ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଚିହ୍ନିରଖ ଭ୍ରାତାଙ୍କ ବଦନ

0
  • ଆଚମ୍ୱିତ କରୁଛି ଲୋକପ୍ରତିନିଧି, ରାଜନେତାଙ୍କ ଆଚରଣ
  • ନିର୍ବାଚନରେ କାକୁତିମିନତି ହେଉଥିଲେ, ଏବେ ବଦଳିଗଲେ
  • ବିପଦବେଳେ ମଉଜ କରୁଛନ୍ତି ନେତା, ବୁଲୁଛନ୍ତି ରାଜ୍ୟବାହାରେ
  • ବିଜେଡି, କଂଗ୍ରେସ ଓ ବିଜେପି ଦଳର ନେତା, କର୍ମୀଙ୍କ ଦେଖା ନାହିଁ
  • ନବୀନ, ଧର୍ମେନ୍ଦ୍ର ଲଢୁଛନ୍ତି, ଭାଷଣବାଜିରେ ବ୍ୟସ୍ତ ନିରଞ୍ଜନ
  • ମୋଦୀ ଅନୁଧ୍ୟାନ କଲେ ସ୍ଥିତି, ସମବେଦନା ଜଣାଇଲେନି ରାହୁଲ

ଭୁବନେଶ୍ୱର: ଏପ୍ରିଲ ମାସରେ ଏଇ ସମୟରେ ଭୋଟରଙ୍କ ଦୁଆରେ କାକୁତିମିନତି ହେଉଥିଲେ ନେତା । ସବୁ ସମୟରେ ସାଙ୍ଗରେ ରହିବେ ବୋଲି ପ୍ରତିଶ୍ରୁତି ଅଜାଡି ଦେଉଥିଲେ । ଅନୁନୟ ବିନୟ ହୋଇ ତାଙ୍କୁ ସମର୍ଥନ ଜଣାଇବା ପାଇଁ ନିବେଦନ କରୁଥିଲେ । ଠିକ୍‍ ମାସକ ପରେ ଏସବୁ ନେତାଙ୍କ ଆଚରଣ ଓ ଉଚ୍ଚାରଣ ଏବଂ ଚରିତ୍ରର ପରୀକ୍ଷା ନିରୀକ୍ଷାର ସୁଯୋଗ ଦେଇଛନ୍ତି ଭଗବାନ । ଓଡ଼ିଶାର ୧୧ଟି ଜିଲ୍ଲା ତଥା ରାଜ୍ୟର ପ୍ରାୟ ଏକ ତୃତୀୟାଂଶ ଲୋକେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ମାଡ଼ରେ ଆକ୍ତାମାକ୍ତା ହୋଇଯାଇଛନ୍ତି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ପୁରୀ ସହରରେ ନାହିଁ ନଥିବା କ୍ଷତି ଘଟାଇଛି ବାତ୍ୟା । ଲୋକେ ଅଣ୍ଟା ସଳଖି ଠିଆ ହେବା ତ ଦୂରର କଥା ଗତ ୬ ଦିନ ଧରି ସମ୍ପୂର୍ଣ୍ଣ ଅନ୍ଧାରରେ ଅଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ଘର ଉଜୁଡିଯାଇଛିା ଖୋଲା ଆକାଶ ତଳେ ଭୋକ ଉପାସରେ ସଢୁଛନ୍ତି ।

ଠିକ୍‍ ଏମିତି ଏକ ସମୟରେ ଆମ ଲୋକପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ଛାମୁଆ ନେତା ଓ କର୍ମୀ କିନ୍ତୁ ମଉଜରେ ବ୍ୟସ୍ତ । ନିର୍ବାଚନ ପରର କ୍ଲାନ୍ତି ମେଣ୍ଟାଇବା ପାଇଁ କିଏ ରାଜ୍ୟ ବାହାରେ ବୁଲୁଛି, ଆଉ କିଏ ଦେଶ ବାହାରକୁ ଯାଇଛନ୍ତି । ହୋଟେଲରେ ରହୁଛନ୍ତି ଓ ପର୍ଯ୍ୟଟନ କ୍ଷେତ୍ର ବୁଲି ମଉଜ କରୁଛନ୍ତି । କିଛି ନେତା ଜନସେବା ଛାଡି ଧର୍ମ ଅର୍ଜନ କରିବା ଆଳରେ ବିଭିନ୍ନ ପୀଠ ପରିଦର୍ଶନ କରୁଛନ୍ତି । କିଛି ଦିନ ତଳେ ଏସବୁ ସହରରେ ଭୋଟ ମାଗୁଥିଲେ ଏମାନେ । ଏବେ ନିଜ ଭୋଟରଙ୍କ ଦୁର୍ଦଶା ଦୂର କଥା ସମବେଦନା ଜଣାଇବା ଲାଗି କାହାର ଆଗ୍ରହ ବି ନାହିଁ ।

ଭୁବନେଶ୍ୱରରେ ବିଧାୟକ କିମ୍ୱା କୌଣସି ରାଜନୈତିକ ଦଳର ପ୍ରାର୍ଥୀଙ୍କର ଦେଖା ମିଳୁନାହିଁ । ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ କିମ୍ୱା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଭୁବନେଶ୍ୱର ଉତ୍ତର ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି କେଉଁଠି ଜଣେ ମହିଳାଙ୍କ ଆଖିରୁ ଲୁହ ପୋଛୁଥିବା ଦେଖାଯାଉନାହିଁ । ମୁମ୍ୱାଇ ପୁଲିସ କମିସନର ରିଲିଫ ପାଣ୍ଠିକୁ କୋଟିଏ ଟଙ୍କା ଦେଇଛନ୍ତି ସତ, କିନ୍ତୁ ତାଙ୍କ ନେତୃତ୍ୱରେ ଥିବା ବିଜୁ ଯୁବ ବାହିନୀ ଲୋକଙ୍କର କି ସେବା କରୁଛି, କେଉଁଠି କରୁଛି, କେମିତି କରୁଛି, ତାହା ନଜରରେ ପଡୁନାହିଁ । ପୁରୀ ସହରର ସ୍ଥିତି ତଦ୍ରୁପ । ରାଜନୈତିକ ଦଳର ନେତାଙ୍କ ଉପସ୍ଥିତି କେଉଁଠି ବି ବାରି ହେଉନାହିଁ ।

ରଥଯାତ୍ରା ସମୟରେ ଏସବୁ ନେତା ଭିଭିଆଇପି ପାସ୍‍ ଧରି ବ୍ୟାରିକେଡ୍‍ ଭିତରେ ପଇଁତରା ମାରନ୍ତି । ପ୍ରଶାସନର ନିଦ ହଜାଇ ଦିଅନ୍ତି । ନିର୍ବାଚନ ସରିବା ପରେ ପ୍ରଶାସନକୁ ମନ ଭରି ଗାଳି ଦେଇ ସେମାନଙ୍କ ବଡ ପଣ ଜାହିର କରନ୍ତି । ଆଜି କିନ୍ତୁ ବାଧ୍ୟବାଧ୍ୟକତାରେ ହେଉ ବା ବ୍ୟବସ୍ଥା ଅନୁସାରେ, ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ଏ ବିପତ୍ତିରୁ ଉଦ୍ଧାର ପାଇଁ ପ୍ରାଣାନ୍ତକ ଉଦ୍ୟମ କରୁଛନ୍ତି । ଲୋକଙ୍କ ସହିତ ତଳସ୍ତରରେ ରହି ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଲାଗି ଉଦ୍ୟମ ଚଳାଇଛନ୍ତି ।

ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛାଡିଦେଲେ ଏ ବିପତ୍ତି ସମୟରେ କୌଣସି ଜଣେ ବି ମନ୍ତ୍ରୀ ସଚିବାଳୟ ଆସି ନିଜ ବିଭାଗର ସ୍ଥିତି ପରଖିବା ଲାଗି ଆଗ୍ରହ ଦେଖାଉନାହାନ୍ତି । ସେପଟେ ଭୋଟ ଗୋଟାଇ ଫେରିବା ପରେ ବିଜେପି ମୁଖପାତ୍ର ତଥା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ୱିତ ପାତ୍ରଙ୍କର କେଉଁଠାରେ ଦେଖା ମିଳୁନାହିଁ । ସାଂସଦ ପିନାକୀ ମିଶ୍ରଙ୍କର ବି ।

ସେହିଭଳି ଓଡ଼ିଶାର ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଥରୁଟିଏ ବି ବାତ୍ୟାଞ୍ଚଳ ବୁଲିନାହାନ୍ତି । କଂଗ୍ରେସ ସ୍ଥିତି ନ କହିବା ଭଲ । ଖୋଦ୍‍ ପିସିସି ସଭାପତି ନିରଞ୍ଜନ ପଟ୍ଟଟାୟକ ହାତଗଣତି ଗୋଟିଏ ଦୁଇଟି ସ୍ଥାନ ବୁଲି ସରକାରଙ୍କୁ ସମାଲୋଚନା କରିବା ଛଡା ଆଉ କିଛି କରିନାହାନ୍ତି । ତାଙ୍କ କଂଗ୍ରେସ ବା ସେବାଦଳ କର୍ମୀଙ୍କୁ କେଉଁଠାରେ ଲୋକଙ୍କ ସେବା କରିବା ଦେଖିବା ସାତସପନ ପାଲଟିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ବୁଲି ଫେରିଛନ୍ତିି । ୧ ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ଦେଇଛନ୍ତି । ଦଲାଇଲାମା ବି ସମବେଦନା ଜଣାଇଲେ । ହେଲେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ଥରୁଟିଏ ଆସିବା ପାଇଁ ତ ସମୟ ପାଉନାହାନ୍ତି, ଲୋକଙ୍କୁ ସମବେଦନ ଜଣାଇବା ସହିତ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ଲାଗି ବି କହୁନାହାନ୍ତି । ଲୋକଙ୍କର ଏ ବିପତ୍ତି ବେଳେ ଦଳର କର୍ମୀମାନଙ୍କୁ ସେମାନଙ୍କ ପାଖରେ ରହିବା ଲାଗି ନିର୍ଦେଶ ବି ଦେଉନାହାନ୍ତି ।

ଏଠାରେ ଉଲ୍ଲେଖଥାଉକି, ଏହି ସବୁ ନେତାମାନେ କିଛି ଦିନ ତଳେ ଓଡ଼ିଶା ବିକାଶ ପାଇଁ ଲୋକଙ୍କୁ ସ୍ୱପ୍ନ ଦେଖାଉଥିଲେ । ପ୍ରବର୍ତାଉଥିଲେ ଯେ ଆମେ ୟେସା କରିବୁ, ତେସା କରିବୁ । ଓଡ଼ିଶାକୁ ବିକାଶରେ ପୋତି ପକାଇବୁ । ଓଡ଼ିଶାର ଦୁଃଖ ସମୟରେ ପାଖରେ ଛିଡା ହେଉନଥିବା ଏସବୁ ନେତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ନା କୋଳେଇ ନେବେ, ତାହା ଆଗାମୀ ଦିନରେ ଜଣାପଡିବ ।

Leave A Reply

Your email address will not be published.