ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଦୁଇ ଦିନିଆ ଭାରତ ଗସ୍ତରେ ରବିବାର ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ଏହି ଗସ୍ତରେ ଶକ୍ତି, ରେଳବାଇ, ଯୋଗାଯୋଗ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଓ ମାନବ ସମ୍ବଳ ଭଳି ପ୍ରମୁଖ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହେବ।
ଭାରତରେ ପହଞ୍ଚିବା ପରେ ବାଲେନ ଶାହଙ୍କୁ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ସ୍ୱାଗତ କରିଥିଲେ। ପରେ ସେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିଥିଲେ। ଭାରତ ନେପାଳ ସହ ଥିବା ସ୍ୱତନ୍ତ୍ର ବନ୍ଧୁତ୍ୱକୁ ଗୁରୁତ୍ୱ ଦେଉଥିବା ଜୟଶଙ୍କର ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଉଭୟ ନେତା ଯୋଗାଯୋଗ, ବାଣିଜ୍ୟ, ପରିବହନ, ଶକ୍ତି, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି।
ସୋମବାର ବାଲେନ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଏହା ଉଭୟ ନେତାଙ୍କ ପ୍ରଥମ ସାକ୍ଷାତ ହେବ। ଏହି ଅବସରରେ ଭାରତର ସହଯୋଗରେ ନେପାଳରେ ନିର୍ମିତ କିଛି ଯୋଗାଯୋଗ ଓ ଶକ୍ତି ପ୍ରକଳ୍ପର ଭର୍ଚୁଆଲ ଉଦ୍ଘାଟନ ସହ ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଏଥିସହ କିଛି ଚୁକ୍ତିନାମା ଓ ବୁଝାମଣାପତ୍ର ସ୍ୱାକ୍ଷର ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଅଯୋଧ୍ୟା-ଜନକପୁର ମଧ୍ୟରେ ରେଳ ସଂଯୋଗ ସ୍ଥାପନ ନେଇ ଘୋଷଣା ହେବାର ଆଶା ରହିଛି।
ଅନ୍ୟପକ୍ଷରେ, ନେପାଳ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ପୁନର୍ନିର୍ମାଣ ପାଇଁ ୨ ବିଲିୟନ ଡଲାରର ଆର୍ଥିକ ପ୍ୟାକେଜ ଲୋଡ଼ିଛି। ଏଥିରେ ଗତ ଅଗଷ୍ଟରେ ଭୋଟେ କୋଶୀ ଅଞ୍ଚଳରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ପୁନର୍ନିର୍ମାଣ ପାଇଁ ୧ ବିଲିୟନ ଡଲାରର ସହାୟତା ଅନ୍ତର୍ଭୁକ୍ତ। ଏହା ସହ କାଠମାଣ୍ଡୁ-ମହେନ୍ଦ୍ରନଗର ବିମାନ ମାର୍ଗକୁ ଉଭୟ ଦିଗରୁ ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ଅନୁମତି ଦେବାକୁ ନେପାଳ ଅନୁରୋଧ କରିଛି। ବାଲେନ ଶାହଙ୍କ ସହ ୩୫ ଜଣିଆ ପ୍ରତିନିଧି ଦଳ ଭାରତ ଆସିଛନ୍ତି। ଏଥିରେ ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ, ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗଲେ ଏବଂ ବରିଷ୍ଠ ଅଧିକାରୀ ଓ ବ୍ୟବସାୟିକ ପ୍ରତିନିଧି ସାମିଲ ଅଛନ୍ତି। ଗସ୍ତ ଅବସରରେ ନେପାଳ-ଭାରତ ବ୍ୟବସାୟ ମଞ୍ଚ ଆୟୋଜିତ ହେବ। ଏହା ମାଧ୍ୟମରେ ଭାରତୀୟ ନିବେଶକଙ୍କୁ ନେପାଳରେ ଅଧିକ ନିବେଶ ପାଇଁ ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯିବ।