ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ପାରିବାରିକ ରାଜନୀତିକୁ ଓହ୍ଲାଇଲେ ମହେଶ୍ବର

0
  • ସୁନୀଲ ମହାନ୍ତି ବିଜୁ ଯୁବ ଜନତା ଦଳ ଉପସଭାପତି ନିଯୁକ୍ତ
  • ପୁରୀ ରାଜନୀତି ଉଷ୍ଣ, ବିଜୁଙ୍କ ରାସ୍ତାରେ ଗଲେନି ମହେଶ୍ବର
  • ପାରିବାରିକ ରାଜନୀତିକୁ ନିଜେ ବିଭିନ୍ନ ମଞ୍ଚରେ ନା କରିଥିଲେ

ଭୁବନେଶ୍ବର: ଶେଷରେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ପାରିବାରିକ ରାଜନୀତିର ଆଶ୍ରୟ ନେଇଛନ୍ତି। ଯେଉଁ କଥାକୁ ସେ ଗତ ଦଶନ୍ଧି ଧରି ବିଭିନ୍ନ ମଞ୍ଚରେ ଅସ୍ବୀକାର କରି ଆସୁଥିଲେ, କୌଣସି ପରିସ୍ଥିତିରେ ପରିବାରରୁ ତାଙ୍କ ସକ୍ରିୟ ସମୟରେ କେହି ରାଜନୀତିକୁ ଆସିବେ ନାହିଁ ବୋଲି କହି ବୁଲୁଥିଲେ, ଏବେ ସେହି କଥାକୁ ସେ ନିଜେ ଢୋକି ଦେଇଛନ୍ତି। ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମହେଶ୍ବର ମହାନ୍ତିଙ୍କୁ ବଡ଼ ପୁଅ ସୁନୀଲ ମହାନ୍ତି ଏବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ରାଜନୀତି ସହିତ ଆଦୌ ସଂପର୍କ ନ ଥିବା ସୁନୀଲ, ବାପା’ ମହେଶ୍ବରଙ୍କ ପ୍ରଭାବ ବଳରେ ସିଧାସଳଖ ରାଜ୍ୟ ଉପସଭାପତି ପଦକୁ ଉନ୍ନୀତ ହୋଇଛନ୍ତି।

ପୂର୍ବରୁ ବିଜେଡିରେ ବହୁ ବରିଷ୍ଠ ନେତା ଚତୁରତାର ସହିତ ପୁଅମାନଙ୍କୁ ରାଜନୀତି ମଇଦାନରେ ଥଇଥାନ କରିବାରେ ସଫଳ ହୋଇଛନ୍ତି। ହେଲେ ଅନେକ ନେତାଙ୍କୁ ପୁଅ ମୋହ ମହଙ୍ଗା ପଡ଼ିଛି। ଏପରିକି ପୁଅକୁ ଥଇଥାନ କରିବା ନିଶାରେ ନିଜର ରାଜନୀତିର ସବୁ ସଫଳତାକୁ ପାଣି ଫୋଟକା ଭଳି ମିଶାଇ ଦେଇଛନ୍ତି। ଖୋଦ୍ ବିଜୁ ବାବୁଙ୍କ ଅନ୍ତେ ନବୀନ ବାବୁଙ୍କୁ ତତ୍କାଳୀନ ଜନତା ଦଳ ନେତାମାନେ ରାଜ୍ୟ ରାଜନୀତିକୁ ଆଣିଥିଲେ। ବିଜୁ ବାବୁ ପାରିବାରିକ ରାଜନୀତିରେ ବିଶ୍ବାସ କରୁନଥିଲେ।

ବିଜୁଙ୍କ ଏକାନ୍ତ ଅନୁଗତ ବୋଲି କୁହାଯାଉଥିବା ବିଜୟ ମହାପାତ୍ର ଓ ନଳିନୀ ମହାନ୍ତି ଏହି ଧାରାରେ ଯାଇଥିଲେ। ନଳିନୀଙ୍କ ଅନ୍ତେ ତାଙ୍କ ପୁଅ ରାଜନୀତିକୁ ଆସିଥିଲେ। ସେହିପରି ଅଶୋକ ଦାସଙ୍କ ପରେ ଯାଇ ତତ୍କାଳୀନ ନେତାମାନେ ପ୍ରଣବ ପ୍ରକାଶ ଦାସ ବା ବର୍ତମାନର ବିଜେଡି ସଂଗଠନ ସଂପାଦକ ବବି ଦାସଙ୍କୁ ରାଜନୀତିକୁ ଆଣିଥିଲେ। ବିଜୟ ମହାପାତ୍ର ତାଙ୍କ ପୁଅକୁ ସକ୍ରିୟ ରାଜନୀତିରୁ ଯଥେଷ୍ଟ ଦୂରରେ ରଖିଛନ୍ତି। ଅନ୍ୟପକ୍ଷରେ ଦାମ ବାବୁ (ଡାକ୍ତର ଦାମୋଦର ରାଉତ)ଙ୍କ ଭଳି ନେତା ପୁଅକୁ ଥଇଥାନ କରିବାରେ ସଫଳ ହୋଇଥିଲେ ହେଁ ନିଜର କ୍ୟାରିଅରରେ ଡୋରି ବାନ୍ଧିଥିଲେ।

ବିଜୟଶ୍ରୀ ରାଉତରାୟ ରାଜନୀତିରୁ ଅବସର ନେଇ ନିଜ ସ୍ଥାନରେ ପୁଅକୁ ଟିକେଟ୍ ଦେଇଥିଲେ। ଅନଙ୍ଗ ଉଦୟ ସିଂହଦେଓଙ୍କ ପାଇଁ ବି ପୁଅ ମୋହ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏବେ ପରିବାରର ଜଣେ ବି କେହି ସକ୍ରିୟ ରାଜନୈତିକ ପଦପଦବିରେ ନାହାନ୍ତି। ଏପରି ପରିସ୍ଥିତିରେ ମହେଶ୍ବର ମହାନ୍ତିଙ୍କ ଗୋଟିଚାଳନା ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାଇଛି।

ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ସମ୍ଭବତଃ ରାଜନୀତିରୁ ମହେଶ୍ବର ଅବସର ନେଇଗଲେ। କାରଣ ଗତ ନିର୍ବାଚନରେ ପୁରୀରେ ସେ ହାରିଥିଲେ। ତାଙ୍କ ବିରୋଧରେ ପ୍ରବଳ ଜନମତ କାରଣରୁ ଆଦୌ ସଂଗଠନ ନଥିବା ବିଜେପି ସେଠାରେ ବିଧାୟକ ଆସନ ହାତେଇଲା। କେବଳ ସେତିକି ନୁହେଁ, ପୁରୀରେ ମହେଶ୍ବର ବିଜେଡିକୁ ଏମିତି ଦୁର୍ବଳ କରିଦେଲେ ଯେ ଦଳକୁ ଏଥିପାଇଁ ବେଶ୍ ମୂଲ୍ୟ ଦେବାକୁ ପଡ଼ିଛି।

କେବଳ ସେତିକି ନୁହେଁ, ପୁରୀ ବିକାଶ ପାଇଁ ସରକାର ଅକଳରେ ପଡିଥିବା ବେଳେ ମହେଶ୍ବର କୌଣସି ସହଯୋଗ କରିବାକୁ ଆସିନଥିଲେ। ଏପରିକି ରଥଯାତ୍ରା ସମୟରେ ଯେଉଁ ସରକାର ବିରୋଧୀ ହାଵା ସୃଷ୍ଟି ହୋଇଥିଲା, ସେବେ ବି ସେ ନିଷ୍କ୍ରିୟ ରହିଥିଲେ। ସେବେଠାରୁ ମହେଶ୍ବର ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା। ହେଲେ ନିଜେ ମହେଶ୍ବର ବଗଲା ଧର୍ମଶାଳା ମାମଲାରେ ମୁହଁ ଖୋଲି ବିତର୍କକୁ ଆସିଥିଲେ। ଖୋଲାଖୋଲି ଗଣମାଧ୍ୟମରେ ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ସେ କହିଥିଲେ। ପୁଅକୁ ରାଜନୀତିକୁ ଆଣିବା ଲାଗି ମହେଶ୍ବର ଏଭଳି କୌଶଳ କରିଥିଲେ କି ବୋଲି ଏବେ ପ୍ରଶ୍ନ ଉଠିଲାଣି।ବଗଲା ପ୍ରସଙ୍ଗରେ ଦଳୀୟ ନେତାଙ୍କ ସହିତ ମୂଲଚାଲ କରି ପୁଅକୁ ଦଳୀୟ ପଦପଦବି ଦେବାରେ ସେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି।

କୌତୂହଳର କଥା ହେଲା, ମହେଶ୍ବରଙ୍କ ପୁଅକୁ ଥଇଥାନ କରାଯିବା ନିଷ୍ପତ୍ତି କିନ୍ତୁ ପୁରୀରେ ବିଜେଡିକୁ ପୁଣି ଅକଳରେ ପକାଇ ଦେଇଛି। ଏହାକୁ ମହେଶ୍ବର ଏକ ସକାରାତ୍ମକ ପରିବେଶରେ ପରିଣତ କରିପାରୁଛନ୍ତି ନା ପୁରୀରେ ମହେଶ୍ବରଙ୍କ ପୁଅ ଜରିଆରେ ସକ୍ରିୟତା ଖବର ଦଳକୁ ଆଗକୁ ବିପଦକୁ ଆଣିବ, ତା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.