ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

କେମିତି ଜାଣିବେ, ଆପଣଙ୍କ ପାଖରେ ଲୁଚିଛି ‘ହେପାଟାଇଟସ୍-ବି’ ଭୂତାଣୁ?

0

ଭୁବନେଶ୍ବର: ସମ୍ପ୍ରତି ହେପାଟାଇଟସ୍‍-ବି ସମସ୍ତଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହି ସଂକ୍ରାମକ ରୋଗଟି ହେପାଟାଇଟସ୍‍-ବି ନାମକ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଣିଷର ଯକୃତର କୋଷିକା ନଷ୍ଟ ହେବା ଫଳରେ ଯକୃତ ବା ଲିଭର ଯନ୍ତ୍ରଣା ପାଇଥାଏ। ପରବର୍ତ୍ତୀ ସମୟରେ ଏହା ଫୁଲିବା ସହ ଦୁଇ ଆଖି ହଳଦିଆ ଦିଶେ ଓ କେତେକ କ୍ଷେତ୍ରରେ ଜ୍ୱର ସହିତ ବାନ୍ତି ମଧ୍ୟ ହୋଇଥାଏ।

ପ୍ରାରମ୍ଭିକ ସମୟରେ ହେପାଟଲୋଜି ବିଶେଷଜ୍ଞଙ୍କ ପରାମର୍ଶ ନନେଲେ ଏହାର ଭୟାବହତା ପରିଲକ୍ଷିତ ହୋଇଥାଏ। ଦୀର୍ଘଦିନ ଧରି ଏହା ଶରୀରରେ ଲାଗି ରହିଲେ ପରବର୍ତ୍ତୀ ସମୟରେ ଏହା ଜଳ ଉଦରି ରୋଗ ଭାବେ ଆବିର୍ଭାବ ହୋଇଥାଏ। ଯାହାକୁ ଲିଭର୍‍ ସିରୋସିସ୍‍ ବୋଲି କୁହାଯାଏ । ଅତିଶୟ କ୍ଷେତ୍ରରେ ଯକୃତ କର୍କଟ ରୋଗ ମଧ୍ୟ ସୃଷ୍ଟି କରିବାରେ ସମ୍ଭାବନା ଥାଏ। ତେବେ ଚିକିତ୍ସା ବିଜ୍ଞାନର ପରିସଂଖ୍ୟାନର ତଥ୍ୟ ଅନୁଯାୟୀ ଅଧିକାଂଶ କ୍ଷେତ୍ରରେ ଯକୃତ କର୍କଟ ରୋଗ ପାଇଁ ହେପାଟାଇଟସ୍‍-ବି ସଂକ୍ରମଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ।

ପ୍ରାଥମିକ ଅବସ୍ଥାରେ, ହେପାଟାଇଟସ୍‍-ବି’ର ଭୁତାଣୁର ବାହାକ ଅନେକ ସଂଖ୍ୟାରେ ଥିଲେ ବି ବାହାରକୁ ସୁସ୍ଥ ଜଣାପଡିଥାନ୍ତି। ଏହା କିନ୍ତୁ ସଂକ୍ରମିତ ହେବାର ସମ୍ଭାବନା ଥାଏ। ହେପାଟାଇଟସ୍‍-ବି ଭୂତାଣୁ ସଂକ୍ରମିତ ହେବାର ବିଭିନ୍ନ କ୍ଷେତ୍ର ରହିଛି । ସେଗୁଡିକ ଭିତରୁ ବିଶୋଧିତ ହୋଇନଥିବା ଛୁଞ୍ଚି ଦ୍ୱାରା ଇଞ୍ଜେକସନ୍‍ ନେବା, ପ୍ରାଚୀନ ପଦ୍ଧତି ଅନୁଯାୟୀ କାନଫୋଡା ବା ଚିତା କୁଟା କିମ୍ୱା ଯଥାର୍ଥ ଭାବରେ ଶୋଧିତ ହୋଇନଥିବା ଯନ୍ତ୍ରପାତି ଦ୍ୱାରା ଯେ କୌଣସି ପ୍ରକାର ସିଲେଇ ବା ଅସ୍ତ୍ରୋପ୍ରଚାର ମାଧ୍ୟମରେ ଏହା ବ୍ୟାପିଥାଏ।

କେତେକ କ୍ଷେତ୍ରରେ ହେପାଟାଇଟସ୍‍-ବି ସଂକ୍ରମିତ ହୋଇଥିବା ମାଆ ଠାରୁ କ୍ଷୀର ପାନ କରିବା ଦ୍ୱାରା ପିଲାମାନେ ସଂକ୍ରମିତ ହେବାର ଭୟ ରହିଥାଏ । ଛୋଟ ଛୋଟ ପିଲାମାନଙ୍କ କ୍ଷେତ୍ରରେ ଖେଳକୁଦ ସମୟରେ ଶରୀରର ଯେ କୌଣସି ଅଂଶ ସାମାନ୍ୟ ଭାବରେ କଟିଗଲେ ବା ଛୋଟିଆ ଘାଆରେ ଥିବା ହେପାଟାଇଟସ୍‍-ବି ଭୂତାଣୁ ବାହାକ ସାଙ୍ଗଙ୍କ ଠାରୁ ସଂକ୍ରମଣର ସୁଯୋଗ ପାଇଥାଏ।

ହେପାଟାଇଟସ୍‍-ବି ସଂକ୍ରମିତ ପିଲାଙ୍କର କୌଣସି ଲକ୍ଷଣ ବାହାରକୁ ଦେଖାଯାଇନଥାଏ। ଏମାନେ ନୀରୋଗ ଅଥବା ସୁସ୍ଥ ଜଣାପଡନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ଆମ ଦେଶରେ ହେପାଟାଇଟସ୍‍-ବି ଭୂତାଣୁର ବାହାକ ଥିବା ସଂଖ୍ୟା ପାଖାପାଖି ପାଞ୍ଚ କୋଟିରୁ ଅଧିକ ହେବ। ପିଲାମାନେ ବାହାରକୁ ସୁନ୍ଦର ଦିଶୁଥିଲେ ବି ସାଙ୍ଗମାନଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ଭୂତାଣୁ ସଂକ୍ରମିତ ହୋଇଥାଏ । ପରବର୍ତ୍ତୀ ସମୟରେ ବେଶ ଡଉଲ ଡାଉଲ ସୁନ୍ଦର ଚେହେରାର ପିଲାଟି ଭୟଙ୍କର ଭାବରେ ଲିଭର ସିରୋସିସ୍‍ ବା ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ସମ୍ଭାବନା ସୃଷ୍ଟି ହୋଇଥାଏ ।

ନିରବ ଘାତକ ହେପାଟାଇଟସ୍‍-ବି’ର ମୁଖ୍ୟ ଲକ୍ଷଣ ହେଉଛି ଶରୀରରେ ଜ୍ୱର ଲାଗିବା ସହିତ ଘୋଳାବିନ୍ଧା ରହିଥାଏ। ବାନ୍ତି ସହିତ ପ୍ରାୟତଃ ଭୋକ ଲାଗି ନଥାଏ । ପରେ ପରେ ଜଣ୍ଡିସ୍‍ ର ଲକ୍ଷଣ ଦେଖାଯାଇ ଦୁଇ ଆଖି ଓ ଚର୍ମ ହଳଦିଆ ଦେଖାଯାଏ। ପରିସ୍ରା ଗାଢ଼ ରଙ୍ଗ ହେବା ସହ ଝାଡା ମଧ୍ୟ ହାଲୁକା ରଙ୍ଗର ଦୃଶ୍ୟମାନ ହୋଇଥାଏ । ତେବେ ରୋଗୀଟିର ଗୁରୁତର ସ୍ଥିତି ଥିଲେ ବୃକକ ଓ ମସ୍ତିଷ୍କ ସଂଚାଳନ ନହୋଇ ଅକାମୀ ହୋଇପଡିଥାଏ । ଏ କ୍ଷେତ୍ରରେ ଲିଭର ଜନିତ ଯନ୍ତ୍ରଣା ରୋଗୀଟିକୁ ସଂଜ୍ଞାହୀନସ୍ଥିତିକୁ ନେଇ ମୃତ୍ୟୁ ମୁଖରେ ପକାଇ ଦେଇଥାଏ।

ସରକାରଙ୍କ ବିଭିନ୍ନ ବଡ ମେଡିକାଲରେ ହେପାଟଲୋଜି ବିଭାଗରେ ଲିଭର ସିରୋସିସ୍‍ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏନେଇ ସରକାର ସ୍ୱତନ୍ତ୍ର ଭାବେ ରୋଗୀଟିର ସମସ୍ତ ପ୍ରକାର ନିଦାନ ସହ ବିନା ମୂଲ୍ୟରେ ଚିକିତ୍ସା ବ୍ୟବସ୍ଥାର ଧ୍ୟାନ ଦେଇଥାନ୍ତି । କେବଳ ସେତିକି ନୁହେଁ ଗ୍ରାମାଞ୍ଚଳରେ ବିଭିନ୍ନ ବେସରକାରୀ ସ୍ୱାସ୍ଥ୍ୟ ସଂଗଠନ ପିଲାମାନଙ୍କ ଠାରେ ହେପାଟାଇଟସ୍‍-ବିର ମାଗଣା ପରୀକ୍ଷା ପାଇଁ ବେଶ୍‍ ପ୍ରଶଂସନୀୟ ଉଦ୍ୟମ ହାତକୁ ନେଇଛନ୍ତି।

ବାଲେଶ୍ୱରସ୍ଥିତ ଇଶାମ ନଗର ଶ୍ରୀଗୁରୁ ଅନୁକୂଳାଶ୍ରମର ଠାକୁର ଶ୍ରୀ ଶ୍ରୀ ଅନୁକୁଳାଚନ୍ଦ୍ରଙ୍କ ଆଶ୍ରିତମାନେ ସ୍ଥାନୀୟ ଅଞ୍ଚଳରେ ବିନା ମୂଲ୍ୟରେ ହେପାଟାଇଟସ୍‍ ପରୀକ୍ଷା ସହ ମାଗଣା ଔଷଧପତ୍ର ବଣ୍ଟନ କରି ବେଶ ପ୍ରଂଶସା ଭାଜନ ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ଏଡ଼୍‍ସ ଠାରୁ ଶତଗୁଣ ଅଧିକ ସଂକ୍ରାମକ ହେଉଛି ହେପାଟାଇଟସ୍‍-ବି। ପ୍ରତିବର୍ଷ ଭାରତରେ ପ୍ରାୟ ଲକ୍ଷାଧିକ ଲୋକ ଏହି ଭୂତାଣୁ ଜନିତ ଯକୃତ ରୋଗ ଯୋଗୁଁ ମୃତ୍ୟୁ ଲାଭ କରିଥାନ୍ତି। ଏହାର ନିରାକରଣ ପାଇଁ ହେପାଟାଇଟସ୍‍-ବି ନିଷେଧ ଟିକା ବ୍ୟବହାର ଜରୁରୀ। ଶିଶୁର ଜନ୍ମ ସମୟରେ ଏହି ଟିକାଟି ନେଲେ ଖୁବ୍‍ ଭଲ।

ସାଧାରଣତଃ ତିନିଥର ନେବାକୁ ପଡୁଥିବା ଏହି ଟିକାଟି ନିର୍ଦ୍ଧାରିତ ଦିନରେ ନେବାକୁ ପଡିଥାଏ। ଟିକା ନେବା ପରେ କୌଣସି କୁପ୍ରଭାବ ଦେଖାଯାଇନଥାଏ। ସର୍ବଦା ମନେ ରଖନ୍ତୁ ଯେ ଗୋଟିଏ ଦିବ୍ୟମୟ ଆଧ୍ୟାତ୍ମିକ ଜୀବନଚର୍ଯ୍ୟା ଭିତରେ ଗତି କରିବା ଆବଶ୍ୟକ। ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ ସହ ଠାକୁରଙ୍କ ପ୍ରାର୍ଥନା, ଯୋଗାଭ୍ୟାସ ସହ ପ୍ରାତଃ ଭ୍ରମଣ ସବୁଠାରୁ ଭଲ। ନିର୍ଦ୍ଧାରିତ ସମୟରେ ଆହାର ସହ ଭୋଜନ ମଧ୍ୟ ଖୁବ୍‍ ଜରୁରୀ । ତେବେ ବାସି ଖାଦ୍ୟ,ଥଣ୍ଡା ଖାଦ୍ୟ,ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ଭଲ।

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
ପ୍ରଫେସର,ହେପାଟଲୋଜି ବିଭାଗ, କଟକ ବଡ଼ ମେଡ଼ିକାଲ

Leave A Reply

Your email address will not be published.