ଭୁବନେଶ୍ବର: ଭାରତର ପ୍ରଶାସନିକ ସେବାରେ ୨୫ବର୍ଷ ପୂରଣ କରିଥିବା ଓଡ଼ିଶା କ୍ୟାଡର ଆଇଏଏସ୍ ତଥା ୧୯୯୬ ବ୍ୟାଚ୍ ଅଫିସର ଡ. ଅରବିନ୍ଦ ପାଢୀ ଏବର୍ଷ ଓଡ଼ିଶା ଫେରିପାରନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆସନ୍ତା ଡିସେମ୍ବର ମାସ ବେଳକୁ ରାଜ୍ୟ ପ୍ରଶାସନରେ ଯେଉଁ ବଡ଼ ଧରଣର ଅଦଳବଦଳ କରାଯିବା ନେଇ ପ୍ରସ୍ତୁତି ଚାଲିଛି, ସେଥିରେ କୃଷି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମୁଖିଆ ହୋଇପାରନ୍ତି ଡ. ପାଢୀ। ରାଜ୍ୟ ସରକାର କୃଷିକୁ ଏବେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଅନ୍ୟପଟେ ଡ. ପାଢୀ କେବଳ କୃଷି ବିଜ୍ଞାନୀ ଛାତ୍ର ତା’ ନୁହେଁ, କେନ୍ଦ୍ର ସରକାରଙ୍କ କୃଷି ସଂପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବିରେ ରହି ନିଜର ଗୋଟିଏ ସ୍ବତନ୍ତ୍ର ଛାପ ଛାଡିସାରିଲେଣି। ଏଣୁ ଓଡ଼ିଶାରେ କୃଷିକୁ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ଟାଣିନେବା ଲାଗି ଡ. ପାଢୀଙ୍କୁ ଗୁରୁ ଦାୟିତ୍ବ ଦେବା ଲାଗି ସରକାରଙ୍କ ଶୀର୍ଷସ୍ତରରେ ଆପାତତଃ ଯୋଜନା ହୋଇଥିବା ସୂଚନା ମିଳୁଛି।
ଗତକାଲି( ସେପ୍ଟେମ୍ବର ୫ ତାରିଖ) ଡ. ପାଢୀ ତାଙ୍କ ଆଇଏଏସ୍ କ୍ୟାରିଅରରେ ୨୫ ବର୍ଷ ପୂରଣ କରିଛନ୍ତି। ବର୍ତ୍ତମାନର ଉନ୍ନୟନ କମିସନର ତଥା ବରିଷ୍ଠ ଆଇଏଏସ୍ ପ୍ରଦୀପ କୁମାର ଜେନା କଳାହାଣ୍ଡି ଜିଲ୍ଲାପାଳ ଥିବା ବେଳେ ଡ. ପାଢୀ ତାଙ୍କର ପ୍ରାଶାସନିକ ଚାକିରି ଜୀବନ ଆରମ୍ଭ କରିଥିଲେ। ସେ ଭବାନୀପାଟଣା ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇ ପରେ ରାଉରକେଲା ଏଡିଏମ୍ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ରାଜ୍ୟ ସରକାର ତାଙ୍କୁ କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ। କଳିଙ୍ଗନଗର ଗୁଳିକାଣ୍ଡ ପରବର୍ତ୍ତୀ ପରିସ୍ଥିତିକୁ ସ୍ବାଭାବିକ କରିବାରେ ଡ. ପାଢୀଙ୍କ ଭୂମିକା ଓଡ଼ିଶା ମନେରଖିବ।
ଡ, ପାଢୀ କୃଷି ନିର୍ଦେଶକ, କେନ୍ଦ୍ରାଞ୍ଚଳ ଆରଡିସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପର୍ଯ୍ୟଟନ ଏବଂ ସଂସ୍କୃତି ସଚିବ ଭାବେ ରାଜ୍ୟ ସରକାରରେ କାର୍ଯ୍ୟ କରିଛନ୍ତି ଓ ସବୁଠି ନିଜସ୍ବ ଛାପ ଛାଡିଛନ୍ତି। ୨୦୦୮ କୃଷି ନୀତି ପ୍ରସ୍ତୁତିରେ ତାଙ୍କର ଭୂମିକା ଥିଲା। ପରେ କେନ୍ଦ୍ରୀୟ ଡେପୁଟେସନ ଯାଇ ସେଠାରେ ସାର ବିଭାଗର ଯୁଗ୍ମସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ଏବେ ନୂଆଦିଲ୍ଲୀରେ ଇକ୍ରିସାଟ୍ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
ସବୁଠାରୁ ବଡ କଥା ହେଲା, ଭାରତ ସରକାର ୨୦୧୬ରେ ସାରରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ସବ୍ସିଡି ଅର୍ଥ ପ୍ରଦାନ କରିବା ଲାଗି ଯେଉଁ ନିଷ୍ପତ୍ତି ନେଇଥିଲେ, ତାର ପ୍ରଥମ ନୋଡାଲ ଅଧିକାରୀ ଥିଲେ ଡ. ପାଢୀ। ଏହାଦ୍ବାରା ସାର୍ ସବ୍ସିଡି କେଳେଙ୍କାରୀ ରୋକାଯାଇପାରିଥିଲା। ଏଠାରେ ଉଲ୍ଲେଖଥାଉକି, ଡ. ପାଢୀ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ତାଙ୍କୁ ଏଆଇଏଏସ୍ଏ ଜାତୀୟ ପୁରସ୍କାର ପାଇଛନ୍ତି। କେବଳ ସେତିକି ନୁହେଁ, ପୋଷଣ ଏବଂ ବିଶ୍ୱ ବ୍ୟାଙ୍କର ଭାରତ କୃଷି ନୀତି ପରାମର୍ଶଦାତା ଗୋଷ୍ଠୀ (IAPAG) ଅଧୀନରେ କୃଷି-ପୁଷ୍ଟିକର ଜାତୀୟ ପରାମର୍ଶଦାତା ପ୍ୟାନେଲର ସେ ସଦସ୍ୟ ଅଟନ୍ତି। କୃଷି, ପୁଷ୍ଟିକର ଖାଦ୍ୟ ଏବଂ ଖାଦ୍ୟ ନୀତି, ଜଳବାୟୁ ପରିବର୍ତ୍ତନ ଏବଂ ଗ୍ରାମୀଣ ବିକାଶ ସହ ଜଡିତ ବିଷୟ ଉପରେ ତାଙ୍କର ପ୍ରବନ୍ଧ ସବୁଠି ଉଚ୍ଚପ୍ରଶଂସିତ ହୋଇଛି।
ଡ. ପାଢୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ରୁ କୃଷି ବିଜ୍ଞାନରେ ମାଷ୍ଟର ଡିଗ୍ରି ପରେ ନୂଆଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (IARI) ରୁ ପିଏଚଡି କରିଛନ୍ତି। ସେ ବ୍ରିଟେନର ବର୍ମିଂହାମ ୟୁନିଭରସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ (MPA) ରେ ମଧ୍ୟ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି।