ପ୍ରମୁଖ ଖବର

ରାଜ୍ୟ ସରକାର ଆଜି ୯୪୧ ଜଣ ଅଗ୍ନିଯୋଦ୍ଧାକୁ ନିଯୁକ୍ତି ଦେଇଛନ୍ତି
ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ
ରାପୁଟ ଘରୋଇ ବସ୍‌ ମାଲିକ ସଂଘ ସଭାପତି ଶେଖ କାସିମଙ୍କୁ ଛୁରୀରେ ଆକ୍ରମଣ

ସନ୍ଦେହରେ ଏବେ ମନ୍ତ୍ରୀଙ୍କ ଦପ୍ତର! ତଥାପି ସୁରକ୍ଷା!!

0

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଲାଗି କୁନ୍ଥକୁନ୍ଥ କାହିଁକି?

ଅଭୟ, ବିରଞ୍ଚି, ଦୀପ୍ତିଙ୍କ ଗଡ୍‌ଫାଦରମାନଙ୍କୁ କ’ଣ ସରକାରରେ ସୁରକ୍ଷା ମିଳିବ?

ଜଣେ ଜଣେ ବାବୁ ଏତେ ବର୍ଷ ଧରି କେବଳ ମନ୍ତ୍ରୀଙ୍କ ପିଏସ୍ କେମିତି ରହୁଛନ୍ତି?

ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ, ସଦସ୍ୟଙ୍କୁ ସରକାର ବରଦାସ୍ତ କରିବେ କି?

ନିରଞ୍ଜନ ଓ ସମୀର ସିନା ଚୁପ୍, ଗାଁ ଗଣ୍ଡାର ଆଲୋଚନା ଗୁଇନ୍ଦା ଜଣାଉନି କି?

ଦୁର୍ନୀତିର ଛାଇ ପଡିଲେ କାର୍ଯ୍ୟାନୁଷ୍ଠାନ ନେଉଥିବା ସରକାର କଣ ବଦଳିଗଲେ?

ଭୁବନେଶ୍ବର: ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ବରଖାସ୍ତ ଫାଇଲ୍ ଯେବେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟର ଏ ଟେବୁଲରୁ ସେ ଟେବୁଲ୍କୁ ବୁଲୁଥିଲା, ସେବେ ସେଠାରେ ଥିବା ସମସ୍ତ ଅଧିକାରୀ ଗୋଟିଏ କଥା ଦେଖି ତାଜୁବ୍ ହୋଇଥିଲେ। ସିସିଆରରେ ସବୁବେଳେ ଆଉଟଷ୍ଟାଣ୍ଡିଂ ଦିଆଯାଇଥିବା ଏହି ଅଧିକାରୀ ହଠାତ୍ କେମିତି ଦୁର୍ନୀତିଗ୍ରସ୍ତ ହୋଇଗଲେ? ଯେଉଁ ଅଧିକାରୀଙ୍କୁ ଫି ବର୍ଷ ଢେର୍ ସାରା ପ୍ରଶଂସା ମିଳିଛି, ସେ ବାବୁ ଜଣଙ୍କୁ ସରକାର ଚାକିରିରେ ଗୋଟିଏ ବି ମୁହୂର୍ତ ବରଦାସ୍ତ କରିବାକୁ ଚାହୁଁନାହାନ୍ତି,ବରଂ ତୁରନ୍ତ ବରଖାସ୍ତ ଲାଗି ଚାପ ସୃଷ୍ଟି କରାଯାଉଛି କେମିତି? ତତ୍କାଳୀନ ମୁଖ୍ୟଶାସନ ସଚିବ ଯେଉଁ ଦୁଇ ତିନି ଥର ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି, ତାଙ୍କୁ ବି ସମାନ ପ୍ରଶ୍ନ ସାମ୍ନା କରିବାକୁ ପଡିଥିଲା?

ଆଜି ଦିନରେ ବି ନୂଆଦିଲ୍ଲୀର ବ୍ୟୁରୋକ୍ରାଟ୍ସମାନେ ଏ ପ୍ରସଙ୍ଗରେ ଉଠିବା ମାତ୍ରେ ଏକଥା ଆଲୋଚନା କରୁଛନ୍ତି। ସେବେର ମୁଖ୍ୟଶାସନ ସଚିବ ହୁଅନ୍ତୁ କି ବର୍ତ୍ତମାନର, ଏ ଉତ୍ତରଟି ରାଜ୍ୟବାସୀଙ୍କ ସାମ୍ନାରେ ଏମାନେ ରଖିପାରିନାହାନ୍ତି। ସରକାରର ଭାବମୂର୍ତିକୁ ଏମାନେ ସୁରକ୍ଷା ଦେଇପାରିନାହାନ୍ତି। ଏହି ଘଟଣା ସହିତ ଯେଉଁ ଗୋଟିଏ ସତ ବାହାରକୁ ଚାଲଆସିଛି, ତାହା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପ୍ରଶାସନ ଗୋଟିଏ ରାସ୍ତାରେ ନାହାନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କ କଥାକୁ ବିଶ୍ବାସ କରାଯାଏ ଓ ରାଜ୍ୟରେ ସେ ସ୍ବଚ୍ଛତା ପାଇଁ ପ୍ରତିବଦ୍ଧ ବୋଲି କୁହାଯିବ, ତେବେ ଏକଥା ବି ସ୍ବୀକାର କରିବାକୁ ହେବ ଯେ ତାଙ୍କ ସରକାରର ପ୍ରଶାସନିକ ବଡପଣ୍ଡାମାନେ ଦୁର୍ନୀତିଗ୍ରସ୍ତଙ୍କୁ ନିଜ ପାଖରେ ଆଶ୍ରୟ ଦେଇଛନ୍ତି, ସମର୍ଥନ କରୁଛନ୍ତି ଓ ଉପରସ୍ତରକୁ ଯିବା ଲାଗି ବାଟ କଢାଇବାକୁ ପ୍ରସ୍ତୁତ। ଏମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଇଛନ୍ତି? ଯିଏ ଅଭୟ ପାଠକଙ୍କୁ ଯେଉଁମାନେ ସିସିଆର୍‌ରେ ଆଉଟ୍‌ଷ୍ଟାଣ୍ଡିଂ ଦେଇଥିଲେ, ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ, ତାଙ୍କ ସଚିବ (୫ଟି) ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କି ପଦକ୍ଷେପ ନେଇଛନ୍ତି, ରାଜ୍ୟବାସୀ ଏକଥା ଏଯାଏ ଜାଣିପାରିଲେ ନାହିଁ।

ଏହି ପ୍ରସଙ୍ଗ ଯେବେ ରାଜରାସ୍ତାରେ ଆଲୋଚନା ଭିତରେ ଅଛି, ,ସେବେ ସେହି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ କରିତକର୍ମା ପିଏସ୍ ଦୀପ୍ତିରଂଜନ ବେହେରାଙ୍କୁ ରାତି ଅଧିଆ କୋରାପୁଟ ଜିଲ୍ଲାକୁ ସ୍ଥାନାନ୍ତର କରାଗଲ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନର ପ୍ରଭାବଶାଳୀ ବିରଞ୍ଚି ସାହୁଙ୍କ ଘରେ ବି ଭିଜିଲାନ୍ସ ରେଡ୍ କଲା। କାଳତାଳୀୟ ନ୍ୟାୟରେ ଉଭୟ ଘଟଣାରେ ବି ଭିଜିଲାନ୍ସର ଭୂମିିକା ରହିଛି। ରାଜ୍ୟ ଭିଜିଲାନ୍ସ ବିଭାଗ କେଉଁଆଡୁ କେମିତି ତଦନ୍ତ କରୁଛି, ତାଙ୍କୁ ଜଣା।

ହେଲେ ଯେଉଁ ପ୍ରସଙ୍ଗଟି ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଉଛି, ତାହା ହେଲା ବିରଞ୍ଚିଙ୍କ ପାଇଁ ଷ୍ଟାଫ୍ ସିଲେକ୍ସନ କମିସନ ଓ ସେ କରୁଥିବା ସବୁ ପରୀକ୍ଷା ଯେମିତି ସନ୍ଦେହ ଭିତରକୁ ଆସିଗଲା, ଠିକ୍ ସେମିତି ଦୀପ୍ତିଙ୍କ ପାଇଁ ମନ୍ତ୍ରୀଙ୍କ ଦପ୍ତର ବି ଏବେ ସନ୍ଦେହ ବଳୟ ଭିତରେ। ସରକାରଙ୍କ ଗୋଟିଏ ବିଭାଗ ମୁଣ୍ଡରେ କଳଙ୍କର ଟିପା ଲାଗିଲା। ଉଭୟ ଘଟଣାରେ ଏକଥା ବି ସାମ୍ନାକୁ ଆସିଲା ଯେ ଅଭୟ ପାଠକଙ୍କ ଭଳି ଏମାନଙ୍କୁ କେଉଁଠି ନା କେଉଁଠି ସୁରକ୍ଷା ମିଳିଛି ଏବଂ ଦୁର୍ନୀତିକୁ ପ୍ରଶୟ ଦେବା ଲାଗି ସରକାରଙ୍କ ଗୋଟିଏ ଅଙ୍ଗ ଅତି ତତ୍ପରତାର ସହିତ କାର୍ଯ୍ୟ କରୁଛି।

ସେବେ ଯେମିତି ଅଭୟଙ୍କ ପାଠକଙ୍କ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ, ଏବେ ସେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ସୂତ୍ର ଆଧାରରେ ଉଭୟ (ଦୀପ୍ତିରଂଜନ ଓ ବିରଞ୍ଚି)ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ସାହସ ଦେଖାଇଥାଇପାରନ୍ତି, ହେଲେ ମନ୍ତ୍ରୀଙ୍କୁ ବରଖାସ୍ତ ଲାଗି ଆଗ୍ରହ ଦେଖାଇନାହାନ୍ତି। ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ ନିର୍ମଳ ମିଶ୍ର ଓ ଜଗନ୍ନାଥ ଲେଙ୍କା ଯେବେ ନିଜ ଆଡୁ ନୈତିକ ଉତ୍ତରଦାୟିତ୍ବ ମୁଣ୍ଡାଇ ପଦ ଛାଡିବା ଲାଗି ଯେବେ ଚାହୁଁନାହାନ୍ତି, ସେବେ ସରକାର ସେମାନଙ୍କୁ ବିଦା କରି ଭିଜିଲାନ୍ସ ସାମ୍ନାକୁ ଛାଡିବା ଲାଗି ଚାହୁଁନାହାନ୍ତି କି ଷ୍ଟାଫ୍ ସିଲେକ୍ସନ କମିସନ କାର୍ଯ୍ୟାଳୟରେ ସଂସ୍କାର ପାଇଁ କୌଣସି ଉଦ୍ୟମ କରୁନାହାନ୍ତି। ଏଣୁ ବୁଦ୍ଧିଜୀବୀ ମହଲ ସରକାରଙ୍କୁ ସନ୍ଦେହ କରିବାରେ କିଛି ଅସ୍ବାଭାବିକତା ନାହିଁ।

ମନ୍ତ୍ରୀଙ୍କ ଦପ୍ତରରେ କରିତକର୍ମା ଦୀପ୍ତି ଏତେ ଦିନ ଧରି ରହିଥିଲେ କେମିତି? ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବମାନଙ୍କର ବଦଳି ବ୍ୟବସ୍ଥା ସରକାରରେ ଅଛି ନା ନାହିଁ?ଜଣେ ଜଣେ ବାବୁ ଏ ମନ୍ତ୍ରୀଙ୍କ ପରେ ସେ ମନ୍ତ୍ରୀ, ସେ ମନ୍ତ୍ରୀଙ୍କ ପରେ ଅମୁକ ମନ୍ତ୍ରୀଙ୍କ ପାଖରେ କାହିଁକି ରହୁଛନ୍ତି? ସରକାର ସେମାନଙ୍କୁ ଜାଣିଶୁଣି ପ୍ରଶୟ ଦେଉନାହାନ୍ତି କି? ଏହି କରିତକର୍ମା ବାବୁମାନେ ଆଉ କିଛି କାମ ଜାଣନ୍ତି ନାହିଁ ନା ସିସିଆର୍ ଆଉଣ୍ଟଷ୍ଟାଣ୍ଡିଂ ପାଇଁ ଏହା ସବୁଠାରୁ ଭଲ କୌଶଳ? ଏହି କରିତକର୍ମା ବାବୁମାନଙ୍କ ଛଡା ଓଡ଼ିଶା ପ୍ରଶାସନରେ ଥିବା ଅନ୍ୟବାବୁମାନେ କଣ ମନ୍ତ୍ରୀଙ୍କ ଦପ୍ତର ଚଳାଇବାର କ୍ଷମତା ରଖନ୍ତି ନାହିଁ? ସଚିବାଳୟରେ ଏମିତି ଅନେକ ପିଏସ୍ ଅଛନ୍ତି, ଯେଉଁମାନେ ନବୀନ ପଟ୍ଟନାୟକଙ୍କ ସରକାରର ଦୁଇ ଦୁଇ ଥରର ଶାସନକାଳରେ ସେହିଠାରେ (ମନ୍ତ୍ରୀ କରିଡରରେ) ବୁଲୁଛନ୍ତି। ସେମାନଙ୍କୁ କାହିଁକି ସରକାର ପରିବର୍ତ୍ତନ କରୁନାହାନ୍ତି? ଯଦି ସଚିବାଳୟର ଦ୍ବିତୀୟ ମହଲା ଓ ପ୍ରଥମ ମହଲାରେ ଘଟୁଥିବା ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା ଜାଣିପାରୁନାହାନ୍ତି, ତେବେ ଓଡିଶାର କଳାହାଣ୍ଡି, କୋରାପୁଟ ସଂପର୍କରେ ସରକାର କିଛି ଖବର ପାଉଛନ୍ତି ନା ନାହିଁ?

ସର୍ବୋପରି ଯେବେ ପିଏସ୍ ଦୀପ୍ତିରଂଜନଙ୍କୁ ହଟାଗଲା, ସେବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କିଭଳି ସନ୍ଦେହ ବଳୟ ବାହାରେ ରହିଲେ। ଏକଥା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ଯେ ମିଥ୍ୟା ସତ୍ୟପାଠ ମାମଲାରେ ମନ୍ତ୍ରୀ ଶ୍ରୀ ଆରୁଖ ସାମିଲ ହୋଇ ଏକାଧିକ ଆବଣ୍ଟନର ସୁବିଧା ନେଇଥିଲେ। ତାଙ୍କୁ ଗୋଟିଏ ଫେରାଇବାକୁ ପଡିଥିଲା। ସେବେ ସତ୍ୟପାଠରେ ମିଥ୍ୟା ଲେଖିଥିବା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଇଥିଲେ। ଯେଉଁ ମୁଖ୍ୟମନ୍ତ୍ରୀ ଦୁର୍ନୀତିର ଛାଇ ପଡିଲେ ଗୋଟିଏ ସମୟରେ ମନ୍ତ୍ରୀମାନଙ୍କୁ ବିଦା କରିବାର ନଜିର ରହିଛି, ଯେଉଁ ମୁଖ୍ୟମନ୍ତ୍ରୀ ନିଜର ଦଳର ଅତି ଟାଣୁଆ ବିଧାୟକ ପ୍ରଦୀପ୍ତ ପାଣିଗ୍ରାହୀଙ୍କୁ ଦଳର ବାହାର ଦରଜା ଦେଖାଇଦେଲେ, ସେହି ମୁଖ୍ୟମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ କାହିଁକି ବରଦାସ୍ତ କରିଛନ୍ତି? ଏକଥା ମୁଖ୍ୟମନ୍ତ୍ରୀ ଭୁଲିଯାଉଛନ୍ତି କି ବିକ୍ରମ କେବଳ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ନାହାନ୍ତି। ସରକାରରେ ଓ ବିଧାନସଭାରେ ବିଶେଷ ଉତ୍ତରଦାୟିତ୍ବ ରଖୁଥିବା ସଂସଦୀୟ ବ୍ୟାପାର ବିଭାଗ ବି ତାଙ୍କ ହାତରେ ରହିଛି। ତାଙ୍କୁ ବିଦା କରିବାକୁ ଚାହୁଁନାହାନ୍ତି କି ବିଳମ୍ବ କରିବା ଅର୍ଥ ମୁଖ୍ୟମନ୍ତ୍ରୀ ନିଜର ସରକାରକୁ ସୂଅ ମୁହଁକୁ ଠେଲି ଦେଉଛନ୍ତି।

ଏକଥା ସତ ଯେ ବିରୋଧୀ ଦଳ ମୁହଁରେ ତୁଣ୍ଡି ବନ୍ଧା ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଂଗ୍ରେସ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବିଜେପି ପରୀ ଭଳି ମାମଲାରେ ରାଜ୍ୟକୁ ଉଠାପକା କରୁଥିଲେ। ହେଲେ କୌଣସି ଅଜ୍ଞାତ କାରଣରୁ ହୁଏତ ସରକାରରେ ଏତେ ବଡ ଘଟଣାରେ ନିରବ ଅଛନ୍ତି। କିନ୍ତୁ ଏହା ଅର୍ଥ ନୁହେଁ ଯେ ଓଡ଼ିଶାର ସାଧାରଣ ନାଗରିକର ସ୍ବର କେବଳ ଏହିମାନଙ୍କ ଦ୍ବାରା ସାମ୍ନାକୁ ଆସିବ। ସରକାରଙ୍କ ଗୁଇନ୍ଦା ନିଶ୍ଚିତ ଖବର ଦେଉଥିବ ଯେ ଏସବୁ ଘଟଣା ନବୀନ ପଟ୍ଟନାୟକଙ୍କ ଭାବମୂର୍ତିକୁ ବିପଦ ଆଡକୁ ଟାଣି ଟାଣି ନେଉଛି। ସାମାଜିକ ଗଣମାଧ୍ୟମ ଚେହେରାରେ ସରକାରଙ୍କୁ ସମାଲୋଚନା ଲାଗି ଏହା ଖୋରାକ ଯୋଗାଉଛି ଏବଂ ପ୍ରତି ଘରେ ପ୍ରସଙ୍ଗଗୁଡିକ ପଶୁଛି।

ଅନୁରୂପ ଭାବେ ଷ୍ଟାଫ୍ ସିଲେକ୍ସନ କମିସନ ଘଟଣାରେ ଯେଉଁ ବଡ କଥାଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିରବ ଅଛନ୍ତି, ତାହା ହେଲା, ଏହି କରିତକର୍ମା ବିରଞ୍ଚିଙ୍କ ଡେପୁଟସେନ୍ ମିଆଦ କେଉଁ ଅଧିକାରୀମାନେ ବଢାଇ ଚାଲିଥିଲେ? କେତେ ଥର ବୃଦ୍ଧି ହୋଇଛି? ସେମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଯାଏ କି କାର୍ଯ୍ୟାନୁଷ୍ଠାନ ନେଲାଣି? ସରକାରରେ ଏଭଳି ଯେତେ ଜଣେ ସମୟ ସୀମା ଅତିକ୍ରମ କରି ଡେପୁଟେସନରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଲାଗି ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପଦକ୍ଷେପ ନେଲେଣି କି? କାହିଁକି ନିର୍ଦିଷ୍ଟ ସମୟ ସୀମା ପରେ ରାଜ୍ୟ ସରକାରରେ ଶହ ଶହ କର୍ମଚାରୀ ଡେପୁଟେସନରେ ଅନ୍ୟ ସ୍ଥାନରେ ଅଛନ୍ତି? ବିଭିନ୍ନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ୫(ଟି) ପ୍ରଚଳନ କରିଥିବା ସ୍ବୀକାର କରିଛନ୍ତି। ଏଭଳି ବେନିୟମ କାର୍ଯ୍ୟକୁ ଅନୁମତି ଦେବା କଥା ୫(ଟି)ର କେଉଁ ସୂତ୍ର ବା ଧାରାରେ ଲେଖାଯାଇଛି? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେଉ କିମ୍ବା ମୁଖ୍ୟଶାସନ ସଚିବଙ୍କ ଦପ୍ତର ଏଠାରେ ଥିବା ବାବୁମାନେ ସରକାରରେ କାହାକୁ ଜଗିଛନ୍ତି?

ଏହି ବାବୁମାନଙ୍କର କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରୁନି ତ ଆଉ କଣ? ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ମୁଖ୍ୟମନ୍ତ୍ରୀ ନିଜ ଲୋକଙ୍କ କାର୍ଯ୍ୟ ଦ୍ବାରା ବେଶୀ ବଦନାମ ହେଉଛନ୍ତି। ଏମାନଙ୍କର ଆଚରଣ ଓ ଉଚ୍ଚାରଣରେ ସଂଯମତା ନାହିଁ। ଏମାନେ ସରକାରକୁ ବିପଦମୁକ୍ତ କରିବା ଲାଗି ମଧ୍ୟ ଚାହାନ୍ତି ନାହିଁ। ଅତି ନିରେଖି ଦେଖିଲେ, ଏକଥା ଜଳ ଜଳ ଦିଶୁଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତି ଯେଉଁଠି ଯେତେବେଳେ ବିପଦକୁ ଆସିଛି, ଯେତେବେଳେ ସରକାର ବିରୋଧରେ ଗୋଟିଏ ବଡ ପ୍ରସଙ୍ଗ ଉଠିଛି, ସେବେ ଏକଥା ଦେଖାଯାଇଛି ଯେ ସରକାରର ଏହି ପ୍ରଭାବଶାଳୀ ବାବୁମାନେ ଏହା ପଛରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ସାମିଲ ଅଛନ୍ତି। କିନ୍ତୁ ଅଭୟ, ବିରଞ୍ଚି, ଦୀପ୍ତିରଂଜନଙ୍କ ବିରୋଧରେ ଆଖିବୁଜା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଥିବା ସରକାର ଏସବୁ ବାବୁମାନଙ୍କୁ ଛୁଇଁପାରିନାହାନ୍ତି। ଯେଉଁମାନେ ଦୁର୍ନୀତିଗ୍ରସ୍ତଙ୍କୁ ପ୍ରଶୟ ଦେଉଛନ୍ତି, ସେମାନଙ୍କୁ ଅଭୟ ଆଶୀର୍ବାଦ ଦେଇ ସରକାରରେ ଶହ ଶହ ଅଭୟ ପାଠକ ତିଆରି କରିବା ଲାଗି ସରକାର ସୁଯୋଗ ଦେଉନାହାନ୍ତି କି?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ୍କୁ ବରଖାସ୍ତ କରି, ଷ୍ଟାଫ୍ ସିଲେକ୍ସନ୍ କମିସନ ଅଧ୍ୟକ୍ଷଙ୍କୁ ବିଦା କରି ଏସବୁ ପ୍ରତି ସେ ଆଦୌ ସହନଶୀଳ ନୁହଁନ୍ତି, ଏକଥା ପ୍ରମାଣିତ କରୁନାହାନ୍ତି କାହିଁକି? ଓଡ଼ିଶାରେ ଏଭଳି ଅନେକ ପ୍ରଶ୍ନ ଉପରେ ଯେଉଁ ଆଲୋଚନା ଚାଲିଛି, ତାହା ସରକାରଙ୍କ ହକିରେ ବିଶ୍ବସ୍ତରରୁ ମିଳୁଥିବା ପ୍ରଶଂସାକୁ ବି ପାଣିଚିଆ କରିଦେଲାଣି।

Leave A Reply

Your email address will not be published.