ଭୁବନେଶ୍ବର: ସେ ବାଲେଶ୍ବର ହେଉ କି ଭୁବନେଶ୍ବର, କନ୍ଧମାଳ ହେଉ ଅଥବା କୋରାପୁଟ, ପୁଲିସ, ଅବକାରୀ ବିଭାଗ ଅଥବା କ୍ରାଇମବ୍ରାଞ୍ଚ ଏସଟିଏଫ୍ ପ୍ରାୟ ପ୍ରତିଦିନ ବ୍ରାଉନସୁଗର, ଗଞ୍ଜେଇ ଆଦି ଜବତ କରୁଛି। ଏପଟେ ରାଜ୍ୟରେ ଅବକାରୀ ବିଭାଗରୁ ମିଳୁଥିବା ରାଜସ୍ବ ବୟାନ କରୁଛି ଯେ ନିଶା କାରବାର ବଢୁଛି। ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି ହେଉ କି ପାରିବାରିକ ବିଶୃଙ୍ଖଳା ପଛରେ ଏହା ଏକ ବଡ଼ କାରଣ ସାଜିଲେଣି। ଏପରିସ୍ଥିତିରେ ନିଶା ନିଷିଦ୍ଧ ପାଇଁ ଜନମତ ଧୀରେ ଧୀରେ ବଢିବାରେ ଲାଗିଲାଣି। ବିଶେଷକରି ମହିଳାମାନେ ରାଜରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ବୁଦ୍ଧିଜୀବୀ ମତ ପ୍ରକାଶ କଲେଣି ଯେ ଯଦି ସ୍ବୟଂ ସହାୟକ ଗୋଷ୍ଠୀ ନିଶା ନିବାରଣ ଦାୟିତ୍ବ ହାତକୁ ନେବେ, ତେବେ ଏହା ସମ୍ପୂର୍ଣ୍ଣ ବନ୍ଦ ନ ହେଲେ ବି ବେଆଇନ ବା ନିଷିଦ୍ଧ ନିଶା କାରବାର ଅନେକାଂଶରେ ରୋକାଯାଇପାରିବ। ତେବେ ସବୁରି ମୂଳରେ ଜନ ସଚେତନତା। ଯେ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ହୃଦ୍ବୋଧ ହେବନି ଯେ ନିଶା ସେମାନଙ୍କର କ୍ଷତି କରୁଛି, ତାଙ୍କ ପରିବାର ଓ ଭବିଷ୍ୟତ ପ୍ରତି ବିପଦ ଆଣୁଛି, ସେ ଯାଏ ଏ ସଂପର୍କରେ ଯିଏ ଯେତେ ଯାହା କଲେ ବି ଶତ ପ୍ରତିଶତ ସଫଳ ହେବନାହିଁ।
ବରିଷ୍ଠ ଆଇନଜୀବୀ ତଥା ଗାନ୍ଧୀବାଦୀ ପ୍ରହଲାଦ କୁମାର ସିଂହଙ୍କ ଭାଷାରେ, ଅତୀତରେ ନିଶାମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାସ ୧୯୩୯ ମସିହାରେ ସ୍ବତନ୍ତ୍ର ଆଇନ ଆଣିଥିଲେ। ବିହାର ଓଡ଼ିଶା ଅବକାରୀ ଆଇନ-୧୯୧୫ର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଥିଲା ନିଶା ନିବାରଣ। କୌଣସି ପ୍ରକାରେ ନିଶାକୁ ପ୍ରସାର କରିବାକୁ ଦିଆଯିବନି ବୋଲି ଏହି ଆଇନରେ ବ୍ୟବସ୍ଥା ଥିଲା। ଓଡ଼ିଶା ଅବକାରୀ ଆଇନ ୨୦୦୮ର ଧାରା ୯୩ କହୁଛି, ମଦ କାରବାର ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ। ଏହାସହିତ ଆବଶ୍ୟକ ପଡ଼ିଲେ, ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରିପାରିବେ। ବହୁ ପୂର୍ବରୁ ମଧ୍ୟ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ୧୯୫୬ ମସିହାରେ ଓଡ଼ିଶା ନିବାରଣ ଆଇନ ବିଧାନସଭାରେ ପାରିତ ହୋଇଥିଲା। ଏହା ମଧ୍ୟ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇସାରିଛି। କିନ୍ତୁ ସରକାର ଏହାକୁ ଲାଗୁ କରିନାହାନ୍ତି। ସରକାର ଚାହିଁଲେ ଏହି ଆଇନରେ ଥିବା ଦଣ୍ଡବିଧାନ ପରିମାଣକୁ ବୃଦ୍ଧି କରିବା ସଂଶୋଧନ ପ୍ରସ୍ତାବ ଆଣି ଲାଗୁ କରିପାରିବେ। ଏହି ଆଇନଟି ରାଜ୍ୟକୁ ନିଶାମୁକ୍ତ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ଶ୍ରୀ ସିଂହ ମତ ରଖିଛନ୍ତି।
ବୁଦ୍ଧିଜୀବୀ ମହଲର ମତ ହେଉଛି, ମଦ ନିଶା ଯୋଗୁଁ ରାଜ୍ୟରେ ଦୁର୍ଘଟଣା ହାର ୭୦% ବୃଦ୍ଧି ପାଉଛି। ପ୍ରତିଦିନ ଘଟୁଥିବା ଦୁର୍ଘଟଣାରେ କେହି ନା କେହି ନିଶାସକ୍ତ ଥିବା ଜଣାପଡ଼ିଛି। ମଦ ପ୍ରଚଳନ ଯୋଗୁଁ ଅର୍ଦ୍ଧାଧିକ ଶ୍ରମ ଦିବସ ନଷ୍ଟ ହେଉଛି। ନିଶା ନିବାରଣ ହେଲେ ରାଜ୍ୟରେ ୫୦% ଅପରାଧ ମଧ୍ୟ କମିଯାନ୍ତା। ଓଡ଼ିଶାରେ ନିଶା ନିବାରଣ ପାଇଁ ଅତୀତରେ ବାଲେଶ୍ବର, ପୁରୀ ଓ କଟକ ଜିଲ୍ଲାର ୧୮ଟି ପୁଲିସ୍ ଷ୍ଟେସନକୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ କିଛି ବି ପ୍ରଭାବ ପଡିଲାନି।
ଏ ନେଇ ୧୯୬୨ରେ ଏଲ୍.ଆଇ.ପରିଜା କମିସନ୍ ବସିଥିଲା। ରିପୋର୍ଟରେ ନିଶା ନିବାରଣ ଫେଲ୍ ହେବାର କମିସନ୍ ମୁଖ୍ୟତଃ ଦୁଇଟି କାରଣ ଦର୍ଶାଇଥିଲେ, ଗୋଟିଏ ହେଲା ସରକାର ଅବାଧ ମଦ କାରବାର, ଉତ୍ପାଦନ ଓ ବିକ୍ରି ଉପରେ ନିଷେଦ୍ଧାଦେଶ ଦେଲେ। କିନ୍ତୁ ମଦ ପିଉଥିବା ବ୍ୟକ୍ତି ପାଇଁ ଦଣ୍ଡର ବ୍ୟବସ୍ଥା କଲେନାହିଁ। ଫଳରେ ଲୋକଙ୍କ ଭିତରେ ଏ ନେଇ ଗୋଟିଏ ଭୟ ରହିଲାନି। ଦ୍ବିତୀୟ କାରଣ ହେଲା ଲୋକମାନଙ୍କ ମାନସିକତା। ସାଧାରଣରେ ଧାରଣା ସୃଷ୍ଟି ହୋଇଛି, ମଦ ପିଇବା ଏକ ଆଭିଜାତ୍ୟ ପରମ୍ପରା ଓ ରାଜକୀୟ ପ୍ରତୀକ। ଏହାଦ୍ବାରା ଶରୀରରେ ତ୍ବରିତ୍ ଶକ୍ତି ସୃଷ୍ଟି ହୁଏ। ଯେ ପର୍ଯ୍ୟନ୍ତ ସରକାର ଏହି ଦୁଇଟି ଦିଗ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି ଓ ଲୋକ ସଚେତନ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ନିଶା ନିବାରଣ ସମ୍ଭବ ନୁହଁ ବୋଲି କମିସନ କହିଛନ୍ତି।
ଉଲ୍ଲେଖଥାଉକି, ୨୦୧୩ ମସିହାରୁ ରାଜ୍ୟ ସରକାର ନିଶା ନିବାରଣ ଉଦ୍ୟମ ଆରମ୍ଭ କରିଛନ୍ତି। ହେଲେ ଏହା ଫଳପ୍ରସୂ ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର ଯୁବ ନୀତିର ନବମ ପାରାରେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ଯୁବ ପିଢୀ ରାଜ୍ୟର ବିକାଶ ଧାରାରେ ଯେଭଳି ସାମିଲ ହେବା କଥା ହୋଇପାରୁନାହାନ୍ତି। ଏଭଳି ଏକ ପୃଷ୍ଠଭୂମିରେ ନିଶାମୁକ୍ତ ଗାଁ କଥା ପରିକଳ୍ପନା କରାଯାଉଛି। ମାତ୍ର ଏହା ଏଯାଏ ତଳସ୍ତରକୁ ଭେଦି ପାରିନାହିଁ। ଗୋଟିଏ ବି ଗାଁକୁ ନିଶାମୁକ୍ତ କରିବା ଦିଗରେ ଲୋକପ୍ରତିନିଧି ଆଗକୁ ଆସିନାହାନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ଏହା ଗୋଟିଏ ସ୍ଲୋଗାନ ହେବା ଦରକାର ବୋଲି ଅନେକ ମତ ରଖୁଛନ୍ତି।
ସବୁଠାରୁ ବଡ କଥା ହେଲା, ଯେଉଁଠି ନିଶା, ସେଇଠି ହିଂସା। ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି। ଏବେ ଯେଭଳି ଦୁର୍ଘଟଣା ଠାରୁ ଆରମ୍ଭ କରି ପାରିବାରିକ ହିଂସାର ସଂଖ୍ୟା ବୃଦ୍ଧି ପାଉଛି, ସେଥିରୁ ପୂରା ରାଜ୍ୟରେ ନିଶା କାରବାର ବଢିବା ଘଟଣା ଆହୁରି ସ୍ପଷ୍ଟ ହୋଇଯାଉଛି।
ଗାନ୍ଧିବାଦୀମାନେ ଆହୁରୁ କହୁଛନ୍ତି ଯେ ସ୍ବାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ଥିଲା ନିଶା ନିବାରଣ। କୁହାଯାଉଥିଲା, ନିଶାମୁକ୍ତ ସମାଜରେ ହିଁ ଦେଶର ନାଗରିକମାନେ ସ୍ବାଧୀନତାର ବାସ୍ତବ ସ୍ବାଦ ଚାଖି ପାରିବେ। ଗୁଜୁରାଟ ପରେ ବିହାର ସରକାର ମଦକୁ ନିଷେଧ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ନିଶା ନିବାରଣ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ ସରକାର ବଦଳିବା ପରେ ସେସବୁ ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ନେତା ବଦଳିଲେ, ନୀତି ବଦଳୁଛି ଓ ଆଭିମୁଖ୍ୟ ବି। କେବଳ ପ୍ରତିବର୍ଷ ଜୁନ୍ ୨୬ ତାରିଖରେ ଅନ୍ତଃରାଷ୍ଟ୍ରୀୟ ନିଶା ନିବାରଣ ଦିବସରେ କିଛି କାର୍ଯ୍ୟକ୍ରମ ଭିତରେ ସରକାର ସୀମିତ ରହିଯାଉଛି।
ସ୍ମରଣଯୋଗ୍ୟ, ପଞ୍ଚଦଶ ବିଧାନସଭାରେ ସରକାରୀ ଦଳର ଦୁଇ ଜଣ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ରବି ନାରାୟଣ ମହାପାତ୍ର ମଦ ଓ ନିଶା ନିବାରଣ ପାଇଁ ଆଣିଥିବା ଦୁଇଟି ପୃଥକ ଘରୋଇ ବିଲ୍ ମଧ୍ୟ ଦଳମତ ନିର୍ବିଶେଷରେ ବିଧାନସଭାରେ ଗୃହୀତ ହୋଇଛି।