ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ନବୀନଙ୍କ ପାଇଁ ପ୍ରଶଂସା ଆଣିଲେ ତିନି ଓଡ଼ିଆ ଆଇଏଏସ୍

0
  • ପ୍ରମୁଖ ଯୋଦ୍ଧା ଭାବେ ପ୍ରଶାସନର ଶୀର୍ଷରେ ରହି ନେଉଛନ୍ତି ନେତୃତ୍ବ
  • ବାତ୍ୟା ‘ୟାସ୍‌’କୁ ଯେଭଳି ମୁକାବିଲା କରିଛନ୍ତି, କୋଭିଡ୍ ମୁକାବିଲା ବି ସେମିତି
  • ବିପର୍ଯ୍ୟୟ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶରେ ଟପର୍
  • ସବୁ ଘରେ ଯୋଦ୍ଧା ସୃଷ୍ଟି ଫର୍ମୁଲାକୁ ବିଶିଷ୍ଟ ବ୍ୟକ୍ତିମାନେ କହିଲେ ‘ଆଶ୍ଚର୍ଯ୍ୟଜନକ ସୂତ୍ର’
  • ସମସ୍ତଙ୍କୁ ପଛରେ ପକାଇ ଓଡ଼ିଶା ଏବେ ତୃତୀୟ ଲହର ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି
  • ମୋଦୀଙ୍କୁ ବି ସଫଳତା ଦେବା ପଛରେ ରହିଛି ଓଡ଼ିଆ ଅଫିସରଙ୍କ ଅବଦାନ

ଭୁବନେଶ୍ବର: ବିପର୍ଯ୍ୟୟ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶରେ ଟପର୍। ଭାରତର ଯେ କୌଣସି ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ରେକର୍ଡ କଲାଭଳି। ନିକଟରେ ଜାତିସଂଘ ବାତ୍ୟା ‘ୟାସ୍’ ମୁକାବିଲା ପାଇଁ ନବୀନଙ୍କୁ ଭୁରି ଭୁରି ପ୍ରଶଂସା କରିଛି। କେବଳ ସେତିକି ନୁହେଁ, ଗତ ମେ’ ୨୯ ତାରିଖ ଦିନ ସରକାରର ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀ ପରିଷଦ ବୈଠକରେ ନବୀନଙ୍କ ସଂକଳ୍ପକୁ ଭାରତର ବିଶିଷ୍ଟ ଶିଳ୍ପପତି, ବୁଦ୍ଧିଜୀବୀ ସମସ୍ତେ ପ୍ରଶଂସା କରିବା ସହିତ ଏହା ଏକ ‘ଆଶ୍ଚର୍ଯ୍ୟଜନକ ସୂତ୍ର’ ବୋଲି ବର୍ଣ୍ଣନା କରିଛନ୍ତି। ସେ ଜୈବିକ ହେଉ କି ପ୍ରାକୃତିକ ବିପର୍ଯ୍ୟୟ, ସବୁକୁ ମୁକାବିଲା କରିବା ଲାଗି ନବୀନ ରାଜ୍ୟର ପ୍ରତିଟି ବ୍ୟକ୍ତିକୁ ସକ୍ଷମ କରିବା ଲାଗି ଏବେ ଅଣ୍ଟା ଭିଡ଼ିଛନ୍ତି। ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ବା ରାଜ୍ୟରେ ସମ୍ଭବତଃ ଏଭଳି ଉଦାହରଣ ନାହିଁ।

ଭାରତବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଫଳତା ଦେବା ପଛରେ ଯେଭଳି ଓଡ଼ିଆ ଅଧିକାରୀଙ୍କ ଅବଦାନ ଅନସ୍ବୀକାର୍ଯ୍ୟ, ଠିକ୍ ସେମିତି ରାଜ୍ୟ ପ୍ରଶାସନର ତିନି ଓଡ଼ିଆ ଆଇଏଏସ୍ ଅଫିସର ଏବେ ନବୀନଙ୍କ ପ୍ରମୁଖ ଯୋଦ୍ଧା ଭାବେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଓଡ଼ିଆ ଅଫିସରଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଏବେ ସମଗ୍ର ଭାରତବର୍ଷରେ ଚର୍ଚ୍ଚାର ବିଷୟ ହୋଇଛି। ଓଡ଼ିଆ ଅଫିସରଙ୍କୁ ଆଗରେ ରଖି ନବୀନ ବିପର୍ଯ୍ୟୟ ବିରୋଧରେ ଯେଉଁ ଯୁଦ୍ଧ ସଂରଞ୍ଚନା କରିଛନ୍ତି, ତାହା ଅନ୍ୟ ସରକାରଙ୍କ ଉପରେ ଭୀଷଣ ଚାପ ସୃଷ୍ଟି କଲାଣି।

ସବୁଠାରୁ ବଡ଼ କଥା ହେଲା, ସଂଘୀୟ ବ୍ୟବସ୍ଥାକୁ ସୁଦୃଢ ବା ସଶକ୍ତ କରିବା ଲାଗି ସର୍ବଭାରତୀୟ ସେବାର ସୃଷ୍ଟି ହୋଇଛି। ଅନ୍ୟ ରାଜ୍ୟମାନଙ୍କରେ ଅଧିକାରୀଙ୍କ ଆଚରଣକୁ ନେଇ କେନ୍ଦ୍ର-ରାଜ୍ୟ ବିବାଦ କ୍ରମଶଃ ତୀବ୍ର ହେବାରେ ଲାଗିଛି। ଓଡ଼ିଶାରେ କିନ୍ତୁ ବିପରୀତ ସ୍ଥିତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଅଣଓଡ଼ିଆ-ଓଡ଼ିଆ ଅଫିସରମାନେ ଏବେ ଏଭଳି ମିଶିକି କାର୍ଯ୍ୟ କରୁଛନ୍ତି, ଯାହା ଅନ୍ୟ ରାଜ୍ୟ ପାଇଁ ବି ଶିକ୍ଷଣୀୟ ବୋଲି ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ମତ ଦେଲେଣି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ବିପର୍ଯ୍ୟୟ ମୁକାବିଲାର ଡୋରି ଧରିଥିବା ଏହି ତିନି ଆଇଏଏସ୍ ଅଫିସର ହେଲେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ତଥା ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଏବଂ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।ଏହି ତିନି ଓଡ଼ିଆ ଆଇଏଏସ୍ଙ୍କ‌ କାର୍ଯ୍ୟ ତରିକା ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ ସଫ​ଳତା ଦେଇ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପ୍ରଶାସନିକସ୍ତରର ପର୍ଯ୍ୟନ୍ତ ସବୁ ସ୍ତରରେ ସମନ୍ବୟ ରକ୍ଷା କରିବାରେ ଏହି ତିନି ଅଧିକାରୀ ଯେଭଳି ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି, ଠିକ୍ ସେମିତି ଜିଲ୍ଲା ପ୍ରଶାସନର ତୃଣମୂଳସ୍ତର ପର୍ଯ୍ୟନ୍ତ ଏମାନଙ୍କ ଗୋଟିଚାଳନା ଅନ୍ୟ ସବୁ ରାଜ୍ୟ ପାଇଁ ମଡ଼େଲ୍ ହୋଇଛି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ୟାସ୍ ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବା ବେଳେ ଓଡ଼ିଶାର ଉଦ୍ଧାର କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ। ସିଧା ସିଧା କହିଥିଲେ, ଅନ୍ୟ ସବୁ ରାଜ୍ୟରେ ଏ ଉଦ୍ୟମ ବିଶେଷ ସଫଳ ହେଉନାହିଁ। ଓଡ଼ିଶାରେ ଜନସାଧାରଣ ଓ ପ୍ରଶାସନର ସମନ୍ବୟ ଅନ୍ୟ ସବୁ ରାଜ୍ୟ ପାଇଁ ଗୋଟିଏ ମଡ଼େଲ୍। ବାତ୍ୟ ମୁକାବିଲା କ୍ଷେତ୍ରରେ ଆଇଏମ୍‌ଡିର ସ୍ପଷ୍ଟ ପୂର୍ବାନୁମାନ ନ ଥିବା ସତ୍ତ୍ବେ ଏକକାଳୀନ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲା ପାଇଁ ପ୍ରଶାସନର ପ୍ରସ୍ତୁତି ନକ୍ସା, ବଡ଼ ବିପର୍ଯ୍ୟୟକୁ ଏଡ଼ାଇବାରେ ସକ୍ଷମ ହୋଇଛି।

ଯେତେବେଳେ ‘ତାଉ-ତେ’ ବାତ୍ୟା ପ୍ରଭାବରେ ଅନ୍ୟ ସବୁ ରାଜ୍ୟରେ ବହୁ ଲୋକଙ୍କ ପ୍ରାଣହାନି ଘଟିଛି, ଗୁଜରାଟ, ମହାରାଷ୍ଟ୍ର ଭଳି ସମୃଦ୍ଧ ରାଜ୍ୟ ମୁକାବିଲା କରିବାରେ ବିଶେଷ ସଫଳ ହୋଇପାରିନାହାନ୍ତି, ସେବେ ଓଡ଼ିଶାରେ ବାତ୍ୟାରେ ଗୋଟିଏ ଦୁଇଟି ଘଟଣା ଛାଡ଼ିଦେଲେ ପାଖାପାଖି ୭ଲକ୍ଷ ଲୋକଙ୍କର ଜୀବନକୁ ପ୍ରଶାସନ ଯେଭଳି ବିପଦ ମୁହଁରୁ ଛଡ଼ାଇ ଆଣିଲା, ତାହା କିଛି କମ୍ ଗୌରବର କଥା ନୁହେଁ। ନିଜେ ଏସ୍‌ଆର୍‌ସି ଶ୍ରୀ ଜେନା କୋଭିଡ୍ ଶଯ୍ୟାରୁ ଉଠି ସିଧାସଳଖ ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟଶାସନ ସଚିବଙ୍କ ନେତୃତ୍ବରେ ପ୍ରଶାସନ ସମୁଦାୟ ପ୍ରସ୍ତୁତି କରିଥିଲା।

ଠିକ୍ ସେମିତି କୋଭିଡ୍ ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ବେଶ୍ ଉଲ୍ଲେଖଯୋଗ୍ୟ। ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଭାରତର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆପାତତଃ ବିଫଳ ହୋଇଛନ୍ତି। ଅକ୍ସିଜେନ୍ ଅଭାବରୁ ଜଣେ ବି ଲୋକଙ୍କର ପ୍ରାଣହାନି ଖବର ଏଯାଏ ଆସିନାହିଁ। ଶଯ୍ୟା ଅଭାବ ସ୍ଥିତି ବି ସେଭଳି ଉତ୍କଟ ହୋଇନାହିଁ। ବରଂ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ କୋଭିଡ୍‌ର ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଦେଶର ପ୍ରମୁଖ ଚିକିତ୍ସା ବିଜ୍ଞାନୀଙ୍କୁ ନେଇ ଗଠନ ପରାମର୍ଶଦାତା ମଣ୍ଡଳୀ ସହିତ ନବୀନ ଇତିମଧ୍ୟରେ ପ୍ରଥମ ବୈଠକ କରିସାରିଛନ୍ତି।

ସବୁଠାରୁ ବଡ଼ କଥା ହେଲା, ନିର୍ବାଚନ ସଂକ୍ରମଣ ବୃଦ୍ଧି ଦିଗରେ ଏକ ବଡ଼ ଆୟୁଧ ହୋଇଥିବା ନେଇ ଭାରତ ବର୍ଷରେ ବିତର୍କ ଚାଲିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନରେ ପ୍ରଚାର କରିବେ ନାହିଁ ବୋଲି ନିଜେ କେବଳ ନିଷ୍ପତ୍ତି ନେଲେ ତା ନୁହେଁ, ଦଳର ନେତାମାନେ ମଧ୍ୟ ପ୍ରଚାରକୁ ଯିବେ ନାହିଁ ବୋଲି ଯେଉଁ କଟକଣା ଜାରି କଲେ, ତାହା ଅନ୍ୟ ରାଜନୈତିକ ଦଳ ପାଇଁ ଗୋଟିଏ ଶକ୍ତ ଉଦାହରଣ ହୋଇ ସବୁଦିନ ଲାଗି ରହିବ।

ଏଠାରେ ଉଲ୍ଲେଖଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ବି ଓଡ଼ିଆ ଅଫିସରଙ୍କ ପ୍ରଦର୍ଶନ ବେଶ୍ ଉଲ୍ଲେଖନୀୟ ରହିଛି। ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ପି କେ ମିଶ୍ରଙ୍କ ଠାରୁ ଆରମ୍ଭ କରି ବିମାନ ଚଳାଚଳ ମନ୍ତ୍ରାଳୟର ପ୍ରମୁଖ ଯୋଜନା ଉଡାନ୍‌ରେ ଓଡ଼ିଆ ଆଇଏଏସ୍ ଉଷା ପାଢୀଙ୍କ ପର୍ଯ୍ୟନ୍ତ, ପାଣିପାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଠାରୁ ଏନଡିଆର୍‌ଏଫ୍ ଏସ୍ ଆର୍ ପ୍ରଧାନଙ୍କ ପର୍ଯ୍ୟନ୍ତ ଓଡ଼ିଆ ଅଫିସରମାନେ ହିଁ ମୋଦୀଙ୍କୁ ସଫଳତା ଦେଇଛନ୍ତି।

Leave A Reply

Your email address will not be published.