ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଏବେଠାରୁ ନ ଚେତିଲେ, ଆଗକୁ ସାଂଘାତିକ ପରିସ୍ଥିତି

0
  • ନବେ ଦଶକର ବେରୋଜଗାରୀ ଓ ଭୋକର ଅପବାଦ ଲାଗିପାରେ
  • ଅସାଧାରଣ ପରିସ୍ଥିତିରେ ସାଧାରଣ ନିଷ୍ପତ୍ତି ବିଫଳତା ଆଣିବ ହିଁ ଆଣିବ
  • ଜୀବନ ପାଇଁ ଯେମିତି ଲାଗିଛନ୍ତି, ଜୀବିକା ପାଇଁ ବି ଉତ୍ତରଦାୟିତ୍ବ ନିର୍ଧାରଣ ହେଉ
  • ନୂଆ ରୋଜଗାର ବାଟ ଖୋଲିବା ଲାଗି ଆଦର୍ଶ ନୀତି, ଘନ ଘନ ବୈଠକ ଦରକାର ନାହିଁ
  • ତୁରନ୍ତ ନିଷ୍ପତ୍ତି ଓ ଭରସା ହିଁ ଅସମ୍ଭବକୁ ସମସ୍ତେ ସମ୍ଭବ କରି ତୋଳେ
  • ସମସ୍ତଙ୍କୁ ସାମିଲ କରାଯିବା ଦରକାର, ରଣନୀତି ବ୍ଲକସ୍ତରରେ ହେବା ଉଚିତ୍
  • ଜିଲ୍ଲାପାଳଙ୍କୁ ବିକାଶ କାମରୁ ଛୁଟିଦେବା ବେଳ ଆସିଛି, ଅନ୍ୟଥା ବିପର୍ଯ୍ୟୟ ମୁକାବିଲା ଅସମ୍ଭବ

ଭୁବନେଶ୍ବର: ଜୀବନ ସହିତ ଜୀବିକାକୁ ସମାନ ଗୁରୁତ୍ବ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସଙ୍କେତ ଦେଲେଣି। ହେଲେ କେଉଁ କେଉଁ କ୍ଷେତ୍ରକୁ ଆରମ୍ଭ କରାଯାଇପାରିବ, ସେ ନେଇ ଠୋସ୍ ଖସଡ଼ା ଓଡ଼ିଶା ସରକାର ଆରମ୍ଭ କରିନାହାନ୍ତି। ଏପରିକି ମନରେଗା କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେବା ପରେ ବି କେଉଁ କେଉଁ କାର୍ଯ୍ୟ ହାତକୁ ନିଆଯିବା ଦରକାର, କେଉଁ ପଞ୍ଚାୟତରେ କେଉଁ କାମ ହେବ, ସହରାଞ୍ଚଳରେ ମୁଖ୍ୟମନ୍ତ୍ରୀ ଯେଉଁ ୧୦୦ କୋଟି ଟଙ୍କା ବରାଦ କରିଛନ୍ତି, ଏଥିରେ ପ୍ରାଥମିକତା କାହାକୁ ଦିଆଯିବ ଏ ସଂକ୍ରାନ୍ତରେ ଠୋସ୍ ନୀତି ହୋଇପାରିନାହିଁ।

ସ୍ବାସ୍ଥ୍ୟ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ କରୋନା ପଛରେ ଅଛନ୍ତି। କିନ୍ତୁ ଅନ୍ୟ ସମସ୍ତେ ହାତ ବାନ୍ଧି ବସିବାର କିଛି ମାନେ ନାହିଁ। ସମସ୍ତଙ୍କୁ କରୋନା ପଛରେ କାହିଁକି ଲଗାଯିବ ? ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ସଂଖ୍ୟା ଅଧିକ। ସେମାନଙ୍କୁ କୋଭିଡ ପାଇଁ ଦାୟିତ୍ବ ଦେଇ ବିଭାଗୀୟ ସଚିବଙ୍କୁ ମୁକ୍ତ କରିବାର ସମୟ ଆସିଛି। ଏହି ଲଢେଇ ଲମ୍ବା ସମୟ ପର୍ଯ୍ୟନ୍ତ ଜାରି ରହିବ। ଯଦି ସଚିବମାନେ ସେସବୁ କାମରେ ମାତିବେ, ତେବେ ରାଜ୍ୟର ଅର୍ଥନୀତି କେବଳ ବୁଡ଼ିଯିବ ତା ନୁହେଁ, ଲୋକେ ପୋକମାଛି ଭଳି ଭୋକରେ ମରିବେ, ଏକଥା ଏଡ଼ାଇଦେଇ ହେବନାହିଁ। ଏ କ୍ଷେତ୍ରରେ ଓଡ଼ିଶା ପ୍ରଶାସନିକ ସେବା ସମେତ ଅନ୍ୟ କ୍ୟାଡର ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ସହିତ ଯୋଡି଼ କାମ କରାଇବାର ବିକଳ୍ପ ଥିଲେ, ବି ସରକାର ଧ୍ୟାନ ଦେଇନାହାନ୍ତି।

ଦ୍ବିତୀୟତଃ, ଏବେ ଲୋକସେବା ଭବନରେ ଉନ୍ନୟନ କମିସନର ନିଜେ କୃଷି ଉତ୍ପାଦନ କମିସନର ଦାୟିତ୍ବରେ ଅଛନ୍ତି। ଏସିଏସ୍ ପାହ୍ୟାର ଅଧିକାରୀ ପ୍ରଦୀପ୍ତ ମହାପାତ୍ର ସ୍ବାସ୍ଥ୍ଯ, ପ୍ରଦୀପ ଜେନା ଏସଆରସି ଅଛନ୍ତି। ଏସିଏସ ପାହ୍ୟାରେ ଥିବା ବରିଷ୍ଠ ଆଇଏଏସ୍ ଅଫିସର ରାଜ କୁମାର ଶର୍ମା, ମୋନା ଶର୍ମା, ସୁଦର୍ଶନ ପାଲ ଠାକୁର, ସି ଜେ ବେଣୁଗୋପାଳ କେଉଁ କାମରେ ଅଛନ୍ତି ? ବିକାଶର ରାସ୍ତା ଖୋଲିବା ଲାଗି ଏମାନଙ୍କୁ ନେଇ କମିଟି ଗଠନ କରାଯାଇପାରେ।

ଏଇଥିପାଇଁ ଯେ ସରକାର ଏବର୍ଷ କରିବାକୁ ଥିବା କାମର ଟେଣ୍ଡର କାମ ଏହି ମଉକାରେ ସାରିବାରେ ଅସୁବିଧା କଣ ଅଛି ? କାମ ଆରମ୍ଭ ବେଳକୁ ସମସ୍ତ ପ୍ରସ୍ତୁତି ସରିଥିଲେ ଯାଇ ବର୍ଷା ଦିନ ପରେ ପରେ ନିର୍ମାଣ କାମ ସ୍ବାଭାବିକ ହୋଇପାରିବ। ପର୍ଯ୍ୟଟନ କ୍ଷେତ୍ରକୁ ଏହି ମଉକାରେ ନୂଆ ରୂପ ଦେବା ପାଇଁ ସରକାର କାହିଁକି ଉଦ୍ୟମ କରୁନାହାନ୍ତି ? ଯେଉଁଥିରେ ସ୍ଥିତି ସ୍ବାଭାବିକ ହେବା ବେଳକୁ ପର୍ଯ୍ୟଟକ ନୂଆ ରୂପରେ ସଂପୃକ୍ତ ଅଞ୍ଚଳକୁ ଆବିଷ୍କାର କରିବ। ପୁରୀରେ ଶାମୁକା ପ୍ରକଳ୍ପରେ କେଉଁ କେଉଁ ହୋଟେଲ ପୁଞ୍ଜି ନିବେଶ କରିବାକୁ ଆସିବେ, ଏ ସଂକ୍ରାନ୍ତରେ ସମଗ୍ର ବିଶ୍ବକୁ ରାଜ୍ୟ ସରକାର ଏବେଠାରୁ ଜଣାଇବାରେ ଅସୁବିଧା କଣ?

ଭୁବନେଶ୍ବରରେ ସ୍ମାର୍ଟସିଟି ଆଳରେ ଯେତେସବୁ ବିକାଶ କାର୍ଯ୍ୟ ହାତକୁ ନେଇଥିଲେ, ସେ ସଂପର୍କରେ ଅର୍ଥ ତ ବରାଦ ଥିବ। ତା ପରେ ଯାଇ ଟେଣ୍ଡର ହୋଇଥିବ। ଏ କ୍ଷେତ୍ରରେ କାମ ଆରମ୍ଭ କରିବା ଲାଗି କାହିଁକି ଉଦ୍ୟମ ହେଉନାହିଁ? ବ୍ୟାଙ୍କମାନଙ୍କ ସହିତ ଶିଳ୍ପାନୁଷ୍ଠାନକୁ ମୁହାଁମୁହିଁ ବସାଇ ସ୍ଥିତିରେ ସୁଧାର ପାଇଁ ଅର୍ଥ ସଚିବଙ୍କୁ ଦାୟିତ୍ବ ଦିଆଗଲେ କିଛି ଅସୁବିଧା ଅଛି କି? ସରକାର ଏହିସ୍ଥିତିରେ ବ୍ରହ୍ମପୁର, ସମ୍ବଲପୁର ପାଟବସ୍ତ୍ରକୁ ନେଇ ସ୍ବତନ୍ତ୍ର ନିଗମ କରିବା ସହିତ ଦେଶର ସମସ୍ତ ରାଜ୍ୟରେ ଓଡ଼ିଶା ପାଟ ବସ୍ତ୍ର ସେଣ୍ଟର ସରକାରୀ ଓ ଘରୋଇ ସହଭାଗିତାରେ ଖୋଲିଲେ ବୁଣାକାର ବର୍ଗକୁ ନ୍ୟାୟ ମିଳନ୍ତାନି।

ବିଭିନ୍ନ ସରକାରୀ ବିଭାଗରେ ରାଜନୈତିକ ଉପଦେଷ୍ଟାଙ୍କୁ ହଟାଇ ସେମାନଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦେବା ଦିଗରେ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି ? ଏଇ ଯେମିତି ଶୀତଳଭଣ୍ଡାର ଦାୟିତ୍ବ ଅମୁକକୁ, ସାର ବିହନ ପଏଣ୍ଟ ସବୁ ପଞ୍ଚାୟତରେ ଖୋଲିବା ଦାୟିତ୍ବ ସମୁକକୁ ଦେଲେ କେତେ ସୁବିଧା ହୁଅନ୍ତା। ସରକାରୀ ତହବିଲରୁ ଅର୍ଥ ଶ୍ରାଦ୍ଧ ହେଉଛି, ଉପଦେଷ୍ଟା ପଦବି,ଗାଡି, ଅଫିସ ଧରି ମଉଜରେ ଅଛନ୍ତି। ଲୋକସେବା ଭବନରେ ଅଧା ଅଫିସର ଏବେ କାମରେ ନାହାନ୍ତି। ସେମାନଙ୍କୁ ବ୍ଲକରେ ପର୍ଯ୍ୟବେକ୍ଷକ ଭାବେ ବସାଇ ଗ୍ରାମ୍ୟ ଅର୍ଥନୀତି ସୁଧାରିବା ଦିଗରେ ସରକାର ଆଗରୁ ଯେତେ ଯୋଜନା କରିଛନ୍ତି, ତାହାର କାର୍ଯ୍ୟାନ୍ବୟନ ଦାୟିତ୍ବ ଦେଉନାହାନ୍ତି କାହିଁକି?

ଏକଥା ଆମେ ସମସ୍ତେ ଜାଣନ୍ତି ଯେ ଲୋକସେବା ଭବନରେ ଫାଇଲରେ ନିର୍ଦେଶ ଦେଲେ କିମ୍ବା ଜିଲ୍ଲାପାଳମାନଙ୍କ ମୁଣ୍ଡରେ ଦାୟିତ୍ବ ଥାପିଦେଲେ ବିକାଶ ହୁଏ ନାହିଁ। କଳାହାଣ୍ଡିରୁ ଅନାହାର ଦୂର ପାଇଁ ସରକାରର ସେ ସମୟର ପଦକ୍ଷେପ ସମଗ୍ର ବିଶ୍ବକୁ ଚକିତ କରିଥିଲା। ଏବେ ସେଭଳି ଦକ୍ଷ ଅଫିସରଙ୍କୁ କାଢି଼ ସରକାର ତାଙ୍କୁ ବିକାଶ ଦାୟିତ୍ବ ଦେବା ସହିତ ଭରସା କରିବା ଉଚିତ୍। ଏପରିକି ବିଭିନ୍ନ ବିଭାଗରେ ନିକଟ ଭବିଷ୍ୟତରେ ଯେଉଁ ଦକ୍ଷ ଅଧିକାରୀ ଅବସର ନେବାକୁ ଯାଉଛନ୍ତି, ତାକୁ ଏଭଳି ସ୍ବତନ୍ତ୍ର କ୍ଷମତା ଦିଆଯିବାରେ କିଛି ଅସୁବିଧା ନାହିଁ। ସାଧାରଣ ପ୍ରକ୍ରିୟାରେ ଏ ଅସାଧାରଣ ସମସ୍ୟାର ସମାଧାନ ହୋଇପାରିବ ନାହିଁ।

ଗୋଟିଏ କଥା ଦେଖାଯାଉଛି, ସରକାର ଯାହା ନିର୍ଦେଶ ଦେଉଛନ୍ତି, ସେଥିରୁ ଅଧାରୁ ଅଧିକ କାର୍ଯ୍ୟାନ୍ବୟନ ହେଉନାହିଁ। ସରକାର କରୋନା ପାଇଁ ଯେତିକି ଅଧିକାରୀଙ୍କୁ ଲଗାଇଛନ୍ତି, ତା ଠାରୁ ଅଧିକ ଅଧିକାରୀଙ୍କୁ ବିକାଶ ରାସ୍ତା ଖୋଲିବା ଲାଗି ଦାୟିତ୍ବ ଦିଆଯିବାର ଆବଶ୍ୟକତା ରହିଛି। ସରକାର ତୁରନ୍ତ ବିଭିନ୍ନ ନିଗମର ଅଧ୍ୟକ୍ଷ ବା ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କରିବା ଦରକାର। ସେମାନଙ୍କ ଉପରେ ତାଙ୍କର ନିଗମର ଉତ୍ତରଦାୟିତ୍ବ ଧାର୍ଯ୍ୟ ହେବା ଉଚିତ୍। ଏହି ପ୍ରକ୍ରିୟାକୁ ନ ଆସିଲେ, କେବଳ ପ୍ରଶାସନିକ ସ୍ତରରେ ବିକାଶ ରାସ୍ତା ଖୋଲିବ ନାହିଁ କିମ୍ବା ଏତେ ବଡ଼ ବିପର୍ଯ୍ୟୟ ମୁକାବିଲା ଆଦୌ ସମାଧାନ ହୋଇାପାରିବ ନାହିଁ। ଅନ୍ୟଥା ବିପର୍ଯ୍ୟୟ ନିୟନ୍ତ୍ରଣକୁ ଆସିବା ବେଳେ ସରକାର ପୁଣି ନବେଦଶକର ଭୋକର ଭୂଗୋଳ ଓଡ଼ିଶା ସଂକ୍ରାନ୍ତ ଇତିହାସ ବହି ହାତରେ ଧରିଥିବେ, ଏକଥା ଜଳ ଜଳ ହୋଇ ଦିଶୁଛି।

Leave A Reply

Your email address will not be published.