ଭୁବନେଶ୍ୱର: ବଦନାମ ନେତାଙ୍କ ଟିକେଟ୍ କାଟିଦେଲେ ବିଜେଡି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଅନେକ ଆକଳନ କରୁଥିଲେ, ଚିତ୍ପଟାଙ୍ଗ ମାରିବ ବିଜେଡି । ମୋଦୀ ହାଵାରେ ଅସନ୍ତୁଷ୍ଟଙ୍କ ଭୋଟ ମିଶିଲେ, ବରବାଦ ଆଡକୁ ଯିବ ଶଙ୍ଖ । ପୁଣି ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଅବର୍ତମାନରେ ବିଜେଡି ନିର୍ବାଚନ ଲଢୁଥିଲା । ୨୦୧୪ରେ ଏସବୁ ଆକଳନ ଓଲଟପାଲଟ ହୋଇଗଲା । ବିଜେଡି ୧୦୩ (୨୦୦୯ନିର୍ବାଚନ)ରୁ ୧୧୭ ସଂଖ୍ୟା ଛୁଇଁଲା । ଭୋଟ ହାର ବଢିଲା ଓ ୫୬ ଜଣ ନୂଆ ବିଜେଡି ବିଧାୟକ ବିଧାନସଭା ଆସିଲେ ।
୨୦୧୯ରେ ବି ସ୍ଥିତି ପାଖାପାଖି ସେୟା । ନବୀନଙ୍କ ଭାବମୂର୍ତି ଖରାପ ହୋଇନି କି ମଳିନ ପଡିନି । କିନ୍ତୁ ବିଜେଡିର ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ଅନେକ ବଦନାମ ହୋଇଛନ୍ତି । ଲୋକଙ୍କ ମତ ସେମାନଙ୍କ ସହିତ ଯାଉନାହିଁ । ଭୋଟର ଠୋସ୍ ନିଷ୍ପତ୍ତି ନେବା ଆଗରୁ ଅପେକ୍ଷା କରିଛନ୍ତି । ନବୀନ ଏଥର ତାଙ୍କ ଚାଲ୍ ଖେଳିବେ ନା ନାହିଁ । ସେମାନଙ୍କ ମନ ପସନ୍ଦର ନେତା ତଥା ନିଷ୍କଳଙ୍କ ବ୍ୟକ୍ତିକୁ ପ୍ରାର୍ଥୀ କରିବେ ନା ପୁଣି ବଦନାମ ନେତାଙ୍କ ଉପରେ ଭରସା କରିବେ । ଆଉ କାହା ଚାପର ବଶବର୍ତୀ ହୋଇ ଦୁର୍ନୀତିଗ୍ରସ୍ତଙ୍କୁ ଟିକେଟ୍ ଦେବେନି ତ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିକୁ ନେଇ ଆଗକୁ ବଢିବା ପରଠାରୁ ରାଜ୍ୟ ରାଜନୀତିରେ ଏମିତି ଗୋଟି ଖେଳି ସଫଳ ହୋଇଛନ୍ତି । ପୁରୁଣା ନେତାଙ୍କୁ ବଦଳାଇ ସେ ଯେଉଁ ନୂଆ ନେତାଙ୍କୁ ମଇଦାନକୁ ଛାଡିଛନ୍ତି, ଲୋକେ ତାଙ୍କୁ ଭରସା କରି ଜିତାଇଛନ୍ତି । ଏହାଦ୍ୱାରା ଆଉ କିଛି ହେଉ କି ନ ହେଉ, କଂଗ୍ରେସ ସମୟରେ ଯେଭଳି ହାତଗଣତି କିଛି ପରିବାର କେବଳ ଶାସନ କରୁଥିଲେ, ବିଜେଡିରେ ସେମିତି ପରିସ୍ଥିତି ସୃଷ୍ଟି ହୋଇପାରୁନାହିଁ ।
କେତେ ବି ଶକ୍ତିଶାଳୀ ହୁଅନ୍ତୁ, ବିଜେଡି ସୁପ୍ରିମୋଙ୍କ ସାମ୍ନାକୁ ଆସିବା ଭଳି ନେତା ଏଯାଏ ବିଜେଡିରେ ନାହାନ୍ତି । କେବଳ ସେତିକି ନୁହେଁ, ନବୀନଙ୍କୁ ମୁହଁ ତୋଡ଼ ଜବାବ ଦେଇ ଲୋକଙ୍କ ବିଶ୍ୱାସ ବି ଜିଣିପାରିନାହାନ୍ତି । ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି । ତାଙ୍କ ଗୋଟିଚାଳନାରେ ବିଶ୍ୱାସ କରୁଥିବା ଭୋଟର, ଓଡ଼ିଶା ଜନମୋର୍ଚା ସହ ରହିଲେନି । ସେହିଭଳି ନବୀନ ଯେଉଁ ନେତାଙ୍କ ଉପରୁ ହାତ ଉଠାଇଛନ୍ତି, ଏଯାଏ ସେମାନେ ତିଷ୍ଠିନାହାନ୍ତି । ଏସବୁ କେବଳ ଲୋକଙ୍କ ସମର୍ଥନ କାରଣରୁ ହୋଇଛି ।
ଏଥର ନିର୍ବାଚନ ଜିଣିଲେ, ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ । ଏଭଳିସ୍ଥଳେ ଲୋକଙ୍କ ସମର୍ଥନକୁ ଜିଣିବା ଲାଗି ନବୀନ ବଦନାମ ନେତାଙ୍କ ବିରୋଧରେ କଠୋର ହୋଇପାରୁଛନ୍ତି କି ନାହିଁତାହାକୁ ଭୋଟର ନଜର ରଖିଛନ୍ତି । ସେହିଭଳି କାହା ଚାପରେ ଚପିଯାଉଛନ୍ତି କିମ୍ୱା ନିଜ ଗୋଟି ଖେଳି ପୁଣି ବିରୋଧୀଙ୍କୁ ଚକମା ଦେବେ, ତାହାକୁ ଭୋଟର ଅପେକ୍ଷା କରିଛନ୍ତି ।
ଏଠାରେ ପ୍ରକାଶଥାଉକି, ସରକାର ବିରୋଧରେ ଜନମତ ବଢିଛି । ଏହା ସହିତ ଉଭୟ ବିଜେପି ଓ କଂଗ୍ରେସ କେହି ସମକକ୍ଷ ସ୍ଥିତିରେ ନ ଥିଲେ ହେଁ, ପୂର୍ବାପେକ୍ଷା ପ୍ରଚଣ୍ଡ ଆକ୍ରମଣ କରିବା ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ । ଏପରିସ୍ଥଳେ ନବୀନଙ୍କ ଉପରେ ଚାପ ରହିବା ସ୍ୱାଭାବିକ ବୋଲି କୁହାଯାଉଛି ।
ପ୍ରମୁଖ ଖବର
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍