ଭୁବନେଶ୍ବର: ଭାରତର ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ 2022 ରେ ଶେଷ ହେବ। ୨୦୨୨ ଜୁଲାଇ ଅର୍ଥାତ୍ ଆଉ ବର୍ଷକ ପରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ। ଆଜି ଦିନର ଚିତ୍ର ହେଉଛି, ବିଜେପି ହାତରେ ରାଷ୍ଟ୍ରପତି ପଦବି ରହିବ ,କିନ୍ତୁ ଟିକେ ଅଧିକ କସରତ ଦରକାର। ରାଷ୍ଟ୍ରପତି ନିର୍ବାଚନ ଲାଗି ଆବଶ୍ୟକ ଭୋଟ ଏବେ ବି ବିଜେପି ପାଖରେ ନାହିଁ।
ଯଦିଓ ଲୋରସଭାରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି, ତଥାପି ଦଳ ଅନେକ ସହଯୋଗୀଙ୍କୁ ହରାଇ ସାରିଛି। ୨୦୧୮ ପରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି), ମହାରାଷ୍ଟ୍ରର ଶିବସେନା ଏବଂ ପଞ୍ଜାବର ଶିରୋମଣି ଅକାଳୀ ଦଳ ଏନଡିଏରୁ ସଂପର୍କ ତୁଟାଇ ଦେଇଛନ୍ତି। ଏଣୁ ଉତ୍ତରପ୍ରଦେଶ ନିର୍ବାଚନ ଏ କ୍ଷେତ୍ରରେ ବିଜେପି ଲାଗି ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ୨୦୧୭ ତୁଳନାରେ ସେଠାରେ ୨୦୨୨ ନିର୍ବାଚନରେ ଅଧିକ ସିଟ୍ ହାତେଇବାକୁ ହେବ। କମିଲେ, ଦଳକୁ ଅନ୍ୟମାନଙ୍କୁ ହାତ ପାତିବାକୁ ହେବ।
ରାଷ୍ଟ୍ରପତିଙ୍କୁ ଉଭୟ ସାଂସଦ ଏବଂ ବିଧାୟକମାନେ ଭୋଟ ଦେଇଥାନ୍ତି। ରାଷ୍ଟ୍ରପତି ନିର୍ବାଚନ ଲାଗି ମୋଟ ଭୋଟର ମୂଲ୍ୟ ୧୦ ଲକ୍ଷ ୯୮ ହଜାର ୯୦୩। ଯେଉଁ ପ୍ରାର୍ଥୀ ଏହାର ଅଧା ଅର୍ଥାତ୍ ୫ ଲକ୍ଷ ୪୯ ହଜାର ୪୫୨ ମୂଲ୍ୟର ଭୋଟ ପାଇବେ ସେ ଜିତିବେ। ଆଜି ଦିନରେ ବିଜେପି ହାତରେ ୪ଲକ୍ଷ ୭୪ ହଜାର ୧୦୨ ମୂଲ୍ୟର ଭୋଟ ରହିଛି। ପୂରା ଏନଡିଏକୁ ବିଚାରକୁ ନେଲେ ଏହାର ପରିମାଣ ୫ଲକ୍ଷ ୪୩ ହଜାର ୬୨, ଅର୍ଥାତ୍ ୪୯.୯୫ ପ୍ରତିଶତ। ଆଉ ୦.୦୫% ଭୋଟ ବିଜେପିକୁ ଦରକାର। କିନ୍ତୁ ଜଟିଳତା ହେଲା, ଉତ୍ତରପ୍ରଦେଶରେ ଯଦି ବିଧାୟକଙ୍କ ସଂଖ୍ୟା କମିବ, ତେବେ ଏହି ସଂଖ୍ୟା ଏପଟସେପଟ ହେବ।
ସୂତ୍ର ଅନୁସାରେ, ଲୋକସଭା ଓ ରାଜ୍ୟସଭାରେ ଜଣେ ସାଂସଦଙ୍କ ଭୋଟର ମୂଲ୍ୟ ୭୦୮ ଅଟେ। କିନ୍ତୁ ବିଧାନସଭାରେ ଏହି ସଂଖ୍ୟା ଅଲଗା। ରାଜ୍ୟର ମୋଟ ଲୋକସଂଖ୍ୟା (୧୯୭୧ ଜନଗଣନା ଅନୁସାରେ), ମୋଟ ଆସନକୁ ବିଭାଜନ କରିବା ପରେ ୧୦୦୦ରେ ଗୁଣାଯିବ। ଏହା ହିଁ ସୂଚାଇବ, ସଂପୃକ୍ତ ରାଜ୍ୟରେ ଗୋଟିଏ ଭୋଟର ମୂଲ୍ୟ କେତେ? ଏହି କ୍ରମରେ ଉତ୍ତରପ୍ରଦେଶରେ ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବାଧିକ ୨୦୮ ଓ ସିକିମ୍ର ସର୍ବନିମ୍ନ ୭ ରହିଛି। ତାମିଲନାଡୁର ଜଣେ ବିଧାୟକଙ୍କ ମୂଲ୍ୟ ୧୭୬, ପଶ୍ଚିମବଙ୍ଗରେ ଏହି ସଂଖ୍ୟା ୧୫୧। ଝାଡଖଣ୍ଡରେ ଏହା ୧୭୬ ଓ ମହାରାଷ୍ଟ୍ରରେ ୧୭୫ରହିଛି।
ଏବେ ହିସାବ କଲେ ଦେଖାଯାଉଛି ଯେ ଲୋକସଭାରେ ବିଜେପିର ୩୩୪ ଜଣ ସଦସ୍ୟ ଅଛନ୍ତି। ବର୍ତମାନ ରାଜ୍ୟସଭାରେ ଥିବା ୨୩୨ ଜଣଙ୍କ ମଧ୍ୟରୁ ବିଜେପିର ୯୪କୁ ମିଶାଇ ଏନଡିଏର ୧୧୬ ସଦସ୍ଯ ଅଛନ୍ତି। ନିୟମ ଅନୁସାରେ, ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀଚ ସାଂସଦମାନେ ଭୋଟ ଦେଇପାରିବେ ନାହିଁ। ସେହିଭଳି ଦେଶର ମୋଟ ୪୦୩୩ଟି ବିଧାନସଭା ଆସନ ମଧ୍ୟରୁ ବିଭିନ୍ନ ରାଜ୍ୟରେ ଏନଡିଏର ୧୭୬୧ ଟି ଆସନ ରହିଛି। କିନ୍ତୁ ସମସ୍ୟାଟି ହେଲା, ଯେଉଁ ରାଜ୍ୟରେ ଭୋଟର ମୂଲ୍ୟ ଅଧିକ, ସେହି ରାଜ୍ୟରେ ବିଜେପିର ଉପସ୍ଥିତି ସେମିତି ବେଶୀ ନାହିଁ। ଏଣୁ ସଂଖ୍ୟା ଗରିଷ୍ଠତା ଠାରୁ ମୋଦୀ ୦.୦୫ ପ୍ରତିଶତ ପଛରେ ଅଛନ୍ତି।
ଆସନ୍ତାବର୍ଷ ରାଷ୍ଟ୍ରପତି ନିର୍ବାଚନ ଆଗରୁ ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଞ୍ଚଳରେ ନିର୍ବାଚନ ହେବ।ଏହି ପାଞ୍ଚଟି ରାଜ୍ୟ ୧,୦୩,୭୫୬ ଭୋଟ୍ ବା ରାଷ୍ଟ୍ରପତି ନିର୍ବାଚନରେ ମୋଟ ଚୟନକର୍ତ୍ତାଙ୍କ ପ୍ରାୟ ୧୦ ପ୍ରତିଶତ ମୂଲ୍ୟ ରଖୁଛି। ପଞ୍ଜାବକୁ ଛାଡି ଚାରିଟି ରାଜ୍ୟରେ ଏନଡିଏ କ୍ଷମତାରେ ଅଛି। କିନ୍ତୁ ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ଭୋଟ୍ ମୂଲ୍ୟ ଯଥାକ୍ରମେ ୨୦, ୧୮ ଏବଂ ୬୪ଅଟେ। ଏଗୁଡ଼ିକ ମଧ୍ୟ ଛୋଟ ରାଜ୍ୟ। ଗୋଆରେ କେବଳ ୪୦ ଜଣ ବିଧାୟକ ଅଛନ୍ତି। ମଣିପୁରରେ ୬୦ ଓ ଉତ୍ତରାଖଣ୍ଡରେ ୭୦ ଜଣ ବିଧାୟକ। ପଞ୍ଜାବର ୧୭ ବିଧାୟକଙ୍କ ପ୍ରତ୍ୟେକଙ୍କର ଭୋଟ୍ ମୂଲ୍ୟ ୧୧୬ ରହିଛି। କିନ୍ତୁ ଚାଷୀଙ୍କ ବିରୋଧ ଯୋଗୁଁ ଶିରୋମଣି ଅକାଳୀ ଦଳ ସହିତ ବିଜେପି ସଂପର୍କ ତୁଟିଯାଇଛି ଓ ଏହି ଅଶାନ୍ତି କାରଣରୁ ରାଜ୍ୟରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିବ। ଏ ମଧ୍ୟରୁ ଯେହେତୁ ପଞ୍ଜାବରେ ବିଜେପି ଭଲ କରିବା ସ୍ଥିତିରେ ନାହିଁ।
ଅନ୍ୟପକ୍ଷରେ ପ୍ରାୟ ୮୦ ପ୍ରତିଶତ କିମ୍ବା ୮୩, ୮୨୪ ଭୋଟ୍ ମୂଲ୍ୟ ଏକାକୀ ଉତ୍ତରପ୍ରଦେଶରେ ଅଛି। ଏବେ ସେଠାରେ ବିଜେପିର ୩୦୬ ଜଣ ବିଧାୟକ ଅଛନ୍ତି ଓ ଆପ୍ନା ଦଳର ୧୧ ଜଣ। ମୋଟ ଆସନର ୭୮ ପ୍ରତିଶତ ବିଜେପି ହାତରେ। ଏଠାରେ ଗୋଟିଏ ଆସନ ଦଳ ହାତଛଡା କରୁଛି ମାନେ ରାଷ୍ଟ୍ରପତି ନିର୍ବାଚନରେ ୦.୦୨ ପ୍ରତିଶତ ଭୋଟ କମି କମିଯିବ। ଏଣୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ବି ଏହି ରାଜ୍ୟରେ ବିଜେପିକୁ ଜିତିବାକୁ ହେବ ହିଁ ହେବ। ଅନ୍ୟଥା ବିଜେଡି, ଟିଆରଏସ୍ ପ୍ରମୁଖଙ୍କ ସମର୍ଥନ ଦରକାର।
ଆଉ ଯଦି ବିଜେପି ଉତ୍ତରପ୍ରଦେଶରେ ବଡ ବ୍ୟବଧାନରେ ଜିତେ, ତେବେ ରାଷ୍ଟ୍ରପତି ନିର୍ବାଚନରେ କେବଳ ସହଯୋଗୀ ଦଳଙ୍କ ଉପରେ ମୋଦୀଙ୍କ ନିର୍ଭରଶୀଳତା କମିବ, ତା ନୁହେଁ, ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବିଜେପି ବଡ଼ ଧରଣର ଅଭିଯାନ ଲାଗି ସାହସ ଜୁଟାଇବ। ଏଠାରେ ସରକାରକୁ ପତନ ମୁଖକୁ ଟାଣିନେବେ। ୨୦୧୭ରେ ଯେବେ ଉତ୍ତରପ୍ରଦେଶରେ ଦଳ ଭଲ ପ୍ରଦର୍ଶନ କରିଥିଲା,ସେବେ ବର୍ତ୍ତମାନର ସାଙ୍ଗ ଜେଡିୟୁ ଓ ବିଜେପି ମେଣ୍ଟ ତୁଟିଥିଲା, ଏକଥା ସମସ୍ତଙ୍କୁ ମନେ ରଖିବାକୁ ହେବ।
ଏଠାରେ ଉଲ୍ଲେଖଥାଉକି, ରାଷ୍ଟ୍ରପତି ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ୨୬ହଜାର ୨୫୦ ମୂଲ୍ୟ ଭୋଟ ଜଗନମୋହନଙ୍କ ଓ୍ବାଇଏସଆର କଂଗ୍ରେସ ପାର୍ଟି ପାଖରେ ଅଛି। ସେମାନେ ୧୫୦ ଟି ବିଧାନସଭା ଆସନ ପାଇଛନ୍ତି। ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ୧୯, ୮୨୪ ମୂଲ୍ୟର ଭୋଟ୍ ଥିବା ବେଳେ ଦଳର ୨୮ ଜଣ ସାଂସଦ ଅଛନ୍ତି। ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏମାନେ ବିରୋଧୀ ଦଳରେ ଥିଲେ। ସେମାନଙ୍କ ସଂଖ୍ୟା କମ୍ ଥିଲା। ତଥାପି ଦଳ ଏନଡିଏ ପ୍ରାର୍ଥୀ ରାମ ନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲା।
ପଡୋଶୀ ତେଲେଙ୍ଗାନାରେ, କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ୧୦୩ ଜଣ ବିଧାୟକ ଅଛନ୍ତି ଓ ଏମାନଙ୍କର ଭୋଟ ମୂଲ୍ୟ ୧୩ ହଜାର ୫୯୬। ଟିଆରଏସର ୧୬ ଜଣ ସାଂସଦ ଅଛନ୍ତି ଓ ସଂସଦରେ ସେମାନଙ୍କ ଭୋଟ ମୂଲ୍ୟ ହେଉଛି ୧୧, ୩୨୮। ପୂର୍ବ ନିର୍ବାଚନରେ ଦଳ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା।
ସେହିଭଳି ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜୁ ଜନତା ଦଳ ବିଧାୟକଙ୍କ ପାଖରେ ୧୬ହଜାର ୮୩୭ ଭୋଟ ଅଛି। ଦଳର ୨୧ ଜଣ ସାଂସଦ ଅଛନ୍ତି ଓ ସେମାନଙ୍କ ଭୋଟ ମୂଲ୍ୟ ୧୪, ୮୬୮। ବିଜେଡି ହେଉଛି ଅନ୍ୟ ଏକ ଦଳ ଯିଏକି ଗତ ନିର୍ବାଚନରେ ଏନଡିଏକୁ ସମର୍ଥନ କରିଥିଲେ।
ଏମାନେ ସମସ୍ତେ ଏକାଠି ହେଲେ ମୋଦୀଙ୍କୁ ଅତିରିକ୍ତ ୯ରୁ ୧୦ ପ୍ରତିଶତ ଭୋଟ୍ ସାହାଯ୍ୟ କରିପାରିବେ, ଯାହା ଏନଡିଏକୁୁ ଏକ ବଡ଼ ଭୋଟ ବ୍ୟବଧାନରେ ଜିତାଇବ ଓ ବିରୋଧୀଙ୍କ ପ୍ରଭାବକୁ ମଧ୍ୟ ନିଷ୍ପ୍ରଭ କରିପାରେ।
ରାଜନୈତିକ ରଣନୀତିକାରଙ୍କ କହିବା କଥା ହେଉଛି, ଯେହେତୁ ମୋଦୀ ଏୂବେ ନବୀନ, ଚନ୍ଦ୍ରେଶଖର, ଜଗନଙ୍କ ସହିତ ଭଲ ସଂପର୍କ ରଖିଛନ୍ତି, ଏଣୁ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ୧୦୦ ଆସନ ହରାଇଲେ ବି ରାଷ୍ଟ୍ରପତି ନିର୍ବାଚନ ଜିତିବ। ତେଣିକି ପ୍ରଶାନ୍ତକିଶୋର କେତେ ବି ଚାଲ୍ ଖେଳନ୍ତୁ। କିନ୍ତୁ ଯଦି ଏସବୁ ରାଜ୍ୟ କେନ୍ଦ୍ର ବିରୋଧରେ ଆଗୁଆ ଯୁଦ୍ଧ ଘୋଷଣା କରିଦେଲେ ଓ ଉତ୍ତରପ୍ରଦେଶ ଭୋଟ ଗଣିତ ବିଗିଡିଯିବ, ତେବେ ସ୍ଥିତି ଗମ୍ଭୀର ହୋଇପାରେ।
ଏଠାରେ ଉଲ୍ଲେଖଥାଉକି, ୨୦୨୨ ଜୁଲାଇ ସୁଦ୍ଧା ୬ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୪୧ଟି ରାଜ୍ୟସଭା ଆସନ ଖାଲିପଡିବ। ସେସବୁ ଆସନ ଆସାମ, ତ୍ରିପୁରା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡୁ, ଛତିଶଗଡ ଭଳି ରାଜ୍ୟରେ ଅଛି। ଏଠାରେ ବିଧାୟକମାନଙ୍କ ସଂଖ୍ୟା ଯାହା ରହିଛି, ସେଥିରେ ବିଜେପି ବା ଏନଡିଏର ବିଶେଷ କିଛି ଫାଇଦା ନାହିଁ।