ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ପୁରୀରେ ମାଆ ବିମଳାଙ୍କ ସଂପର୍କରେ କିଛି ଗୋପନ ତଥ୍ୟ

0

ଷୋଳ ପୂଜାର ତୃତୀୟ ଦିବସରେ ସବୁ ଦେବୀ ପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଦେବୀ ପୀଠରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସପ୍ତମୀ ଯୁକ୍ତ ଅଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ସମେତ, ମାଆ ବିରଜା, ମଙ୍ଗଳା, ହିଙ୍ଗୁଳା, ମଣିନାଗ ଦୁର୍ଗା ଆଦି ପୀଠମାନଙ୍କରରେ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥାଏ। ଏଥିସହିତ ଆରମ୍ଭ ହୁଏ ଶାରଦୀୟ ପୂଜା। ଏବେ ସମଗ୍ର ରାଜ୍ୟର ଦେବୀ ପୀଠ ଚଳଚଞ୍ଚଳ ହୋଇ ଉଠିଲେଣି । 

ଓଡ଼ିଶାର ଶାକ୍ତ ପରମ୍ପରାରେ ଶ୍ରୀମନ୍ଦିରରେ ବିରାଜିତା ମାଆ ବିମଳା ପାଦ ପୀଠେଶ୍ୱରୀ ଭାବେ ଜଣାଶୁଣା। ଦେବୀ ଭାଗବତ, କାଳିକା ପୁରାଣ ଠାରୁ ଆରମ୍ଭ କରି ବାମଦେବ ସଂହିତା ଯାଏ ସବୁଠାରେ ଏକଥା ବର୍ଣ୍ଣନା କରାଯାଇଛି ଯେ ମାଆଙ୍କ ପୀଠ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଅଟେ। ଏପରିକି ତନ୍ତ୍ର ଚୂଡାମଣି ଗ୍ରନ୍ଥ ଅନୁଯାୟୀ ଭାରତର ୫୧ଟି ପୀଠ ମଧ୍ୟରୁ ଦଶମଟି ହେଲା ମାଆ ବିମଳା କ୍ଷେତ୍ର। ଶ୍ରୀକ୍ଷେତ୍ରଶ୍ୱରୀ ମାଆ ବିମଳା ତାନ୍ତ୍ରିକ ଦେବୀମାନଙ୍କ ମଧ୍ୟରେ ଶ୍ରେଷ୍ଠା ଓ କୌଳ କୁଳର ଆରାଧ୍ୟା ବୋଲି କେହି କେହି ଗବେଷକ ବର୍ଣ୍ଣନା କରିଛନ୍ତି । 

ମାଆ ବିମଳାଙ୍କ ସହସ୍ର କୁମ୍ଭାଭିଷେକ ତଥା ପୂଜାରମ୍ଭ ଆଶ୍ୱିନ କୃଷ୍ଣ ସପ୍ତମୀ କିମ୍ୱା ଅଷ୍ଟମୀ ଠାରୁ ଆରମ୍ଭ ହୋଇଥାଏ। ଅଷ୍ଟମୀ ତିଥିରୁ ପୂଜା ଆରମ୍ଭ ହେବା ବିଧାନ ଥିଲେ ମଧ୍ୟ ପୂର୍ବାବିଦ୍ଧା ଅର୍ଥାତ୍‍ ସପ୍ତମୀ ଯୁକ୍ତ, କେତେବେଳେ ପୁଣି ନବମୀ ପରବିଦ୍ଧା ଅର୍ଥାତ୍‍ ନବମୀ ଯୁକ୍ତ ଥିବା ଦେଖାଯାଏ।

ପୁରୀ ଶ୍ରୀମନ୍ଦିର ବେଢାରେ ମାଆ ବିମଳା ପୂଜିତା। ମାଦଳାପାଞ୍ଜି ତଥ୍ୟ ଅନୁସାରେ ମାଆଙ୍କ ମନ୍ଦିର ଯଯାତି କେଶରୀ ୭୭୩ରେ ନିର୍ମାଣ କରିଥିଲେ । ଅନ୍ୟ ଗବେଷକମାନେ କହନ୍ତି, ବର୍ତମାନର ମନ୍ଦିରକୁ ଚୋଳଗଙ୍ଗ ଦେବ ଦ୍ୱାଦଶ ଶତାଦ୍ଦୀରେ ନିର୍ମାଣ କରିଥିଲେ। ମାଆଙ୍କୁ ଶ୍ରୀକ୍ଷେତ୍ରାଧିଶ୍ୱରୀ ରୂପେ ଶଙ୍ଖ କ୍ଷେତ୍ରରେ ମାନ୍ୟତା ମିଳିଛି। ଉଚ୍ଚତା ୫ଫୁଟ, ଚତୁର୍ଭୁଜା ମାଆ ବିମଳା ପ୍ରଷ୍ଫୁଟିତ ପଦ୍ମ ଫୁଲ ଉପରେ ଦଣ୍ଡାୟମାନ ଅଛନ୍ତି । ଉତ୍କଳ ଇତିହାସର ଅଜ୍ଞାତ ଅଧ୍ୟାୟରେ ମାଆଙ୍କ ବିଗ୍ରହ ଲାଖ୍ୟାରେ ନିର୍ମିତ ବୋଲି ଦର୍ଶାଯାଇଛି । 

ତ୍ରିନେତ୍ରୀ ମାଆ ବିମଳାଙ୍କ ମହାତ୍ମ୍ୟରେ ଅଗଣିତ ଲୋକକଥା ଭରି ରହିଛି। ତେବେ ଦେବୀ ଭାଗବତ କହେ, ସତୀଙ୍କ ଶରୀର ପାଦ ପଦ(ମତାନ୍ତରରେ ରସନା) ପଡିବା ସ୍ଥାନରେ ବିମଳା ପୀଠର ସୃଷ୍ଟି। ବର୍ଷର ଶାରଦୀୟ ଷୋଳ ଦିନକୁ ବାଦ୍‍ ଦେଲେ ମାଆ ବିମଳା କୈବଲ୍ୟ ଭୋଜିନୀ, ପରମ ବୈଷ୍ଣବୀ । ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମାଆ ପାଖରେ ପୁନଃ ସମର୍ପିତ ହେବା ପରେ ଶ୍ରୀ ମହାପ୍ରସାଦ ବୋଲାଇଥାଏ । 

ସହସ୍ରକୁମ୍‍୍ଭାଭିଷେକ ଠାରୁ ମାଆଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଥାଏ । ଦୁର୍ଗାମାଧବ ଉପାସନା ଆଶ୍ୱିନ ମାସର କୃଷ୍ଣାଷ୍ଟମୀଠାରୁ ଶୁକ୍ଲ ନବମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ କରାଯାଏ । ଷୋଳ ପୂଜାର ପ୍ରଥମ ଆଠ ଦିନ ଦୁର୍ଗା ମାଧବ (ରୁନ୍ଧା ମୂର୍ତି) ବଡ଼ଦେଉଳ ବିମଳା ମନ୍ଦିରରେ ପୂଜା ପାଆନ୍ତି । ନବମୀ ଦିନଠାରୁ ଦୁର୍ଗାମାଧବ ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚାରେ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ଯାଇଥାନ୍ତି । ଏହା ଦଶହରା ପର୍ଯ୍ୟନ୍ତ ଚାଲେ । ଗବେଷକମାନଙ୍କ ମତରେ ଦୁର୍ଗାମାଧବଙ୍କର ଏକତ୍ର ଅବସ୍ଥାନ ଓ ପୂଜା ନୀତି ୧୩ ଶତାଦ୍ଦୀ ବେଳକୁ ଆରମ୍ଭ ହୋଇଛି । 

ସପ୍ତମ, ଅଷ୍ଟମୀ, ନବମୀ ତିଥିରେ ମାଆ ବିମଳାଙ୍କୁ ମାଛ ବେସର, ଶାଗ, ଖେଚୁଡି, ଭଜା ଆଦି ସଙ୍ଖୁଡି ଭୋଗ ଅର୍ପଣ କରାଯାଇଥାଏ ।ଏହି ତିନି ଦିନ ମଧ୍ୟରାତ୍ରିରେ ମହାପ୍ରଭୁଙ୍କ ପହୁଡ ହେବା ପରେ ଅନେକ ଗୁପ୍ତ ନୀତି ସମ୍ପର୍ଣ୍ଣ ହୋଇଥାଏ । ଶାରଦୀୟ ପୂଜା ଆବହନମାନ କାଳରୁ ମହିଳାଙ୍କୁ ବିମଳା ମନ୍ଦିର ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରାଯାଇଛି । 

ଉଲ୍ଲେଖଯୋଗ୍ୟ, ଶାରଦୀୟ ଦୁର୍ଗାପୂଜା ଶ୍ରୀମନ୍ଦିର ବେଢାସ୍ଥିତ ବଟ ମଙ୍ଗଳା, ଭୁବନେଶ୍ୱରୀ, ଉତ୍ତରାୟଣୀଙ୍କ ମନ୍ଦିରରେ ବିଧି ଅନୁସାରେ କରାଯାଏ । କିନ୍ତୁ ମାଆ ବିମଳାଙ୍କ ଭଳି ଏଠାରେ ତ୍ରିଦିନାତ୍ମକ ବିଶେଷ ପୂଜା ବ୍ୟବସ୍ଥା ନାହିଁ ।

Leave A Reply

Your email address will not be published.