ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜନ୍ମବାର୍ଷିକୀ ଅବସରରେ ସାରା ଦେଶରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ରାଜଘାଟରେ ଗାନ୍ଧୀ ସମାଧିରେ ଶ୍ରଦ୍ଧାଞ୍ଜଳି ସମାରୋହ ଓ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚି ବାପୁଙ୍କ ସମାଧିରେ ପୁଷ୍ପାଞ୍ଜଳି ଦେଇଥିଲେ। ଏହାପରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ବିଭିନ୍ନ ଧର୍ମର ପ୍ରତିନିଧି ଯୋଗଦେଇଥିଲେ। ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ଆଦର୍ଶକୁ ଏହି ଅବସରରେ ସ୍ମରଣ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଓ ରାହୁଲ ଗାନ୍ଧୀ ମଧ୍ୟ ରାଜଘାଟରେ ବାପୁଙ୍କ ସମାଧିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସର୍ବଧର୍ମ ପ୍ରାର୍ଥନା ସଭାରେ ସାମିଲ ହୋଇଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ ନେତା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ସ୍ୱଦେଶୀ ଓ ସ୍ୱରାଜର ବିଚାରକୁ ସ୍ମରଣ କରି ତାଙ୍କ ପ୍ରତି ଶ୍ରଦ୍ଧା ଜଣାଇଛନ୍ତି।