ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଘଟିଛି ହୃଦୟବିଦାରକ ଦୁର୍ଘଟଣା। ପ୍ରବଳ ବର୍ଷା ପରେ ନାଳରେ ଉଛୁଳିଥିବା ପାଣିର ପ୍ରଖର ସ୍ରୋତରେ କାର ଭାସିଯିବାରୁ ୭ ଜଣ ଓଡ଼ିଆଙ୍କ ସମେତ ୮ ଜଣଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି। ସମସ୍ତ ଓଡ଼ିଆ ମୃତକ ଭୁବନେଶ୍ୱର ଜୟଦେବବିହାର ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଉଜ୍ଜୟିନୀରୁ ଏକ ଟ୍ୟାକ୍ସି ଭଡ଼ା କରି ଏହି ଶ୍ରଦ୍ଧାଳୁମାନେ ନାଲଖେଡାସ୍ଥିତ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ଫେରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ମନ୍ଦିର ନିକଟସ୍ଥ ବର୍ଷାଜଳ ନାଳରେ ପ୍ରବଳ ସ୍ରୋତ ସୃଷ୍ଟି ହୋଇଥିଲା। ଏହି ସମୟରେ ନାଳ ପାର୍ ହେବାକୁ ଯାଇ କାରଟି ସ୍ରୋତରେ ଭାସିଯାଇଥିଲା। ଖବର ପାଇ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଶେଷରେ ନାଳରୁ କାରଟିକୁ ବାହାର କରାଯିବା ସହ ଭିତରୁ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରବଳ ସ୍ରୋତ ମଧ୍ୟରେ ଡ୍ରାଇଭର ଶୀଘ୍ର ନାଳ ପାର୍ ହେବାକୁ ଚେଷ୍ଟା କରିଥିବା ବେଳେ କାରଟି ସ୍ରୋତରେ ଫସି ଭାସିଯାଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି। ମୃତକଙ୍କ ମଧ୍ୟରେ ପରିବାରର ଏକାଧିକ ସଦସ୍ୟ ଥିବା ଜଣାପଡ଼ିଛି। ଏପରିକି ଜଣେ ଯୁବତୀଙ୍କ କିଛି ଦିନ ପରେ ରିଙ୍ଗ୍ ସେରିମନି ହେବାର ଥିଲା। ଦୁର୍ଘଟଣା ପରେ ଜୟଦେବବିହାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।