କାନାଡା: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକମାନେ ତାମିଲନାଡୁର ମନୋଜ ଶିବକୁମାର ଏବଂ ପୁଡୁଚେରୀର ଶ୍ରୀସରଣ ଥିରୁଗ୍ନାନାସମ୍ବନ୍ଧମ୍ ବୋଲି ଜଣାପଡ଼ିଛି। ବାନ୍କୁଭରସ୍ଥିତ ଭାରତୀୟ ମହାବାଣିଜ୍ୟ ଦୂତାବାସ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଦୁଇ ଛାତ୍ରଙ୍କ ପାର୍ଥିବ ଶରୀର ଭାରତ ଆଣିବା ପ୍ରକ୍ରିୟାରେ ପରିବାରକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇବାକୁ ଦୂତାବାସ ପ୍ରସ୍ତୁତ ଥିବା କହିଛି।
କାନାଡା ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସସ୍କାଚେୱାନ୍ର କିସବେ ନିକଟରେ ହାର୍ଭ୍ସ ଏୟାର ପକ୍ଷରୁ ପରିଚାଳିତ ଏକ ସେସ୍ନା ୧୭୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ବିମାନଟି ରେଜିନାରୁ କାର୍ଲାଇଲ୍ ଦେଇ ମାନିଟୋବାର ଷ୍ଟାଇନବାକ୍ ଅଭିମୁଖେ ରାତ୍ରିକାଳୀନ କ୍ରସ୍-କଣ୍ଟ୍ରି ଉଡ଼ାଣ କରୁଥିଲା। ନିର୍ଦ୍ଧାରିତ ସମୟରେ ବିମାନଟି ଗନ୍ତବ୍ୟରେ ନପହଞ୍ଚିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରେ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳ ଠାବ କରି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ତଦନ୍ତ ଜାରି ରହିଛି।