ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ ଓ ଆଇପିଏସ୍ ଅଧିକାରୀ ରବିକାନ୍ତଙ୍କ ବିଦେଶ ଗସ୍ତର ତଦନ୍ତ ହେବ। ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ସେମାନଙ୍କ ବିଦେଶ ଗସ୍ତ ଓ ଏଥିପାଇଁ ହୋଇଥିବା ଖର୍ଚ୍ଚର ଯାଞ୍ଚ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ତଦନ୍ତ ଦାୟିତ୍ୱ ତୁଲାଇବେ।
ସୂଚନା ଅନୁଯାୟୀ, ଏହି ବିଦେଶ ଗସ୍ତକୁ ନେଇ କିଛି ସାମାଜିକ କର୍ମୀ ଅଭିଯୋଗ ଉଠାଇଥିଲେ। ବିଶେଷକରି ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ସମ୍ପର୍କିତ ତଥ୍ୟରେ ଅସଙ୍ଗତି ଥିବା ସେମାନେ ଦାବି କରିଥିଲେ। ଆର୍ଟିଆଇ ମାଧ୍ୟମରେ ମିଳିଥିବା ସୂଚନା ଅସମ୍ପୂର୍ଣ୍ଣ ଓ ସନ୍ଦେହଜନକ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।
ଏହି ଅଭିଯୋଗଗୁଡ଼ିକର ସତ୍ୟତା ଯାଞ୍ଚ କରିବା ସହ ବିଦେଶ ଗସ୍ତର ବିବରଣୀ ଓ ଖର୍ଚ୍ଚର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବା ତଦନ୍ତର ଉଦ୍ଦେଶ୍ୟ।