ନୂଆଦିଲ୍ଲୀ: ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ କେବଳ ଲାଭ କମାଇବା ଉଦ୍ଦେଶ୍ୟରେ ବ୍ୟବସାୟିକ ଢାଞ୍ଚାରେ ଚଳାଇବାକୁ ଅନୁମତି ଦିଆଯାଇପାରିବ ନାହିଁ। ଶିକ୍ଷା ସମ୍ବନ୍ଧୀୟ ସାର୍ବଜନୀନ ଲକ୍ଷ୍ୟ ହାସଲ କରିବା ଏହି ସଂସ୍ଥାଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏମିଟି ବିଶ୍ୱବିଦ୍ୟାଳୟ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଏନ୍ଭି ଅଞ୍ଜାରିଆଙ୍କ ପୀଠ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୬ ସପ୍ତାହ ମଧ୍ୟରେ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକର ସମୀକ୍ଷା କରି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ରିପୋର୍ଟରେ ବିଶ୍ୱବିଦ୍ୟାଳୟର ଆୟ, ବ୍ୟୟ, ଆଦାୟ ହେଉଥିବା ଦେୟ, କର୍ମଚାରୀଙ୍କ ଦରମା ଓ ସେବା ସର୍ତ୍ତାବଳୀର ବିବରଣୀ ଦେବାକୁ କୁହାଯାଇଛି। ଏହାସହ ନାମଲେଖା ପ୍ରକ୍ରିୟା, ପାଠ୍ୟକ୍ରମ, ପରୀକ୍ଷା, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ଉତ୍ତରଖାତା ମୂଲ୍ୟାୟନରେ ନିୟୋଜିତ ବ୍ୟକ୍ତିଙ୍କ ସୂଚନା ମଧ୍ୟ ମଗାଯାଇଛି।
ବିଶ୍ୱବିଦ୍ୟାଳୟଗୁଡ଼ିକ କେତେ ପାଣ୍ଠି ସଂଗ୍ରହ କରିଛନ୍ତି, ତାହା କିପରି ବ୍ୟବହାର ହୋଇଛି, ଅତିରିକ୍ତ ପାଣ୍ଠିର ନିବେଶ କିପରି କରାଯାଇଛି ଏବଂ ବିଶ୍ୱବିଦ୍ୟାଳୟ ସହ ସିଧାସଳଖ ଜଡ଼ିତ ନଥିବା ବ୍ୟକ୍ତିଙ୍କୁ କୌଣସି ଦେୟ ଦିଆଯାଇଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି। ମାମଲାର ଶୁଣାଣି ବେଳେ ଜଣେ ଛାତ୍ରୀଙ୍କ ନାମ ପରିବର୍ତ୍ତନ ଅନୁରୋଧକୁ ନେଇ ତାଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷାରେ କୌଣସି ବାଧା ନ ଆସିବା ପାଇଁ ବିକଳ୍ପ ବ୍ୟବସ୍ଥା ରହିଛି କି ନାହିଁ, ତାହାର ସୂଚନା ମଧ୍ୟ କୋର୍ଟ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୯ରେ ହେବ।