ପ୍ରମୁଖ ଖବର

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବାଣ୍ଟିଲେ ଯୋଗୀ

ନୀତୀଶ ସେତୁ ଉଦ୍‌ଘାଟନ କଲେ ମୋଦି

0

ବିହାର: ଗଙ୍ଗା ନଦୀ ଉପରେ ନିର୍ମିତ ଦେଶର ଦୀର୍ଘତମ ନଦୀ ସେତୁ ‘ନୀତୀଶ ସେତୁ’କୁ ଶନିବାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯.୭୬ କିଲୋମିଟର ଦୀର୍ଘ ଏହି ସେତୁ ପାଟନାର କଚ୍ଚି ଦର୍ଗାକୁ ବୈଶାଳୀ ଜିଲ୍ଲାର ରାଘୋପୁର ଓ ବିଦୁପୁର ସହ ସଂଯୋଗ କରୁଛି। ଏହାଦ୍ୱାରା ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯାତାୟାତ ସହଜ ହେବା ସହ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ।

ଏହି ଅବସରରେ ମୋଦି ୩୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨୭ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ ବକ୍ସର ତାପଜ ବିଦ୍ୟୁତ୍ ପ୍ରକଳ୍ପର ଦ୍ୱିତୀୟ ୟୁନିଟ୍, ୧୦୬ଟି ସ୍ୱାସ୍ଥ୍ୟକେନ୍ଦ୍ର, ୧୦୦ଟି ଇଲେକ୍ଟ୍ରିକ୍ ବସ୍ ଏବଂ ପାଟନା ଓ ଗୟାରେ କୃଷି ବଜାରର ଶୁଭାରମ୍ଭ ସାମିଲ ରହିଛି।
ବୈଶାଳୀରେ ଆୟୋଜିତ ଜନସଭାରେ ଉଦ୍‌ବୋଧନ ଦେଇ ମୋଦି କଂଗ୍ରେସକୁ ଟାର୍ଗେଟ୍ କରିଥିଲେ। ଦଶନ୍ଧି ଦଶନ୍ଧି ଧରି ‘ଗରିବୀ ହଟାଓ’ ନାରା ଦେଇ କଂଗ୍ରେସ ଗରିବଙ୍କୁ ଭ୍ରମିତ କରିଥିବା ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏନଡିଏ ସରକାର ପ୍ରାୟ ୧୨ ବର୍ଷ ମଧ୍ୟରେ ୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଥିବା ଦାବି କରିଥିଲେ। ବିହାରରେ ୪୩ ଲକ୍ଷ ପରିବାରକୁ ପକ୍କା ଘର ଏବଂ ଆଉ ୧୧ ଲକ୍ଷ ଘରକୁ ଅନୁମୋଦନ ମିଳିଥିବା ସେ କହିଥିଲେ। ଏଥିସହ ପିଏମ୍ କିଷାନ ଯୋଜନାରେ ୭୫ ଲକ୍ଷ ଚାଷୀ ଉପକୃତ ହୋଇଥିବା ଏବଂ ୫୦ ଲକ୍ଷ ମହିଳା ‘ଲଖପତି ଦିଦି’ ହୋଇଥିବା ଉଲ୍ଲେଖ କରିଥିଲେ।

ଏହି ଅବସରରେ ସେ ପୂର୍ବତନ ଆରଜେଡି ସରକାରଙ୍କୁ ଦୁର୍ନୀତି ଓ ବିକାଶ ପ୍ରତି ଅବହେଳା ଅଭିଯୋଗରେ ସମାଲୋଚନା କରିଥିଲେ। ଏଥିସହ ବିହାରର ବିକାଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତାଙ୍କ ମାର୍ଗଦର୍ଶନରେ ବିକାଶ କାର୍ଯ୍ୟକୁ ଆଗେଇ ନେଉଥିବା କହିଥିଲେ। ଏହାସହ ପାଟନା ଉପକଣ୍ଠରେ ବର୍ଜ୍ୟବସ୍ତୁରୁ ୧୫ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। ଏହାଦ୍ୱାରା ୧୩ଟି ପୌରସଂସ୍ଥାର ଦୈନିକ ୧,୬୦୦ ଟନ୍‌ରୁ ଅଧିକ ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା ସମ୍ଭବ ହେବ।

Leave A Reply

Your email address will not be published.