ପ୍ରମୁଖ ଖବର

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ରାଜଧାନୀ ଭୁବନେଶ୍ଵରରେ ସିରିଜ୍ ଦୁର୍ଘଟଣା: ୨ଟି ମୋ ବସ ଓ ୨ଟି କାର ଦୁର୍ଘଟଣା ଗ୍ରସ୍ତ

ନୂଆ ଟିମ୍ ପାଇଁ ନୂଆ ଚ୍ୟାଲେଞ୍ଜ

0
  • ଯୁବ ନେତୃତ୍ବ ପରାକ୍ରମ ନ ଦେଖାଇଲେ ରଣନୀତି ଭୁଲ୍‌ଭାଲ୍ ହେବ
  • ବିଜେପି ସମେତ ବିରୋଧୀଙ୍କୁ ମୁକାବିଲା ଲାଗି ରଣନୀତି ନିର୍ଧାରଣ ହୋଇନି

ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ପରେ ଦଳୀୟ ପଦପଦବି ନିଯୁ୍କ୍ତି ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଦଳର ଶୀର୍ଷସ୍ତର ଠାରୁ ଆରମ୍ଭ କରି ଯୁବ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଯଥେଷ୍ଟ ଅଧିକ ନେତାଙ୍କୁ ସାମିଲ କରାଯିବା ସହିତ ବିଜେଡିକୁ କ୍ୟାଡ଼ର ଭିତ୍ତିକ କରିବା ଲାଗି ଉଦ୍ୟମ ହୋଇଛି। ବିଜେଡି ସାଂଗଠନିକ ସଂପାଦକ ପଦବି ସୃଷ୍ଟି ହୋଇଛି। ବରିଷ୍ଠ ଉପସଭାପତି ଓ ଉପସଭାପତିଙ୍କ ବ୍ୟତୀତ ଯୁବ ବର୍ଗରେ ମହାସଚିବ ପଦବି ସୃଷ୍ଟି କରାଯାଇଛି। ସଭାପତି ଭାବେ କାହାକୁ ନିଯୁକ୍ତି ଦିଆନଯାଇ ଯୁବ ସାଂଗଠନିକ ବ୍ୟାପାର ଦାୟିତ୍ବରେ ଥିବା ନେତାଙ୍କ ହାତରେ ଯୁବ ସଂଗଠନ ନ୍ୟସ୍ତ ହୋଇଛି। ଏଥିରୁ ଅନୁମାନ କରାଯାଉଛି, ଛାତ୍ର ସଂଗଠନ ବି ଅନୁରୂପ ଢାଞ୍ଚାରେ ହେବ।

ବିଜେଡିର ଏହି ନୂଆ ଶୈଳୀରେ ସାଂଗଠନିକ ପୁର୍ନବିନ୍ୟାସ କେତେଦୂର ପ୍ରଭାବୀ ହେବ, ତାକୁ ନେଇ ରାଜନୈତିକ ମହଲରେ ଆକଳନ ଆରମ୍ଭ ହେଲାଣି। ଏଇଥିପାଇଁ ଯେ ନୂଆ ପଦ୍ଧତିରେ ଯଥେଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରାଯାଇଛି ସତ, କିନ୍ତୁ ଯଦି ସାଂଗଠନିକ କାର୍ଯ୍ୟରେ ସେମାନଙ୍କୁ ଲଗାଯାଇପାରିବ ନାହିଁ, ତେବେ ଏହା ଅସନ୍ତୋଷ ସୃଷ୍ଟିର ଏକ ବଡ଼ କାରଣ ବି ହୋଇପାରେ। କେବଳ ସେତିକି ନୁହେଁ, ସାଂଗଠନିକ ସଂପାଦକଙ୍କ ଠାରୁ ଆରମ୍ଭକରି ଯୁବ ଓ ଛାତ୍ର ବ୍ୟାପାର ଦାୟିତ୍ବରେ ଥିବା ନେତାମାନେ ଏବେ ଦଳୀୟ ନେତାଙ୍କ ମଧ୍ୟରେ (ବରିଷ୍ଠ ଏବଂ କନିଷ୍ଠ) ଭାରସାମ୍ୟ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି।

ସଂପ୍ରତି ବିଜେପି ସହିତ ବିଜେଡିର ସଂପର୍କରେ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳିଲାଣି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଯେ କୌଣସି ମୁହୂର୍ତରେ ସିବିଆଇ ଆହୁରି ପ୍ରଚଣ୍ଡ ରୂପ ଧରି ବିଜେଡି ନେତାଙ୍କୁ ଆକ୍ରମଣ କରିବ। କେବଳ ଚିଟ୍‌ଫଣ୍ଡରେ ନୁହେଁ, ବରଂ ଅନ୍ୟ କେନ୍ଦ୍ରୀୟ ଯୋଜନା ଆଦି ପ୍ରସଙ୍ଗରେ। ଏହାକୁ ଆଯୁଧ କରି ବିଜେପି ନେତାମାନେ ଅଧିକ ଗର୍ଜନ ତର୍ଜନ କରିବା ସହିତ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବା ଲାଗି କାର୍ଯ୍ୟକ୍ରମ ଆପାଣାଇବା ସମ୍ଭାବନା ଅଧିକ ରହିଛି। ଅର୍ଥାତ୍ ଉଭୟ ଦଳ ମଧ୍ୟରେ ଆଉ ମଧୁଚନ୍ଦ୍ରିକାର କୌଣସି ସୁଯୋଗ ନାହିଁ। ବିଜେଡି ଯଦି ସମାନ୍ତରାଳ ଭାବେ ଆକ୍ରମଣାତ୍ମକ ଭୂମିକା ଗ୍ରହଣ ନ କରେ ତେବେ ଦଳ ପାଇଁ ଯଥେଷ୍ଟ କ୍ଷତି ପହଞ୍ଚିପାରେ। ସେହିଭଳି ସମର୍ପିତ ମୁଦ୍ରାରେ ରହିଲେ,ଦଳରେ ବିଭାଜନ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ଏପରି ପରିସ୍ଥିତିରେ ରାଜନୈତିକ ରଣକୌଶଳ ନିର୍ଣ୍ଣୟ କରି ବିରୋଧୀ ଶକ୍ତିଙ୍କୁ ମୁକାବିଲା କରିବା ବେଳ ଏବେ ବିଜେଡି ପାଇଁ ଆସିଛି। ହେଲେ ଏତେ ବିଶାଳ ଟିମ୍‌କୁ ନେତୃତ୍ବ କିଭଳି ମାର୍ଗଦର୍ଶନ ଦେଉଛନ୍ତି, ତାହା ଲକ୍ଷ୍ୟ ରଖିବା କଥା। କାହିଁକି ନା ବିଜେଡିର ନୂଆ ସଂଗଠନକୁ ଦେଖିଲେ, ଗୋଟିଏ କଥା ବୁଝାପଡ଼ିଯାଉଛି ଯେ ପିଢୀ ପରିବର୍ତ୍ତନ ଲାଗି ଯଥେଷ୍ଟ ଧ୍ୟାନ ନେଇଛନ୍ତି ନେତୃତ୍ବ। ଏବେ ନୂଆ ନେତାମାନେ ଯେତେ ଅଧିକ ସକ୍ରିୟ ହେବେ, ନେତୃତ୍ବର ଯୋଜନା କାର୍ଯ୍ୟାନ୍ବୟନ ସେତିକି ସହଜ ହେବ। ଅନ୍ୟଥା ଯଦି ପୁରୁଣା ନେତାଙ୍କ ଉପରେ ପୁଣି ଭରସା କରିବାକୁ ପଡ଼ିବ, ତେବେ ଦଳରେ ଭାରସାମ୍ୟ ଦୋହଲିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପୁରୁଣା ପ୍ରଭାବ ବିସ୍ତାର କରିବେ ଓ ନୂଆ ସଂଗଠନକୁ ଖାତିର୍ କରିବେ ନାହିଁ। ସେହିଭଳି ନୂଆ ନେତାମାନେ ଅଣଦେଖା ହୋଇ ମୁହାଁମୁହିଁ ହୋଇପାରନ୍ତି।

ଏଠାରେ ପ୍ରକାଶଥାଉକି, ବିଜେଡି ନିର୍ବାଚନ ପରଠାରୁ କୌଣସି ଗୋଟିଏ ବି ବଡ଼ ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେଇନାହିଁ କିମ୍ବା କେନ୍ଦ୍ର ଅଥବା ଓଡ଼ିଶା ସ୍ବାର୍ଥ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇନାହିଁ। ଏବେ ନୂଆ ଟିମକୁ କିଭଳି ଭାବେ ମୁଣ୍ଡିଆଳ ନେତାମାନେ ପରିଚାଳିତ କରୁଛନ୍ତି, ସେମାନଙ୍କୁ କି ମନ୍ତ୍ର ଦିଆଯାଉଛି, ସର୍ବୋପରି ବିଜେଡି ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିବ ନା ନିରବି ଯିବ, ତାହା ଉପରେ ଓଡ଼ିଶା ରାଜନୀତିର ଭବିଷ୍ୟତ ନିର୍ଭର କରୁଥିବା ରାଜନୈତିକ ପଣ୍ଡିତମାନେ ବିଶ୍ଳେଷଣ କରୁଛନ୍ତି।

Leave A Reply

Your email address will not be published.