ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ

ଟାଟା ପାଇଁ ଶକ୍ତି ମନ୍ତ୍ରୀ ହଟ୍ଟହଟ୍ଟା

0
  • ବିଧାନସଭା ଗୃହ କମିଟି ବୈଠକରେ ଅସନ୍ତୋଷ ଝାଡିଲେ ଦଳମତ ନିର୍ବିଶେଷରେ ବିଧାୟକ
  • କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଟାଟା କାରବାର ନେଇ ବୈଠକରେ ଗର୍ଜିଲେ
  • ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ବି ଶକ୍ତି ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଅତିଷ୍ଠ କରାପକାଇଲେ
  • ବିଦ୍ୟୁତ ବ୍ୟବସ୍ଥାକୁ ନେଇ ସବୁଠି ଜନ ଅସନ୍ତୋଷ ବଢୁଛି, ବେଳହୁଁ ସାବଧାନ ନ ହେଲେ ସମସ୍ୟା

ଭୁବନେଶ୍ବର: ବିଦ୍ୟୁତ ବଣ୍ଟନ କଂପାନି ହାତେଇବା ପରେ ଟାଟା ପାଓ୍ବାର କାର୍ଯ୍ୟ ଏବେ ସରକାରଙ୍କ ପାଇଁ ଚିନ୍ତାଜନକ ହେଲେଣି। ପୂର୍ବରୁ ଗଣମାଧ୍ୟମରେ କେବଳ ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଉଥିଲା। ହେଲେ ଏବେ ଶାସକ ଦଳର ନେତାମାନେ ବି ସରକାରଙ୍କୁ ଘେରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ସବୁଠାରୁ ବଡ଼ କଥା ହେଲା, ଆଜି ଶକ୍ତି ବିଭାଗ ସଂକ୍ରାନ୍ତ ବିଧାନସଭା ଗୃହ କମିଟି ବୈଠକରେ ଟାଟା ପାଓ୍ବାରକୁ ନେଇ ଝଡ ସୃଷ୍ଟି ହୋଇଛି। ଖୋଦ୍ ସରକାରଙ୍କ ଦୁଇଜଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ସୁଶାନ୍ତ ସିଂହ ଶକ୍ତି ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଜଡସଡ଼ କରିଦେଇଥିଲେ। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ଟାଟା ପାଇଁ ହଟ୍ଟହଟ୍ଟା ହେବାକୁ ପଡିଛି।

ଶକ୍ତି ବିଭାଗ ଗୃହ କମିଟି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଇଲେକ୍ଟ୍ରିସିଟି ଆଇନ୍ ଅନୁସାରେ, ଟ୍ରାନ୍ସଫର୍ମର ପୋଡିଗଲେ ଗ୍ରାମାଞ୍ଚଳରେ ୪୮ ଘଣ୍ଟାରେ ଲଗାଯିବା ବାଧ୍ୟତାମୂଳକ। ସହରାଞ୍ଚଳ ପାଇଁ ଏହି ସମୟ ଅବଧି ୨୪ ଘଣ୍ଟା ରହିଛି। ତେଣିକି ଉପଭୋକ୍ତା ପଇସା ବକେୟା ରଖିଥାନ୍ତୁ ବା ନ ରଖିଥାନ୍ତୁ। ହେଲେ ଦେଖାଯାଉଛି ଯେ ଟାଟା କଂପାନି ପଇସା ନ ଦେଲେ ଟ୍ରାନ୍ସସଫର୍ମର ଲଗାଉନି। ଏହାସହିତ ସଂପ୍ରତି ବଣ୍ଟନ କଂପାନି କରୁଥିବା ଜନ ସ୍ବାର୍ଥ ବିରୋଧୀ କାର୍ଯ୍ୟ ସଂପର୍କରେ ଅଭିଯୋଗ ରଖିଥିଲେ ଶ୍ରୀ ମିଶ୍ର। ଜଣେ ପରେ ଜଣେ ବିଧାୟକ ବିଦ୍ୟୁତ ବିଲ୍ ଠାରୁ ଆରମ୍ଭ କରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଥୋଇଥିଲେ।

ଶେଷରେ ଉଭୟ ମନ୍ତ୍ରୀ ବି ଏଥିରେ ସାମିଲ ହୋଇ ଅସନ୍ତୋଷ ଝାଡିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ଆଜି ଗଣମାଧ୍ୟମ ପାଇଁ ଗୋଟିଏ ଶୁଭ ଦିନ। ଏଇଥିପାଇଁ ଯେ ରାଜ୍ୟ ସ୍ବାର୍ଥ ପାଇଁ ସରକାରର ଦୁଇ ମନ୍ତ୍ରୀ ଅନ୍ୟ ଗୋଟିଏ ବିଭାଗର କାର୍ଯ୍ୟ ପ୍ରତି ଅନାସ୍ଥା ପ୍ରକଟ କରୁଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଠାରୁ ଆରମ୍ଭ କରି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରମୁଖ ଏଥିରେ ଭାଗ ନେଇଥିଲେ।

ଏଠାରେ ଉଲ୍ଲେଖଥାଉକି, ଚାରିଟି ଯାକ ବିଦ୍ୟୁତ ବଣ୍ଟନ କଂପାନି ଦାୟିତ୍ବ ଏବେ ଟାଟା ପାଓ୍ବାର ହାତରେ। ହେଲେ ଆରମ୍ଭରୁ କଂପାନିର କାର୍ଯ୍ୟ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲାଣି। ଅନ୍ୟ ଦୂରଦୂରାନ୍ତ ଅଞ୍ଚଳ କଥା କଣ କହିବା, ଖୋଦ୍ ଭୁବନେଶ୍ବରରେ ମଧ୍ୟ ନିୟମିତ ବିଲିଂ ହୋଇପାରୁନାହିଁ। ଦୁଇ ଦୁଇମାସରେ ବିଲ୍ ଆସିବା ଦ୍ବାରା ଉପଭୋକ୍ତା ନାହିଁ ନଥିବା ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଗ୍ରାମାଞ୍ଚଳରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସଂକ୍ରାନ୍ତ ସରକାରଙ୍କ ଘୋଷଣାକୁ ଟାଟାର କାର୍ଯ୍ୟ କଟାକ୍ଷ କଲାଭଳି। ଘନ ଘନ ବିଦ୍ୟୁତ କାଟ୍ ହେଉଛି। ଏହାକୁ ନେଇ ସବୁ ଅଞ୍ଚଳରେ ସରକାର ବିରୋଧରେ ଏକ ବଡ଼ ସ୍ବର ଉଠିଲାଣି।

ଆଜିର ଗୃହ କମିଟି ବୈଠକର ଉଦ୍‌ବେଗକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଯଦି ତୁରନ୍ତ କିଛି ପଦକ୍ଷେପ ନ ନିଅନ୍ତି ବା ଟାଟାକୁ ତାଗିଦ୍ ନ କରନ୍ତି, ତେବେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ବିଜୁଳି ଗୋଟିଏ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇପାରେ।

Leave A Reply

Your email address will not be published.