ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଅଗଷ୍ଟ ୧୫ ପୂର୍ବରୁ ସମ୍ପୂର୍ଣ୍ଣ ନବକଳେବର!

0
  • ବିଜେଡି ସଂଗଠନ ନୂଆ ରୂପ ନେବ, ବଛାଯିବେ ଯୁବ, ମହିଳା ଓ ଛାତ୍ର ମୁଖିଆ
  • ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ସାମିଲ ହୋଇପାରନ୍ତି, କିଛି ମନ୍ତ୍ରୀଙ୍କ ବିଭାଗ ବଦଳିପାରେ
  • ପ୍ରଶାସନିକସ୍ତରରେ ବଡ଼ ପରିବର୍ତ୍ତନ, ଯୁବ ଅଧିକାରୀଙ୍କୁ ମିଳିପାରେ ବଡ଼ କ୍ଷମତା
  • ପୁଲିସ ପ୍ରଶାସନରେ ବି ବ୍ୟାପକ ପରିବର୍ତ୍ତନ ସମ୍ଭାବନା, କିଛି କ୍ଷେତ୍ରକୁ ସଶକ୍ତ କରାଯାଇପାରେ

ଭୁବନେଶ୍ବର: ଯୁବ, ଛାତ୍ର ସଂଗଠନରେ ନୂଆ ମୁଖିଆ ନିଯୁକ୍ତ ହେବେ। ମହିଳା ବିଜେଡି ନେତ୍ରୀ ବି। ସମବାୟ ଠାରୁ ଆରମ୍ଭ କରି ଶ୍ରମିକ ସଂଗଠନ ପର୍ଯ୍ୟନ୍ତ ସବୁଥିରେ ଟାଣୁଆ ନେତାଙ୍କୁ ଆଗକୁ ଅଣାଯିବ। ସବୁଠାରୁ ବଡ଼ କଥା ହେଲା ସାଧାରଣ ପ୍ରଶାସନ, ପୁଲିସ ପ୍ରଶାସନ ଓ ମନ୍ତ୍ରିମଣ୍ଡଳରେ ବି ବଡ଼ ଧରଣର ଅଦଳବଦଳ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ବିଜେଡି ଓ ରାଜ୍ୟ ସରକାରଙ୍କ ଶୀର୍ଷସ୍ତରରେ ଏଭଳି ଏକ ନକ୍ସା ଉପରେ କସରତ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ୧୫ ତାରିଖ ପୂର୍ବରୁ ସମୁଦାୟ ବିଜେଡି ଓ ସରକାରରେ ନବ କଳେବର ସମ୍ଭାବନା ଅଧିକ।

କରୋନା ପରିପ୍ରେକ୍ଷୀରେ ବର୍ତମାନ ଏସବୁ କରାଯିବା ଉଚିତ୍ ନୁହେଁ ବୋଲି ଗୋଟିଏ ପକ୍ଷ ମତ ରଖି ଏ ପ୍ରକ୍ରିୟାକୁ ବିଳମ୍ବିତ କରିବା ଲାଗି ବାଟ ଖୋଲୁଥିଲେ ହେଁ ମୁଖିଆ କିନ୍ତୁ ବର୍ତ୍ତମାନ ଉପଯୁକ୍ତ ସମୟ ବୋଲି ବିଚାର କରୁଛନ୍ତି। ଏଭଳି ପରିବର୍ତ୍ତନ ଦ୍ବାରା ସମୁଦାୟ ପ୍ରଶାସନରେ କ୍ରିୟାଶୀଳତା ବଢ଼ିବ ଓ ନୂଆ ଦାୟିତ୍ବକୁ ସଠିକ୍ ଢଙ୍ଗରେ ନିଭାଇବା ଲାଗି ନେତା ଓ ଅଧିକାରୀ ଆପ୍ରାଣ ଉଦ୍ୟମ କରିବେ, ଯାହା ପରୋକ୍ଷରେ ସରକାର ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବ ବୋଲି କୁହାଯାଉଛି।

ସବୁଠାରୁ ବଡ଼ କଥା ହେଲା, ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯିବ। ସଂପ୍ରତି ବିଜେପି ଓ କଂଗ୍ରେସ ସକ୍ରିୟ ହୋଇଥିବା ପରିପ୍ରେକ୍ଷୀରେ ଏହା ଜରୁରୀ ହୋଇପଡ଼ିଛି। ବିରୋଧୀଙ୍କୁ ଚାପରେ ନ ରଖିଲେ, ୨୦୧୭ ପଞ୍ଚାୟତ ନିର୍ବାଚନ ଭଳି ସରକାର ଓ ବିଜେଡି ଉପରେ ସେମାନେ ସବାର ହେବା ଲାଗି ବେଶୀ ସମୟ ନେବେ ନାହିଁ। ଏଣୁ ସବୁ କ୍ଷେତ୍ରରେ ଦକ୍ଷ ନେତାଙ୍କୁ ସାମ୍ନାକୁ ଆଣିବା ଲାଗି ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ମତ ରଖୁଛନ୍ତି।

ଇତିମଧ୍ୟରେ ବିଜେଡିର ଉପସଭାପତି ପଦବି ଲାଗି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଯାଇଛି। ଏବେ ଦଳର ସାଧାରଣ ସଂପାଦକ, ସଂପାଦକମାନଙ୍କ ସହିତ ବିଭିନ୍ନ ଶାଖାର ମୁଖିଆ ନିଯୁକ୍ତି ଦିଆଯିବ। ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଠାରୁ ଆରମ୍ଭ କରି ବିଧାୟକ ବ୍ୟୋମକେଶ ରାୟଙ୍କ ପର୍ଯ୍ୟନ୍ତ ଅନେକ ଯୁବ ନେତାଙ୍କ ନାମ ଏହି ପଦବି ଲାଗି ଚର୍ଚ୍ଚାକୁ ଆସୁଛି। ସେହିପରି ଛାତ୍ରରେ ମଧ୍ୟ ଏକାଧିକ ଯୁବ ବିଧାୟକଙ୍କ ନାମ ଉପରେ ଆଲୋଚନା ଜୋର ଧରିଲାଣି। ହେଲେ ବିଜେଡିର ଛାତ୍ର ଓ ଯୁବ ସଂଗଠନ ଅରୁଣ ସାହୁ ଓ ସଂଜୟ ଦାସବର୍ମାଙ୍କ ପରେ ପ୍ରଭାବୀ ହୋଇନପାରିବାର ବଡ଼ କାରଣଟି ହେଲା ଏହା ଗୋଟିଏ ଗୋଷ୍ଠୀ ଦ୍ବାରା ବାରମ୍ବାର ନିୟନ୍ତ୍ରିତ ହୋଇଯାଉଛି। ଯିଏ ବି ଦାୟିତ୍ବ ନିଅନ୍ତୁ ନା କାହିଁକି, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବା କାରଣରୁ ସେମାନେ ଗୋଟିଏ ଗୋଷ୍ଠୀ ଆଡକୁ ଢଳି ରହିବାରେ ଅସ୍ବାଭାବିକତା ନାହିଁ।

ଏଣୁ ଦଳରେ ଭାରସାମ୍ୟ ରଖିବାକୁ ହେଲେ, ଏ କ୍ଷେତ୍ରରେ ନେତୃତ୍ବକୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ହେବ। ନୂଆ ଗୋଷ୍ଠୀ ପାଇଁ ବାଟ ଖୋଲିବା ଦରକାର। ଅର୍ଥାତ୍ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ସଶକ୍ତ ନେତାଙ୍କୁ ସାମ୍ନାକୁ ଆଣିବା ଅପରିହାର୍ଯ୍ୟ ବୋଲି କୁହାଯାଉଛି। ଯିଏ କି ପରବର୍ତୀ ବିକଳ୍ପ ଭାବେ ଦଳକୁ ଆଗକୁ ଆଣିବା ଲାଗି ସାହସ ଜୁଟାଇବେ, ଯଦି ବର୍ତମାନର ପ୍ରମୁଖ ନେତାମାନଙ୍କ କ୍ଷେତ୍ରରେ କୌଣସି ବି ସମସ୍ୟା ସୃଷ୍ଟି ହୁଏ।

କେବଳ ସେତିକି ନୁହେଁ, ଉପକୂଳ ଓଡ଼ିଶାରେ ଯୁବ, ଛାତ୍ର ଓ ମହିଳା ସଂଗଠନ ଯଦି ଅଟକିଯାଏ, ତେବେ ସଂଗଠନ ବଢିବା ସମ୍ଭାବନା କ୍ଷୀଣ ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି। ଏମିତିରେ ବି ବିଜେପି ଉପକୂଳରେ ସଭାପତି ପଦ ରଖିଥିବା ବେଳେ କେନ୍ଦ୍ର ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ଓଡ଼ିଶାରେ ପ୍ରତାପ ଷଡ଼ଙ୍ଗୀ ଏବଂ ଯୁବ ଗୋଷ୍ଠୀକୁ ପଶ୍ଚିମ ଓଡ଼ିଶାରୁ ବାଛିବା କାରଣରୁ ଦଳରେ ଯେଭଳି ଅସନ୍ତୋଷ ଉଠିବା କଥା ତାହା ପରିଦୃଷ୍ଟ ହେଉନାହିଁ। ବିଜେଡ଼ିକୁ ଏ କ୍ଷେତ୍ରରେ ଏବେ ମପାଚୁପା ରଣନୀତି ନିର୍ଧାରଣ କରିବାକୁ ହେବ। ସେହିଭଳି ମହିଳା ସଭାନେତ୍ରୀ ପଦବି ବାଣ୍ଟିବା ବେଳେ ମଧ୍ୟ ନେତୃତ୍ବ ଉପକୂଳ ଓଡ଼ିଶାରେ ଅଟକି ନଯିବା ଦରକାର।

ବର୍ତ୍ତମାନର ବ୍ୟବସ୍ଥାରେ ସଂଗଠନକୁ ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା ଉପକୂଳକୁ ପ୍ରତିନିଧିତ୍ବ କରୁଛନ୍ତି। ମନ୍ତ୍ରିମଣ୍ଡଳରେ ବି ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଜେନା ପ୍ରମୁଖ ଉପକୂଳର ବରିଷ୍ଠ ନେତାମାନେ ଏବେ ସାମ୍ନାରେ ଅଛନ୍ତି। ଏଣୁ ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଉପକୂଳ ଓଡ଼ିଶାରୁ ଦେବାର କୌଣସି ପ୍ରାସଙ୍ଗକିତା ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ। ଯିଏ ନ ପାଇବେ, ସେମାନେ ମଣ ଉଣା କରି ପୁଣି ଗୋଟିଏ ଗୋଷ୍ଠୀ କରିବେ। ବରଂ ଏ କ୍ଷେତ୍ରରେ ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର ପ୍ରମୁଖଙ୍କୁ ମନ୍ତ୍ରିମଣ୍ଡଳରୁ କାଢ଼ି ଯୁବ ସଂଗଠନ ଦାୟିତ୍ବ ଦିଆଯାଇପାରେ। ବରଗଡ଼ର କୌଣସି ପ୍ରତିନିଧିତ୍ବ ନ ଥିବା କାରଣରୁ ଦେବେଶଙ୍କ କଥା ବି ବିଚାର କରାଯାଇପାରେ। ରମେଶ ମାଝୀ ମଧ୍ୟ ଏକ ବଡ଼ କାର୍ଡ ହୋଇପାରନ୍ତି। ଉପସଭାପତି ପଦବି ଭଳି ସ୍ବତନ୍ତ୍ର କମିଟିରେ ଉପକୂଳ ନେତାଙ୍କୁ ଆଣି ଭାରସାମ୍ୟ ରଖିବାରେ ଅସୁବିଧା ନାହିଁ। ମହିଳା କ୍ଷେତ୍ରରେ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର, ସୁବାସିନୀ ଜେନାଙ୍କୁ ଦଳ ସାମ୍ନାକୁ ଆଣି ପରୀକ୍ଷା କରିବା ଦରକାର। ଯିଏ କି ପ୍ରତିପକ୍ଷଙ୍କୁ ଉପଯୁକ୍ତ ଜବାବ ଦେଇପାରିବେ। ଏ କ୍ଷେତ୍ରରେ ନିର୍ଦିଷ୍ଟ ଗୋଷ୍ଠୀ ବା ନିଜକୁ ସୁହାଇଲା ଭଳି ନେତାକୁ ସାମ୍ନାକୁ ଆଣିଲେ ଦଳ ପାଇଁ ଆଗକୁ କେବଳ ଅଡୁ଼ଆ ହିଁ ଅଡୁଆ। ଯେହେତୁ ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଛନ୍ତି, ଏଣୁ ସେ କ୍ଷେତ୍ରରେ ମନ୍ତ୍ରିମଣ୍ଡଳରେ କେବଳ ସଂପୃକ୍ତ ଜିଲ୍ଲାମାନଙ୍କୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି ବୋଲି ରାଜନୈତିର ମହଲର ମତ।

ସେହିଭଳି ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ବିଭାଗ ଅଦଳବଦଳ ଅପେକ୍ଷା ରଖୁଛି। ସ୍ବାସ୍ଥ୍ୟ, ଅର୍ଥ, ଯୋଗାଣ, ଶକ୍ତି, ପୂର୍ତ, ପଞ୍ଚାୟତିରାଜ, ନଗର ଉନ୍ନୟନ ବିଭାଗରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ଏସବୁ କ୍ଷେତ୍ରରେ ହିଁ ସରକାର ଆଗକୁ ଝୁଣ୍ଟିବା ସମ୍ଭାବନା ବଢ଼ିଗଲାଣି। ବିରୋଧୀ ଦଳ ଯେଉଁ ରଣନୀତି କରୁଛନ୍ତି, ତାହା ଏତିକି ବିଭାଗ ଉପରେ ହିଁ ଆଗକୁ ବଢ଼ିବ। ଏଣୁ ଏ କ୍ଷେତ୍ରରେ ଅପେକ୍ଷାକୃତ ଯୁବକ ଓ କଥାକୁହା ମନ୍ତ୍ରୀଙ୍କୁ ଦଳ ସାମ୍ନାକୁ ଆଣି ନପାରିଲେ, ସରକାର ପକ୍ଷରୁ ବିରୋଧୀଙ୍କୁ ପ୍ରତିଜବାବ ଦେବା ବେଳେ ସମାଲୋଚିତ ହୋଇପାରନ୍ତି। ଏବେ ଯେମିତି ସ୍ବାସ୍ଥ୍ୟ ପ୍ରସଙ୍ଗରେ ରାଜ୍ୟସଭା ସାଂସଦଙ୍କୁ ଦଳକୁ ସାମ୍ନାକୁ ଆଣିବାକୁ ପଡ଼ିଲା ଓ ସରକାର ବଦଳରେ ଦଳ ଉତ୍ତର ଦେଲା ବୋଲି ବିରୋଧୀ କଟାକ୍ଷ କଲେ, ଏହି ଧାରା ଆଗକୁ ଜନମତ ପ୍ରତି ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ମହଲ ହିସାବ ନିକାସ କରୁଛନ୍ତି।

ସେହିଭଳି ପ୍ରଶାସନିକସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନର ଆଭାସ ମିଳୁଛି। ଅନେକ ଯୁବ ଆଇଏଏସ୍ ଅଫିସରଙ୍କୁ ସାମ୍ନାକୁ ଆଣି ସରକାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି। ସେହିଭଳି ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାର ଅଫିସରଙ୍କୁ ନେଇ ଏକ କମିଟି ମାଧ୍ୟମରେ ମୁଖ୍ୟଶାସନ ସଚିବ ଓ ଉନ୍ନୟନ କମିସନରଙ୍କ ପରାମର୍ଶଦାତା ମଣ୍ଡଳୀ ଗଠନ କରି ସରକାରରେ ଅଫିସରସ୍ତରରେ ଭାରସାମ୍ୟ ରଖିବା ଲାଗି ମନ୍ତ୍ରଣା ଚାଲିଥିବା କୁହାଯାଉଛି। ଆଇପିଏସ୍ ସ୍ତରରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ସମ୍ଭାବନା ରହିଥିବା କୁହାଗଲାଣି।

Leave A Reply

Your email address will not be published.