ପ୍ରମୁଖ ଖବର

୧୮ ତାରିଖ ଦିନ ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୯.୫୧ରୁ ୧୨.୧୫ ରହିଛି ଶୁଭ ମୂହୁର୍ତ୍ତ
ଶ୍ରୀମନ୍ଦିର ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦିକୁ ସ୍ଥାନାନ୍ତର କରାଯିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଜାମ୍ମୁ ଓ କାଶ୍ମୀରରେ ଥମୁନି ଆତଙ୍କବାଦ, ଆର୍ମି ଅଫିସର ସମେତ ୪ ସହିଦ
ୟୁପି ଶିକ୍ଷକଙ୍କୁ ଆଶ୍ବସ୍ତି, ୨ ମାସ ପାଇଁ ସ୍ଥଗିତ ରହିଲା ଡିଜିଟାଲ ଉପସ୍ଥାନ
ସମ୍ବଲପୁର ଚିଡ଼ିଆଖାନାକୁ ଆସିବେ ୪ ମହାବଳ ବାଘ
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା: ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ
କଟକ ଏସସିବି ମେଡିକାଲରେ ଉତ୍ତେଜନା ; ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ

ନାଗାର୍ଜୁନ ବେଶରେ କାଳିଆ, ବଳିଆ; କିନ୍ତୁ ସୁଭଦ୍ରା?

0

ଭୁବନେଶ୍ବର: ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅଦିନ ପଡ଼ିଥାଏ, ସେବର୍ଷ କାର୍ତ୍ତିକ ଏକାଦଶୀ ଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ଯେଉଁ ତିଥି ମଳ ପଡ଼େ, ସେହି ତିଥିରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥାଏ। ଏହି ଆଧାରରେ ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି। କରୋନା କଟକଣା ଯୋଗୁଁ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ ନିଷିଦ୍ଧ କରାଯାଇଛି। ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି ଓ ଭୁବନେଶ୍ବର ଠାରୁ ପୁରୀ ଯାଏ ରାସ୍ତାରେ ପୁଲିସ ନାକାବନ୍ଦୀ କରିଛି।

ଅନ୍ୟପକ୍ଷରେ ସୁନା ଅଳଙ୍କାର ଗଣତିକୁ ନେଇ ବିବାଦ କାରଣରୁ ମହାପ୍ରଭୁଙ୍କ ଏହି ବୀର ବେଶ ନିର୍ଧାରିତ ସମୟ ଠାରୁ ଆଜି ପ୍ରାୟ ଅଢେଇ ଘଣ୍ଟା ବିଳମ୍ବ ହୋଇଥିଲା।ଖବର ଅନୁସାରେ, ଭଣ୍ଡାର ମେକାପ, ଖୁଣ୍ଟିଆ ଓ ସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ପରେ ଶ୍ରୀମନ୍ଦିର ପ୍ରଶାସନ ବୁଝାସୁଝା କରିବା ପରେ ସ୍ଥିତିର ସୁଧାର ଆସିଥିଲା। ଏଣୁ ଭୋର ୪ଟା ୪୫ ମିନିଟରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲେ ହେଁ, ନାଗାର୍ଜୁନ ବେଶ ସକାଳ ୭ଟାରେ ଆରମ୍ଭ ହୋଇଥିଲା ଓ ପାଖାପାଖି ସାଢେ ନଅଟା ବେଳକୁ ଶେଷ ହୋଇଥିବା ଜଣାପଡ଼ିଛି।

ଦୀର୍ଘ ୨୬ବର୍ଷ ପରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେଉଛି। ୧୯୯୪ ମସିହାରେ ଶେଷଥର ପାଇଁ ଶ୍ରୀଜିଉମାନେ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ। ସେବର୍ଷ ନଭେମ୍ବର ୧୬ ତାରିଖରେ ମଳ ତ୍ରୟୋଦଶୀ ତିଥିରେ ଠାକୁରେ ନାଗା ବେଶ ହୋଇଥିଲେ। ଏହା ପୂର୍ବରୁ ୧୯୯୩ ମସିହା ନଭେମ୍ବର ୨୩ ତାରିଖରେ ମଳ ଦ୍ବାଦଶୀ ତିଥିରେ ନାଗାର୍ଜୁନ ବେଶ ହୋଇଥିଲେ। ହେଲେ ସେବର୍ଷ ଶ୍ରୀମନ୍ଦିରରେ ଦଳାଚକଟା ଘଟି ୩ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା। ତତ୍କାଳୀନ ସରକାର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତତ୍କାଳୀନ ବିଚାରପତି ଜଷ୍ଟିସ ଜୀବନ ମୋହନ ମହାପାତ୍ର କମିସନ ବସାଇଥିଲେ ହେଁ ,ତାଙ୍କ ରିପୋର୍ଟ ସରକାରଙ୍କ ପାଖରେ ହଜିଯାଇଛି।

ଏକ ବିଂଶ ଶତାଦ୍ଦୀର ପ୍ରଥମ ନବକଳେବର ଆଜି ଅନୁଷ୍ଠିତ ହେଉଛି। ଏଥିପାଇଁ ଢେର୍ ଆଗରୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିଲା। ନିୟମ ଅନୁସାରେ, ଦଶହରା ଦିନ ଏହି ବେଶ ଅନୁକୂଳ ହୋଇଥିଲା। ପୁରୀ ହରଚଣ୍ଡୀ ସାହିର ଚକ୍ରକୋଟ ଖୁଣ୍ଟିଆଙ୍କ ନିଜ ଘରେ ଏହି ବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବସନ୍ତ କୁମାର ରଣା ଓ ତାଙ୍କର ସହଯୋଗୀମାନେ ଏଥର ବେଶ ପ୍ରସ୍ତୁତ କରିଛନ୍ତି। ଭୋରରୁ ଘଣ୍ଟନାଦ ଭିତରେ ଏହି ବେଶକୁ ଶ୍ରୀମନ୍ଦିରରେ ବିଜେ କରାଯାଇଥିଲା।

ଆଜି ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ମଇଲମ ପରେ ବେଶ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିରର ପ୍ରମୁଖ ସେବକ କୁହାଯାଉଥିବା ଭିତରଚ୍ଛ ମହାପାତ୍ର, ତଳୁଚ୍ଛ ମହାପାତ୍ର, ପୁଷ୍ପାଳକ ସେବକମାନେ ଏହି ବେଶ ମହାପ୍ରଭୁଙ୍କୁ କରିଥାନ୍ତି। ଖୁଣ୍ଟିଆ ଓ ମେକାପ, ସିଂହାରୀ ପ୍ରମୁଖ ସହଯୋଗ କରିଥିଲେ।

ଆଜି ଉଭୟ ଶ୍ରୀ ଜଗନ୍ନାଥ ଓ ବଳଭଦ୍ର ବୀର ନାଗା ବେଶରେ ସଜ୍ଜିତ ହୋଇଛନ୍ତି। ଉଭୟଙ୍କ ମୁଣ୍ଡରେ ହାଣ୍ଡିଆ ଖଞ୍ଜାଯାଇଛି। ଠାକୁରଙ୍କ ପିଠିରେ ଢେଣୁ ବନ୍ଧାଯାଇଛି। ଉଭୟ ତୀରଭର୍ତି ତୁଣୀର ଲଗାଇଛନ୍ତି। ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛନ୍ତି। ଶ୍ରୀମୁଖରେ ଦାଢ଼ି ଲଗାଯାଇଛି। ବାଙ୍କଛୁରୀ ଠାରୁ ଆରମ୍ଭ କରି ଢାଲ ଅସ୍ତ୍ରଶସ୍ତ୍ରରେ ପ୍ରଭୁ ସଜାଇ ହୋଇଛନ୍ତି। ଏହା ସହିତ ମହାପ୍ରଭୁଙ୍କ ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟ ଲାଗି ହୋଇଛନ୍ତି। ଅନ୍ୟପକ୍ଷରେ ଦେବୀ ସୁଭଦ୍ରାଙ୍କୁ ତ୍ରିଭୁବନେଶ୍ବରୀ ବେଶ କରାଯାଇଛି। ତାଙ୍କ ମସ୍ତକରେ କିରୀଟ, ଚନ୍ଦ୍ରିକା, ତଗଡି, ଲାଗି ହୋଇଛନ୍ତି।

ଉଲ୍ଲେଖଥାଉକି, ମହାପ୍ରଭୁଙ୍କ ଏହି ବେଶର ପ୍ରାଚୀନତା ନେଇ ବିବାଦ ରହିଛି। ୧୯୬୬ ମସିହା ପୂର୍ବରୁ ଶ୍ରୀମନ୍ଦିରରେ ଏହି ବେଶ ସଂପର୍କିତ ରେକର୍ଡ ନଥିବା କୁହାଯାଉଛି। କେହି କେହି ପୁରୀର ସାହିମାନଙ୍କର ହେଉଥିବା ନାଗା ପରମ୍ପରାର ଅଂଶ ସ୍ବରୂପ ଶ୍ରୀମନ୍ଦିରରେ ଏହି ବେଶ ପରିକଳ୍ପନା କରାଯାଇଥିବା କହୁଛନ୍ତି। ଆଉ କେହି କେହି ମହାଭାରତରର ନାଗାର୍ଜୁନଙ୍କ ସହିତ ଏହି ବେଶର ସଂପର୍କ ଯୋଡୁଥିବା ବେଳେ ଆଉ କେହି ନାଗାର୍ଜୁନ ବେଶରେ କେହି ଭକ୍ତ ଦେଖିବାକୁ ଚାହିଁବା ପ୍ରଭୁଙ୍କ ଏହି ବେଶର ଉତ୍ପତି ପଛର ରହସ୍ୟ ବୋଲି କହୁଛନ୍ତି।

Leave A Reply

Your email address will not be published.