣର ସ୍ୱରକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ଭାରତ ଗୁରୁତ୍ୱ ଦେଉଛି।