କର୍କଟ ଔଷଧର ଦାମ୍ କମାଇଲା ଏନ୍ପିପିଏ, ୫୪୩ ବ୍ରାଣ୍ଡ୍ର ନୂଆ ଏମ୍ଆର୍ପି ତାଲିକା
ନୂଆଦିଲ୍ଲୀ: କର୍କଟ ରୋଗୀଙ୍କୁ ମିଳିବ ଆର୍ଥିକ ଆଶ୍ୱସ୍ତି। ଚିକିତ୍ସା ଖର୍ଚ୍ଚ କମାଇବା ଲକ୍ଷ୍ୟରେ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍ପିପିଏ) ପକ୍ଷରୁ ୫୪୩ଟି ବ୍ରାଣ୍ଡ୍ର କର୍କଟ ଔଷଧର ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ତାଲିକା ପ୍ରକାଶ ପାଇଛି। ନୂତନ ଦର ନଭେମ୍ବର ୯ରୁ ଲାଗୁ ହେବ। ଔଷଧ ନିର୍ମାତା କମ୍ପାନୀଗୁଡ଼ିକଠାରୁ ଅକ୍ଟୋବର ୨୭ ସୁଦ୍ଧା ମିଳିଥିବା ତଥ୍ୟ ଆଧାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି।
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ ଏନ୍ପିପିଏ ପ୍ରକାଶ କରିଥିବା ତାଲିକାରେ ବିଭିନ୍ନ କର୍କଟ ଔଷଧର ପୁରୁଣା ଓ ସଂଶୋଧିତ ଦର ଉଲ୍ଲେଖ ରହିଛି। ତାଲିକା ଅନୁଯାୟୀ, ଅନାଷ୍ଟ୍ରୋଜୋଲ୍ର ଅନାର୍ଜୋଲ୍ ବ୍ରାଣ୍ଡ୍ର ୧୦ଟି ବଟିକା ଥିବା ପ୍ୟାକେଟ୍ର ମୂଲ୍ୟ ୬୯୫.୭୬ ଟଙ୍କାରୁ ହ୍ରାସ ପାଇ ୭୩ ଟଙ୍କା ହୋଇଛି। ସେହିପରି ଡା. ରେଡ୍ଡିଜ୍ ଲାବୋରେଟୋରିଜ୍ର ଆଜାସିଟିଡିନ୍ ଇଞ୍ଜେକ୍ସନ୍ର ଦାମ୍ ୬,୩୩୭ ଟଙ୍କାରୁ ୧,୪୯୫ ଟଙ୍କାକୁ ଖସିଛି। ଆବଟ୍ ହେଲ୍ଥକେୟାରର ବେଭାସିଜୁମାବ୍ ଇଞ୍ଜେକ୍ସନ୍ର ମୂଲ୍ୟ ମଧ୍ୟ ୨୧,୭୬୭ ଟଙ୍କାରୁ କମି ୫,୯୩୦ ଟଙ୍କା ହୋଇଛି।
ଏହା ପୂର୍ବରୁ ଅକ୍ଟୋବର ୧୭ରେ ଏନ୍ପିପିଏ ସାଧାରଣ ଜନସ୍ୱାର୍ଥ ଦୃଷ୍ଟିରୁ ୧୩୭ଟି ଅଣ-ସୂଚୀଭୁକ୍ତ କର୍କଟ ଔଷଧର ବାଣିଜ୍ୟିକ ଲାଭାଂଶକୁ ଯୁକ୍ତିସଙ୍ଗତ କରିବା ନେଇ ଘୋଷଣା କରିଥିଲା। ଔଷଧ ଉପରେ ଅତ୍ୟଧିକ ଲାଭାଂଶ ହ୍ରାସ କରିବା ସହ ରୋଗୀଙ୍କ ପାଇଁ ଚିକିତ୍ସାକୁ ଅଧିକ ସୁଲଭ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଔଷଧଗୁଡ଼ିକ ମଧ୍ୟରେ ଇମ୍ୟୁନୋଥେରାପି ସମେତ ବିଭିନ୍ନ ପ୍ରକାର କର୍କଟ ଚିକିତ୍ସାରେ ବ୍ୟବହୃତ ଔଷଧ ରହିଛି। ସ୍ତନ ଓ ପ୍ରୋଷ୍ଟେଟ୍ କର୍କଟ ରୋଗୀଙ୍କ କ୍ଷେତ୍ରରେ ବ୍ୟବହୃତ ଡେନୋସୁମାବ୍, କର୍କଟ ରୋଗୀଙ୍କଠାରେ ନ୍ୟୁଟ୍ରୋପେନିଆ ରୋକିବା ପାଇଁ ଦିଆଯାଉଥିବା ପେଗ୍ଫିଲଗ୍ରାଷ୍ଟିମ୍ ଏବଂ କୋଲନ୍, ଓଭାରିଆନ୍ ଓ ସର୍ଭିକାଲ୍ କର୍କଟ ଚିକିତ୍ସାରେ ବ୍ୟବହୃତ ବେଭାସିଜୁମାବ୍ ଏଥିରେ ଅନ୍ତର୍ଭୁକ୍ତ। ସଂଶୋଧିତ ଦର ଲାଗୁ ହେବା ପରେ କର୍କଟ ରୋଗୀ ଓ ସେମାନଙ୍କ ପରିବାରକୁ ଔଷଧ କିଣିବା କ୍ଷେତ୍ରରେ ଆର୍ଥିକ ଚାପରୁ କିଛିଟା ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।