- ମୁଖ୍ୟମନ୍ତ୍ରୀ ଘରେ ରଥଯାତ୍ରା ଦେଖିଲେ, ପୁରୀ ବାସୀ ବି
- କାହା ସାହସରେ କିଛି ଲୋକ କର୍ଫ୍ୟୁ ନିୟମ ଭାଙ୍ଗିଦେଲେ
- ପ୍ରଶାସନ ଏଯାଏ ଗିରଫ ନ କରି ଚୁପ୍ ବସିଛି କାହିଁକି
- ବାହୁଡାରେ ବିଶୃଙ୍ଖଳା ଜଳ ଜଳ, ଅକଳରେ ସରକାର
- ପୁରୀରେ ସରକାର ବିରୋଧରେ ଅସନ୍ତୋଷ ବଢ଼ିଲା
ଭୁବନେଶ୍ବର: ପୁରୀରେ ରଥଯାତ୍ରା ଦିନ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଅନୁମତି ପାଇନଥିବା ବ୍ୟକ୍ତି କିଭଳି ସେଠାରେ ପହଞ୍ଚିଲେ? କିଏ ସେମାନଙ୍କୁ ମହାପ୍ରଭୁଙ୍କ ଯାଏ ଟାଣିନେଲା? ପ୍ରଶାସନ କିଭଳି ଏ ସଂପର୍କରେ ସୁରାକ ବି ପାଇଲେନି? କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ?
କର୍ଫ୍ୟୁ ନିୟମ ପାଳନରେପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କ ଟିମ୍ କିଭଳି ଅସମର୍ଥ ହେଲେ କି? ଯେତେବେଳେ ମହାପ୍ରଭୁଙ୍କ ରଥଯାତ୍ରା ନିର୍ବିଘ୍ନରେ ସମାହିତ ହେଲା, ସେବେ ଏମାନେ ସରକାରଙ୍କ ମୁଣ୍ଡରେ କାହିଁକି ବଦନାମ୍ ବୋଳିଦେଲେ?
ପୁରୀ ରଥଯାତ୍ରା ବେଳେ ଠିକାଦାର, ଖଣିମାଲିକ, ସଙ୍ଗୀତ ନିର୍ଦେଶକଙ୍କ ସମେତ କିଛି ଲୋକ କର୍ଫ୍ୟୁ ଭାଙ୍ଗିବା ଘଟଣାକୁ ନେଇ ଏମିତି ପ୍ରତିକ୍ରିୟା ପୁରୀ ସହରରେ ପ୍ରକାଶ ପାଇଲାଣି। ଗତକାଲି ଏ ପ୍ରସଙ୍ଗରେ ଭଏସ୍ ଅଫ୍ କମନ୍ ମ୍ୟାନ ପକ୍ଷରୁ ଆବାହକ ହେକ୍ଟର ମିଶ୍ର ଗୋଟିଏ ଏତଲା ଦେଇଛନ୍ତି, ଅନ୍ୟ ଏତଲାଟି ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଦିଆଯାଇଛି। କିନ୍ତୁ ଜିଲ୍ଲାରେ ଏହାକୁ ନେଇ ସରକାରଙ୍କ ବିରୋଧରେ ଏକ ବଡ଼ ମତ ଉଠିଲାଣି। ପଞ୍ଚକୋଶୀ ଲୋକମାନେ ତାତିଲେଣି। ଗୋଟିଏ ମତ ପ୍ରକାଶ ପାଉଛି, ଯଦି ଅନ୍ୟ ଅଞ୍ଚଳରୁ ଲୋକମାନେ ଆସି ଅଚିରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିପାରିଲେ, ତେବେ ଆମେ କାହିଁକି ଦେଖିବୁନି? ବାହୁଡାରେ ଆମକୁ କିଏ ଅଟକାଇବ ଦେଖିବା? ବଡ଼ଦାଣ୍ଡରେ ଘର କରି ରହିଥିବା ଲୋକମାନେ ଯେବେ ବାଲକୋନୀରେ ରଥ ଦେଖିବା ମନା, ସେବେ ବାଲକୋନୀରୁ ଇସ୍କନ ଭକ୍ତ କିଭଳି ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କଲେ? ଏସବୁ ପ୍ରସଙ୍ଗ ଏବେ ପୁରୀ ପ୍ରଶାସନ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜ ସୃଷ୍ଟି କଲେଣି। ସ୍ଥିତି ଏତେ ଗମ୍ଭୀର ରୂପ ଧାରଣ କରୁଛି ଯେ ବାହୁଡା ପୂର୍ବରୁ ସରକାର ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପରିସ୍ଥିତି ବିପଜ୍ଜନକ ହୋଇପାରେ।
ମହାପ୍ରଭୁଙ୍କ ରଥଯାତ୍ରାର ପୂର୍ବ ଦିନ ଠାରୁ ଅର୍ଥାତ୍ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏ ପୁରୀ ସହରରେ କର୍ଫ୍ୟୁ ଜାରି କରାଯାଇଥିଲା। ଲୋକଙ୍କୁ ପ୍ରଶାସନ ସିଧା କହିଥିଲା, କେହି ବାହାରକୁ ବାହାରି ପାରିବେ ନାହିଁ। ଏହାକୁ ପୁରୀ ବାସୀ ମାନିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ମୁଖ୍ୟସଚିବ, ପୁଲିସ ଡିଜି ତାଙ୍କୁ ସାବାସୀ ଦେଇଛନ୍ତି। କିନ୍ତୁ ଯେବେ ଗଣମାଧ୍ୟମରେ ଜଣାପଡିଗଲା ଯେ ଅନେକ ବାହାର ଲୋକ ମଧ୍ୟ ରଥ କର୍ଡନ ଯାଏ ପହଞ୍ଚିଯାଇଥିଲେ, ସେବେ ଏହା ସ୍ଥାନୀୟ ଲୋକଙ୍କ ଅସନ୍ତୋଷକୁ ଦ୍ବିଗୁଣିତ କରିଛି। ଏହା ରାଜଧାନୀରେ ବି ପହଞ୍ଚିଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦେଖିବା ଲାଗି କାହା ମନ ନ ହୁଏ? ସେଇଥିପାଇଁ ତ ଲକ୍ଷ ଲକ୍ଷ ଭକ୍ତ (ସ୍ଥାନୀୟ ଅଞ୍ଚଳ ଠାରୁ ବିଶ୍ବର କୋଣ ଅନୁକୋଣ ଯାଏ) ପୁରୀରେ ଏକାଠି ହୋଇଥାନ୍ତି। ଗତବର୍ଷ ରଥଯାତ୍ରା ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇଥିଲେ ଯେ ରଥଯାତ୍ରାରେ କେବଳ ସେବକମାନେ ରହିବେ, ଆଉ କାହାକୁ ଅନୁମତି ଦିଆଯିବ ନାହିଁ। ରାଜ୍ୟ ସରକାର ଏହାକୁ କଡାକଡି ଅନୁପାଳନ ବି କଲେ।
ହେଲେ ବର୍ଷଟିଏ ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପୁରୀ ଜିଲ୍ଲା ପ୍ରଶାସନ କିଭଳି ଭାଙ୍ଗିଦେଲା ଏବଂ ଏ ପ୍ରସଙ୍ଗରେ ସମସ୍ତେ ନିରବ ରହିଗଲେ? ଯେବେ ମୁଖ୍ୟମନ୍ତ୍ରୀ ନିଜେ ନବୀନ ନିବାସରେ ଟିଭିରେ ରଥଯାତ୍ରା ଦେଖିଲେ, ସେବେ ତାଙ୍କ ଠାରୁ ଆଉ କିଏ ଏତେ ଗୁରୁତ୍ବପୂର୍ଣ୍ଣ ହେଲା ଯେ ତାଙ୍କୁ ପ୍ରଶାସନ ରଥପାଖରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସଂପର୍କରେ ଆଣିଲା? ନିୟମ ଅନୁସାରେ କର୍ଫ୍ୟୁ ଭାଙ୍ଗିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ହେବା କଥା। ଏଯାଏ ପୁରୀ ଜିଲ୍ଲାପାଳ ନିଜ ଆଡୁ ମାମଲା ରୁଜୁ କରି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି? କର୍ଫ୍ୟୁ ଭାଙ୍ଗିଲେ ଦୋଷାବହ, ଏ ନିୟମଟି ଦେଶରୁ ଉଠିଗଲା କି?
ଏବେ ଯେବେ ପୁରୀରେ ଅସନ୍ତୋଷ ବଢିଲାଣି ଓ ଲୋକେ ବାହୁଡାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ବୋଲି ପାଗ ଭିଡିଲେଣି, ସେବେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ କିଏ ଦାୟୀ ହେବ? ରାଜ୍ୟ ସରକାର ସୁପ୍ରିମକୋର୍ଟ କାଠଗଡାକୁ ଟାଣି ହୋଇଯିବେ ନା ନାହିଁ? କାହା ଚାପରେ ପ୍ରଶାସନ ଚପିଗଲା? କେଉଁ ପରିସ୍ଥିତିରେ ଏସପି ଓ ଜିଲ୍ଲାପାଳ ନିୟମକୁ ବିଗାଡିଦେଲେ?
ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ପ୍ରସଙ୍ଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ରାଜ୍ୟବାସୀଙ୍କ ମନରେ ଯେ କେବେ ଆଘାତ ଲାଗିବ ତାହା ନୁହେଁ, ବରଂ ଦୋଷୀଙ୍କୁ ସୁରକ୍ଷା ଦେଇଥିବା ଅଭିଯୋଗରେ ସରକାର କାଠଗଡାକୁ ଚାଣି ଆସିପାରନ୍ତି। ଏହି ଭିଡ଼ିଓ ଚିତ୍ର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇପାରେ।