ବମ୍ବେ: ଆଇଆଇଟି ବମ୍ବେର ଦ୍ୱିତୀୟ ବର୍ଷର ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲାଙ୍କୁ ଡିନ୍ ପଦରୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରାଯାଇଛି। ଆଇଆଇଟି ବମ୍ବେ ନିର୍ଦ୍ଦେଶକ ପ୍ରଫେସର ଶିରୀଷ କେଦାରେ ସୋମବାର ଏନେଇ ଛାତ୍ରଛାତ୍ରୀଙ୍କୁ ଇ-ମେଲ୍ ଯୋଗେ ସୂଚନା ଦେଇଛନ୍ତି। ତଦନ୍ତ ପରେ ପ୍ରଫେସର ଡୁଲ୍ଲାଙ୍କ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
ସେପ୍ଟେମ୍ବର ୧୮ରେ ମଧ୍ୟବର୍ତ୍ତୀକାଳୀନ ସେମିଷ୍ଟର ପରୀକ୍ଷା ସମୟରେ ସାହିଲ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଧରାପଡ଼ିଥିଲେ। ପ୍ରଫେସର ଡୁଲ୍ଲା ସେହି ପରୀକ୍ଷାରେ ନିରୀକ୍ଷକ ଥିଲେ। ଆଇଆଇଟି ବମ୍ବେର ପୂର୍ବ ସୂଚନା ଅନୁଯାୟୀ, ସାହିଲ ପ୍ରଶ୍ନପତ୍ରକୁ ଏକ ଏଆଇ ପ୍ଲାଟଫର୍ମରେ ଅପଲୋଡ୍ କରି ଉତ୍ତର ଖୋଜିଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ଅଧିକାରୀଙ୍କ ନିକଟକୁ ନିଆଯାଇଥିଲା ଏବଂ କାଉନ୍ସେଲିଂ କରାଯାଇଥିଲା। କିଛି ଘଣ୍ଟା ପରେ ସାହିଲଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇ ୧୮ ଦଫା ଦାବି ରଖିଥିଲେ। ଏଥିରେ ପ୍ରଫେସର ଡୁଲ୍ଲାଙ୍କ ବିରୋଧରେ ପଦକ୍ଷେପ ଓ ଘଟଣାର ନିରପେକ୍ଷ ତଦନ୍ତ ଦାବି ମଧ୍ୟ ରହିଥିଲା। ନିର୍ଦ୍ଦେଶକ କେଦାରେ ଛାତ୍ରମାନଙ୍କ ଦାବିପତ୍ରରେ ଦସ୍ତଖତ କରିଥିଲେ।
ଅନ୍ୟପକ୍ଷରେ ସାହିଲଙ୍କ ପରିବାର ପକ୍ଷରୁ ଅନୁଷ୍ଠାନରେ ତାଙ୍କୁ ହଇରାଣ କରାଯିବା ଓ ଜାତିଭିତ୍ତିକ ଭେଦଭାବ ଅଭିଯୋଗ ଅଣାଯାଇଛି। ଏହି ଅଭିଯୋଗ ଆଧାରରେ ପ୍ରଫେସର ଡୁଲ୍ଲାଙ୍କ ନାମରେ ମଧ୍ୟ ଏଫ୍ଆଇଆର୍ ରୁଜୁ ହୋଇଛି। ମାମଲାର ତଦନ୍ତ ଜାରି ରହିଛି। ତେବେ ଆଇଆଇଟି ବମ୍ବେ ଫ୍ୟାକଲ୍ଟି ଫୋରମ୍ ପ୍ରଫେସର ଡୁଲ୍ଲାଙ୍କ ସମର୍ଥନରେ ଆସି ତାଙ୍କ ବିରୋଧରେ ହୋଇଥିବା କିଛି ଅଭିଯୋଗକୁ ଭୁଲ୍ ଓ ବିଭ୍ରାନ୍ତିକର ବୋଲି ଦାବି କରିଛି। ଆଇଆଇଟି ବମ୍ବେ ଏହି ଘଟଣା ସମ୍ପର୍କରେ ପୂର୍ବରୁ ଜାରି କରିଥିବା କିଛି ବିବୃତି ପାଇଁ ମଧ୍ୟ କ୍ଷମା ମାଗିଛି ଏବଂ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଘଟଣାର ସମସ୍ତ ତଥ୍ୟ ନେଇ ନିଷ୍କର୍ଷରେ ପହଞ୍ଚିବା ଉଚିତ ନୁହେଁ ବୋଲି ସ୍ପଷ୍ଟ କରିଛି।