ସ୍ନାନ ବେଦୀରେ ଚତୁର୍ଧାମୂର୍ତ୍ତି
ଜ୍ୟେଷ୍ଠ ପୂର୍ଣ୍ଣିମା ମହାପ୍ରଭୁଙ୍କ ଆବିର୍ଭାବ ଦିବସ
- ରାତି ୧ଟ ୫୦ରେ ଆରମ୍ଭ ହୋଇଥିଲା ପହଣ୍ଡି, ୪ଟା ୫୦ରେ ମଙ୍ଗଳ ଆଳତି
- ୧୦୮ ଗରା ସୁବାସିତ ଜଳରେ ଆଜି ପ୍ରତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁ
- ଭାଙ୍ଗିଯାଇଛି ସରଘର, ଅସ୍ଥାୟୀ ଘରେ ଅଧିବାସ କାର୍ଯ୍ୟ ଶେଷ ହୋଇଛି
- ବିନା ଭକ୍ତରେ ମହାପ୍ରଭୁଙ୍କ ଆଜି ହାତୀ ବେଶରେ ଦର୍ଶନ ଦେବେ
- ଗଜପତି ମହାରାଜା ଆସିବେନି, ମୁଦିରସ୍ତଙ୍କ ଦ୍ବାରା ହେବ ଛେରାପହଁରା ନୀତି
- ଆଜି ଦାରୁବ୍ରହ୍ମ ରୂପରେ ଉଭା ହୋଇଥିଲେ ମହାପ୍ରଭୁ, କେହି କେହି ଉଭା ଦିବସ କହିଥାନ୍ତି
ଭୁବନେଶ୍ୱର: ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀରେ ରତ୍ନ ସିଂହାସନ ଛାଡ଼ି ମହାପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ଆଜି ସ୍ନାନବେଦୀରେ ଉଭା ହୋଇଛନ୍ତି। ରାତି ୧ଟା ୪୦ମିନିଟ୍ରେ ମହାପ୍ରଭୁଙ୍କର ମଙ୍ଗଳାର୍ପଣ କରାଯାଇଥିଲା। ପରେ ୧ଟା ୫୦ରେ ଡୋର ଲାଗି, ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ପହଣ୍ଡି ଆରମ୍ଭ ହୋଇଥିଲା। ରାତି ୩ଟା ୩୦ମିନିଟ୍ରେ ତିନି ଠାକୁର ପହଣ୍ଡିରେ ଆସି ସ୍ନାନବେଦୀରେ ଉଭା ହୋଇଥିଲେ। ୪ଟା ସୁଦ୍ଧା ରୁନ୍ଧା କାର୍ଯ୍ୟ ସମାହିତ ହୋଇଥିଲା। ୪ଟା ୧୫ମିନିଟ୍ରେ ମଦନ ମୋହନ ବିଜେ ହୋଇଥିଲେ। ଆଜି ଭୋର ୪ଟା ୫୦ମିନିଟ୍ରେ ମହାପ୍ରଭୁଙ୍କର ମଙ୍ଗଳଆଳତି ସମାପନ ପରେ ଏବେ ନୀତି ବଢ଼ୁଛି।
୧୦୮ ଗରା ସୁବାସିତ ଜଳେ ମହାପ୍ରଭୁ ସ୍ନାନ କରିବା ପରେ ପୂର୍ବାହ୍ନ ୧୧ଟା ସୁଦ୍ଧା ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେବେ। ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ବୋଲି ସୂଚନା ମିଳୁଛି। କୋଭିଡ୍ ପରିପ୍ରେକ୍ଷୀରେ ବିନା ଭକ୍ତରେ ମହାପ୍ରଭୁଙ୍କର ଆଜି ସ୍ନାନ ଯାତ୍ରା ସମାହିତ ହେଉଛି। ଗତକାଲି ରାତିରୁ ପୁରୀ ଶ୍ରୀମନ୍ଦିର ଚାରିପାଖ ସଂଲଗ୍ନ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
ଏଠାରେ ଉଲ୍ଲେଖଥାଉକି, ଶ୍ରୀମନ୍ଦିର ବ୍ୟବସ୍ଥାରେ ସ୍ନାନଯାତ୍ରା ପଛର ତତ୍ତ୍ୱ ଓ ତଥ୍ୟ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବୀ ବୋଲି ବିବେଚନା କରାଯାଇଥାଏ । ପ୍ରାଚୀନ ଗ୍ରନ୍ଥର ତଥ୍ୟ ଅନୁସାରେ, ଜ୍ୟେଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ସ୍ନାନ ପୂର୍ଣ୍ଣିମା ଦିନକୁ ମହାପ୍ରଭୁଙ୍କର ଆବିର୍ଭାବ ଦିବସ ବୋଲି କୁହାଯାଇଥାଏ । କେହି କେହି ଶ୍ରୀ ବିଗ୍ରହଙ୍କର ପ୍ରତ୍ୟକ୍ଷ ସ୍ନାନ ଦେଖିବାକୁ ଆସିଥାନ୍ତି ଓ ଆଉ କେହି ଏହାକୁ ମଞ୍ଚା ସ୍ନାନ ବୋଲି କହିଥାନ୍ତି।
ଜନଶ୍ରୁତି ଅଛି, ଭାରତବର୍ଷର ସବୁ ତୀର୍ଥ ସ୍ଥାନକୁ ଜଳ ଆଣି ଏକଦା ଶ୍ରୀଜିଉମାନଙ୍କର ଏହି ସ୍ନାନ ବିଧି ସମ୍ପର୍ଣ୍ଣ ହେଉଥିଲା । ପରେ ଏହା କଷ୍ଟସାଧ୍ୟ ହେବାରୁ ଏହି ସୁନା ପାତ୍ରରେ ଆସୁଥିବା ଏହି ଜଳକୁ ଦେବୀ ଶୀତଳାଙ୍କ ମନ୍ଦିର ସମ୍ମୁଖ କୂଅରେ ବୁଡାଇ ରଖାଯାଇଥିଲା । ସେବେଠାରୁ ଏହାକୁ ସୁନା କୂଅ (ଗୋଲେଇ ପାଞ୍ଚ ଫୁଟ, ଗଭୀର ୮୦ ଫୁଟ) ର ମାନ୍ୟତା ଦିଆଯାଇଛି ଓ ଏହି ଜଳକୁ ଅନ୍ୟ ଦିନ ବ୍ୟବହାର ନିଷିଦ୍ଧ ହୋଇଛି।
ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ୧୦୮ ଗରା ଜଳ କଢାଯାଇ ତାହାକୁୁ ଚୁଆ, ଚନ୍ଦନ, କର୍ପୁର ଆଦି ପକାଇ ଅଧିବାସ କରାଯାଇଥାଏ। ଏହାକୁ ଶ୍ରୀମନ୍ଦିର ପରିସରସ୍ଥ ସରଘରରେ ରଖାଯାଇଥାଏ । ସରଘର ଭାଙ୍ଗିଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନିର୍ମିିତ କରିପାରିନାହାନ୍ତି । ଏଥିପାଇଁ ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯାଉଛି ।
ବ୍ରହ୍ମପୁରାଣ ମତରେ, ସ୍ନାନ ପୂର୍ଣ୍ଣମୀରେ ବିଷ୍ଣୁଙ୍କର ସ୍ନାନ ସାର୍ବକାଳିକ। ଏହି ଦିନ ପ୍ରଭୁ ଦାରୁବ୍ରହ୍ମ ରୂପରେ ଅବତୀର୍ଣ୍ଣ ହୋଇଥିଲେ । ମହାସ୍ନାନ ବିଧାନ ଅନୁସାରେ, ସେବେ ସ୍ନାନଯାତ୍ରା କରାଯାଇଥିଲା । ନୀଳାଦ୍ରି ମହୋଦୟ କହେ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ମହାସ୍ନାନ ସଂପର୍କରେ ସୂଚାଇଥିଲେ । ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ଏହିଠାରୁ ଆରମ୍ଭ ହୋଇଥାଏ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗଡୁ, ଶ୍ରୀ ବଳଭଦ୍ରଙ୍କୁ ୩୩, ଦେବୀ ସୁଭଦ୍ରାଙ୍କୁ ୨୨ ଗଡୁ ଓ ସୁଦର୍ଶନଙ୍କୁ ୧୮ ଗଡୁ ସୁଗନ୍ଧିତ ଜଳରେ ସ୍ନାନ କରାଯାଇଥାଏ । ଏହି ଜଳ ସ୍ନାନ ପୂର୍ବରୁ ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ପୂଜା ହୋଇଥାନ୍ତି । ପୂଜା ପରେ ଅଭିମନ୍ତ୍ରିତ ଏହି ଜଳକୁ ରୂପା ପିଙ୍ଗଣରେ ଢଳାଯାଏ । ଏହା ପରେ ଶ୍ରୀଅଙ୍ଗ ସ୍ନାନ କରାଯାଇଥାଏ ।
ସ୍ନାନ ନୀତି ସମାହିତ ପରେ ପ୍ରଭୁଙ୍କୁ ପୁଷ୍ପାଳକ ଦିବ୍ୟ ବସ୍ତ୍ର, ପୁଷ୍ପମାଲ୍ୟ ଆଦି ପ୍ରଦାନ କରିଥାନ୍ତି । ୧୯୯୦ ମସିହା ପରଠାରୁ ପୁରୀ ଗଜପତି ମହାରାଜା ନିଜେ ଯାଇ ଛେରା ପହଁରା କରୁଥିଲେ। ଗଜପତି ଏହି ଦିନ ଶ୍ରୀନଅରରେ ଉପସ୍ଥିତ ରହି ବ୍ରତ ଉପବାସ କରିଥାନ୍ତି । ଗଜପତି ଅନୁପସ୍ଥିତ ଥିଲେ ମୁଦିରସ୍ତ ଏହି ସେବା ତୁଲାଇବାର ବିଧି ରହିଛି । ହେଲେ ଏବର୍ଷ ମଧ୍ୟ କୋଭିଡ୍ କାରଣରୁ ଗଜପତି ମହାରାଜା ଛେରାପହଁରା ନୀତି କରିବେ ନାହିଁ। ଏଣୁ ତାଙ୍କ ବଦଳରେ ମୁଦିରସ୍ତ ଏହି ଦାୟିତ୍ବ ତୁଲାଇବେ।