- ରାଜ୍ୟମାନଙ୍କରେ ବିମାନ ଭିତ୍ତିଭୂମି ସୁଦୃଢ଼ିକରଣ ଉପରେ ଗୁରୁତ୍ବ
- ଓଡ଼ିଶା ସମେତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
- ଜୟପୁର-ଉତକେଲା ବିମାନ ବନ୍ଦର ବିକାଶ ପାଇଁ ଦୃଷ୍ଟି ଆକର୍ଷଣ
- ଭୁବନେଶ୍ବରରୁ ବିଦେଶକୁ ବିମାନ ଚଳାଚଳ ପାଇଁ ଲୋଡ଼ିଲେ ସହମତି
ଭୁବନେଶ୍ବର: ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ୧୭୮ ଏକର ଜମିର ଆବଶ୍ୟକତା ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଜମି ହସ୍ତାନ୍ତର କରାଯାଇନାହିଁ। ବିମାନବନ୍ଦର କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ଆଞ୍ଚଳିକ ଯୋଗାଯୋଗ ଯୋଜନା-ଉଡ଼ାନ ଅନ୍ତର୍ଗତ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଜୟପୁର ଏବଂ ଉତକେଲା ବିମାନ ବନ୍ଦର ବିକଶିତ କରାଯିବାର ଆବଶ୍ୟକତା ରହିଛି।
ଏମିତି କିଛି ପ୍ରସ୍ତାବରେ ହସ୍ତକ୍ଷେପ ଲୋଡି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଲାଗି କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟମାନଙ୍କରେ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ଶ୍ରୀ ସିନ୍ଧିଆ। ଏହି ପ୍ରସଙ୍ଗରେ ସେ ଓଡ଼ିଶା ସମେତ କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଦେଶରେ ବିମାନ ଯାତ୍ରୀଙ୍କ ଚାହିଦା ପୂରଣ କରିବା ଲାଗି ଆସନ୍ତା ୪-୫ ବର୍ଷ ମଧ୍ୟରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୨୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ବିମାନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।
ଶ୍ରୀ ସିନ୍ଧିଆ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଲାଗି ଗୁରୁତ୍ବ ବହନ କରୁଥିବା କହିଛନ୍ତି। ଚିଠିରେ ଆହୁରି ଲେଖିଛନ୍ତି ଯେ ଆଞ୍ଚଳିକ ବିମାନ ଯୋଗାଯୋଗ ଫଣ୍ଡ ଟ୍ରଷ୍ଟ (ଆରଏସିଏଫଟି) ପାଇଁ ଭିଜିଏଫ ଅଂଶଧନ ଭାବେ ରାଜ୍ୟ ସରକାରଙ୍କ ଉପରେ ୧.୪୮ କୋଟି ଟଙ୍କା ବକେୟା ରହିଛି। ଏହା ତୁରନ୍ତ ପ୍ରଦାନ କରାଯିବା ଦରକାର। ଭୁବନେଶ୍ବର-ଦୁବାଇ, ଭୁବନେଶ୍ବର-ଆବୁଧାବି, ଭୁବନେଶ୍ବର-ବ୍ୟାଂକକ୍, ଭୁବନେଶ୍ବର-କ୍ବାଲାଲୁମ୍ପୁର, ଭୁବନେଶ୍ବର-କଲୋମ୍ବୋ, ଭୁବନେଶ୍ବର-ସିଙ୍ଗାପୁର ଏବଂ ଭୁବନେଶ୍ବର-କାଠମାଣ୍ଡୁ ମାର୍ଗରେ ଅନ୍ତର୍ଜାତୀୟ ଉଡାନ୍ ବିମାନ ଚଳାଚଳ ନିମନ୍ତେ ୧୦୦ ପ୍ରତିଶତ ଭିଜିଏଫ ସହାୟତା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ତାଙ୍କର ସହମତି ଦେଇପାରିବେ ବୋଲି କେନ୍ଦ୍ର ପ୍ରସ୍ତାବ ଦେଇଛି। ୧୦୦ ପ୍ରତିଶତ ଭିଜିଏଫ ସମର୍ଥନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯିବା ପରେ ବିମାନ କମ୍ପାନିଗୁଡ଼ିକ ପାଇଁ ବିଡିଂ ନିମନ୍ତେ ଏସବୁ ମାର୍ଗକୁ ଖୋଲାଯିବ ବୋଲି ଶ୍ରୀ ସିନ୍ଧିଆ ତାଙ୍କର ପତ୍ରରେ ଦର୍ଶାଇଛନ୍ତି।