୫ ମାଓବାଦୀଙ୍କୁ ଏନକାଉଣ୍ଟର କଲା ଓଡ଼ିଶା ପୁଲିସ
ସର୍ଚ ଅପରେସନ୍ ଜୋରଦାର, ମାଲକାନଗିରିରେ ଆଲର୍ଟ ଜାରି
ଭୁବନେଶ୍ୱର:ସୀମାନ୍ତ ଛତିଶଗଡରେ ମାଓବାଦୀ ଅପରେସନ୍ ଜୋରଦାର କରିଛନ୍ତି । ନିକଟରେ ଜଣେ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧି (ଡିଡି କ୍ୟାମେରା ମ୍ୟାନ) ଅଚ୍ୟୁତାନନ୍ଦ ସାହୁଙ୍କୁ ହତ୍ୟା କରିଥିଲେ । ଆଜି କିନ୍ତୁ ମାଲକାନଗିରି ଜିଲ୍ଲାରେ ପୁଲିସ ଏହାର ପ୍ରତିଶୋଧ ନେଇଛି । ଚିତ୍ରୋକୋଣ୍ଡା ସଂଲଗ୍ନ ବିଚ୍ଛିନ୍ନାଞ୍ଚଳ ପାପଲୁର ଗାଁ ନିକଟସ୍ଥ ଜଙ୍ଗଲରେ ରବିବାର ରାତିରେ ପୁଲିସ ଏନକାଉଣ୍ଟରରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଦାନ୍ତ ମାଓ ନେତା ରଣଦେବ ଖସିଯିବାରେ ସକ୍ଷମ ହୋଇଛି । ଓଡ଼ିଶା ପୁଲିସର ଏହି ସଫଳତାକୁ ସବୁ ମହଲ ସାବାସୀ ଦେଇଛନ୍ତି ।
ଅପରେସନ୍ ଦାୟିତ୍ୱରେ ଥିବା ଏଡିଜି ଆର୍ ପି କୋଚେ ଗଣମାଧ୍ୟମକୁ କହିଛନ୍ତି, ପାପଲୁର ଗାଁ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀ ଏକାଠି ହୋଇଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ସେମାନଙ୍କ ସହିତ କିଛି ଟପ୍ କ୍ୟାଡର ମାଓବାଦୀ ବି ଥିଲେ । ଠୋସ୍ ଖବର ପାଇବା ପରେ ଓଡ଼ିଶା ପୁଲିସ ଓ ଏସ୍ଓଜି (ସ୍ପେସାଲ ଅପରେସନ୍ ଗ୍ରୁପ)କୁ ନେଇ ଏକ ଟିମ୍ ଗଠନ ହୋଇଥିଲା । ସେମାନେ ତତ୍କାଳ ଅପରେସନ୍ ଆରମ୍ଭ କରିଥିଲେ ।
ପୁଲିସ କମ୍ୱିଂ କରୁଥିବା ବେଳେ ଅପରପଟରୁ ମାଓବାଦୀମାନେ ଗୁଳିଚାଳନା କରିିଥିଲେ । ଫଳରେ ପୁଲିସ ମଧ୍ୟ ପାଲଟା ଗୁଳିଚଳାଇଥିଲା । ରାତିତମାମ ଏହି ଗୁଳିଚାଳନା ଚାଲିଥିଲା । ପୁଲିସ ଗୁଳିରେ ଜଣେ ମହିଳା କ୍ୟାଡର ସହିତ ମୋଟ ୫ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ସେମାନଙ୍କ କ୍ୟାମ୍ପ ନିକଟରେ ପୁଲିସ ପହଞ୍ଚି ଦୁଇଟି ଇନସାସ୍ ରାଇଫଲ୍ସ, ଗୋଟିଏ ଏସ୍ଏଲ୍ଆର୍ ଓ ୩୦୩ ବନ୍ଧୁକ ଜବତ କରିଛି । ଏହି ଦଳର ନେତୃତ୍ୱ ରଣଦେବ ନେଉଥିଲା ।
ପୁଲିସ ଏବେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ହାଇ ଆଲର୍ଟ ଜାରି କରିଛି । ଅପରେସନ୍ ଜୋରଦାର କରିବା ଲାଗି ଅଧିକ ଫୋର୍ସ ପଠାଯାଇଛି । ପାପଲୁର ସଂଲଗ୍ନ ଜଙ୍ଗଲକୁ ପୁଲିସ ଘେରାଉ କରି ରଖିଛି । ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଏମିତି ଅପରେସନ୍ ଆଗରୁ କେବେ ହୋଇନଥିଲା । ଏହାକୁ ଏକ ସଫଳ ଅପରେସନ୍ ବୋଲି ଡିଜି କହିଛନ୍ତି ।
ପ୍ରମୁଖ ଖବର
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ