ମନ୍ଦିର ପରିଚାଳନାକୁ ନେଇ ସରକାରୀ ତନାଘନା
ଭୁବନେଶ୍ବର: ଗୋଟିଏ ପଟେ ପୁରୀକୁ ଐତିହ୍ୟ ସହର ମାନ୍ୟତା ଦେବା ଲାଗି ସରକାର ଜୋରଦାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ରାଜ୍ୟର ଚାରିଟି ପ୍ରମୁଖ ମନ୍ଦିର ପରିଚାଳନାରେ ସୁଧାର ଆଣିବା ଲାଗି ଆଇନ ମନ୍ତ୍ରୀ ପ୍ରତାପ ଜେନା ତନାଘନା କରିଛନ୍ତି। ଆଜି ଏହି କ୍ରମରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଢାଞ୍ଚାରେ ଭୁବନେଶ୍ବର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ସରକାର ସ୍ବତନ୍ତ୍ର ଆଇନ କରିବେ। ଖୁବ ଶୀଘ୍ର ଏହି ଆଇନ ପ୍ରସ୍ତୁତ କରାଯାଇ ବିଧାନସଭାକୁ ଆସିବ। ଶ୍ରୀମନ୍ଦିର ଭଳି ଭୁବନେଶ୍ବର ଶ୍ରୀ ଲିଙ୍ଗରାଜ ମନ୍ଦିରର ମଧ୍ୟ ଗୁରୁତ୍ବ ରହିଛି। ବାରମ୍ବାର ଏହି ମନ୍ଦିର ପରିଚାଳନାରେ ବିଭ୍ରାଟ ସୃଷ୍ଟି ହେଉଥିବାରୁ ସରକାର ଆଇନ ଆଣି ଏଥିରେ ରୋକ୍ ଲଗାଇବାକୁ ଚାହୁଁଥିବା ସୂଚନା ମିଳିଛି। ବୈଠକରେ ମନ୍ଦିର ଚତୁଃପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ, ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ରକ୍ଷଣାବେକ୍ଷଣ, ମାର୍କେଟ୍ କମ୍ପ୍ଲେକ୍ସ ସମ୍ବନ୍ଧିତ ସମସ୍ୟାର ସମାଧାନ, ବ୍ୟାଖ୍ୟାନ କେନ୍ଦ୍ର ସମ୍ମୁଖରୁ ବିକାଶ ଓ ଦେବୀ ପାଦହରା ପୁଷ୍କରିଣୀର ଉନ୍ନୟନ ପାଇଁ ପ୍ରକଳ୍ପ ସଂପର୍କରେ ବି ଆଲୋଚନା ହୋଇଥିଲା।
ସେହିଭଳି ବାରିପଦାର ଜଗନ୍ନାଥ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନେଇ ମଧ୍ୟ ମନ୍ତ୍ରୀ ପୃଥକ୍ ପୃଥକ୍ ଆଲୋଚନା କରିଛନ୍ତି। ବାରିପଦା ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରତ୍ନତତ୍ତ୍ବ ବିଭାଗ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ମନ୍ତ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଥିଲେ। ଦେବୋତ୍ତର ଜମି ଯେଉଁମାନଙ୍କ ଅଧୀନରେ ଅଛି, ସେମାନଙ୍କୁ ୧୯ ଧାରାରେ ନିୟମିତ କରିବା ଉପରେ ଆଲୋଚନା ହୋଇଥିଲା। ଆଗାମୀ ଏକ ମାସ ମଧ୍ୟରେ ମନ୍ଦିର ୱେବ୍ସାଇଟ୍ ଓ ସେବାୟତମାନଙ୍କ ସ୍ବାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ଉପସ୍ଥିତ ଥିବା ଉପଜିଲ୍ଲାପାଳ ସୂଚନା ଦେଇଥିଲେ। ଘଟଗାଁ ତାରିଣୀ ମନ୍ଦିର କମିଟି ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡର ସମ୍ପୂର୍ଣ୍ଣ ପୁନର୍ଗଠନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଦେବୋତ୍ତର ବିଭାଗ ଦ୍ବାରା ତଦନ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ପ୍ରମୁଖ ଖବର
କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା