ଚୀନ୍: ଚୀନ୍ର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଫୋସାନ୍ ସହରରେ ଏକ କପଡ଼ା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ରବିବାର ଅପରାହ୍ନ ପ୍ରାୟ ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଘଟଣାରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର ଖବର ପାଇବା ପରେ ପୁଲିସ, ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ।
ତେବେ ନିଆଁର ତୀବ୍ରତା ଯୋଗୁଁ କାରଖାନା ଭିତରେ ଥିବା କିଛି କର୍ମଚାରୀ ସମୟରେ ବାହାରି ପାରିନଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚୀନ୍ର ସରକାରୀ ଖବର ସଂସ୍ଥା ଜିନହୁଆ ଅନୁଯାୟୀ, ସୋମବାର ମଧ୍ୟ ଘଟଣାସ୍ଥଳରେ ଉଦ୍ଧାର ଓ ଯାଞ୍ଚ କାର୍ଯ୍ୟ ଜାରି ରହିଛି। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ ଜାଣିବାକୁ ପୁଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।