ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କଲେ ନବୀନ

0
  • ୮ ମନ୍ତ୍ରୀଙ୍କ ଉପରେ ସବୁଠାରୁ ଅଧିକ ବିପଦ, ୬ ମନ୍ତ୍ରୀଙ୍କର ବିଭାଗ ବଦଳିବା ନିଶ୍ଚିତ
  • ବଦଳିପାରନ୍ତି ବାଚସ୍ପଚି, ଉପବାଚସ୍ପତି ଏବଂ ସରକାରୀ ଦଳର ମୁଖ୍ୟ ସଚେତକ
  • କିଛି ଟାଣୁଆ ମନ୍ତ୍ରୀ ସଂଗଠନ ଦାୟିତ୍ବ ନେବେ, ଅଧିକ ମହିଳାଙ୍କୁ ଗୁରୁତ୍ବ ମିଳିବ
  • ବେଶୀ ଯୁବ ନେତାଙ୍କୁ ମିଳିବ ଗୁରୁତ୍ବ, ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଚାଲିଛି ଅଙ୍କକଷା
  • ମନ୍ତ୍ରିମଣ୍ଡଳ ସହିତ ବିଜେଡି ପର୍ଯ୍ୟବେକ୍ଷକ ତାଲିକାରେ ବି ହୋଇପାରେ ପରିବର୍ତ୍ତନ
  • କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଉପରେ ବି ରହିଛି ସରକାରଙ୍କ ନଜର
  • ରଥଯାତ୍ରା ପରେ ପରେ ନୂଆ କ୍ୟାବିନେଟ୍ ନେଇ ଆରମ୍ଭ ହେବ ନୂଆ ଅଭିଯାନ

ଭୁବନେଶ୍ବର: ଖୁବ୍‌ ଶୀଘ୍ର କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଗ ଭିଡୁଛନ୍ତି। ଏ ସଂକ୍ରାନ୍ତରେ ବିଚାର ଆଲୋଚନା ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚୁପ୍ ବସିନାହାନ୍ତି। ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଧରଣର ପରିବର୍ତ୍ତନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ରଥଯାତ୍ରା ପରେ ଯେବେ ମହାପ୍ରଭୁ ନୀଳଦ୍ରୀ ବିଜେ କରିବେ, ତା ପରେ ପରେ ଏହି ଅଦଳବଦଳ କାର୍ଯ୍ୟକ୍ରମ କରାଯିବା ସମ୍ଭାବନା ଅଧିକ। ୮ ମନ୍ତ୍ରୀଙ୍କ ପଦ ଯିବା ନିଶ୍ଚିତ। ୬ ମନ୍ତ୍ରୀଙ୍କର ବିଭାଗ ବଦଳିବା ସମ୍ଭାବନା ବି ଉଜ୍ଜ୍ବଳ। ଏଭଳି ଏକ ନକ୍ସା ଉପରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ତ୍ରିମଣ୍ଡଳରେ ଆଉ ଦୁଇ ଜଣ ମହିଳା ମନ୍ତ୍ରୀଙ୍କୁ ସାମିଲ ପାଇଁ ବି ନବୀନ ଗମ୍ଭୀର ଭାବେ ଚିନ୍ତା କରୁଛନ୍ତି।

ଏହି ଖବର ଧୀର ଧୀରେ ବିଜେଡି ଭିତରକୁ ଗଲାଣି। ବିଜେଡି ଶିବିରରେ ମନ୍ତ୍ରିମଣ୍ଡଳ ଅଦଳବଦଳ କମ୍ପନ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଟିକିଏ ହଲଚଲ ହେଉଥିବା ନେତାମାନେ ମନ୍ତ୍ରୀ ପଦ ଆଶାରେ ପ୍ରକୃତିସ୍ଥ ହୋଇପଡ଼ିଛନ୍ତି। ସରକାରରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରୁଥିବା ମନ୍ତ୍ରୀମାନେ ଏବେ ନିଜ ବିଭାଗ ଉପରେ ଗରଗର ହେଲେଣି। କିଏ କେତେ ଅଧିକ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ବିଭାଗ ସଂପର୍କରେ ଏକ ଭଲ ଚିତ୍ର ଦେଇପାରିବେ, ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ବିଭାଗ ସଂପର୍କରେ ସବୁ ଭଲ ଖବର ଯେଭଳି ଆସେ ସେଥିଲାଗି ମନ୍ତ୍ରୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ମିଳୁଥିବା ସୂଚନା ଅନୁସାରେ, ଯେଉଁ ମନ୍ତ୍ରୀମାନଙ୍କ ନାମରେ କୌଣସି ଅଭିଯୋଗ ରହିଛି, ସେମାନଙ୍କୁ ପରିବର୍ତ୍ତନ କରିବାକୁ ନବୀନ ମନସ୍ଥ କରିଛନ୍ତି। କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଅପେକ୍ଷାକୃତ କମ୍ ବିଭାଗ ଦେଇ ନବୀନ ଏକଥା ବି ଜଣାଇବେ ଯେ ତାଙ୍କୁ ତାଙ୍କ କାର୍ଯ୍ୟ ଓ ଭାବମୂର୍ତ୍ତିରେ ସଂଶୋଧନ ଆଣିବାକୁ ହେବ। ମନ୍ତ୍ରୀ ଅରୁଣ କୁମାର ସାହୁ, ସମୀର ରଂଜନ ଦାଶ, ନବ କିଶୋର ଦାସ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ରଙ୍କ ବିଭାଗରେ ବଡ଼ ପରିବର୍ତ୍ତନ କରାଯାଇପାରେ। ମନ୍ତ୍ରୀ ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଜଗନ୍ନାଥ ସାରକା, ସୁଦାମ ମାରାଣ୍ଡି, ଜ୍ୟୋତି ପାଣିଗ୍ରାହୀଙ୍କ ପଦବି ପ୍ରତି ସବୁଠାରୁ ବେଶୀ ବିପଦ ରହିଛି। ଏମାନଙ୍କ ପ୍ରଦର୍ଶନ ଓ କାର୍ଯ୍ୟ ସଂପର୍କରେ ହାଇକମାଣ୍ଡ ଅତି ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଜିଲ୍ଲା ରାଜନୀତି ଦୃଷ୍ଟିରୁ ମଧ୍ୟ ଏମାନଙ୍କୁ ପରିବର୍ତ୍ତନ କଲେ କି ପ୍ରଭାବ ପଡ଼ିବ ତାହା ଉପରେ ମଧ୍ୟ ତର୍ଜମା ଚାଲିଛି। ସୋନପୁର ଜିଲ୍ଲାରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ମଧ୍ୟରୁ ଜଣକୁ ବାଦ୍ ଦିଆଯିବା ନେଇ ନବୀନ ଚିନ୍ତା କରୁଥିବା ସୂଚନା ମିଳୁଛି।

କେବଳ ସେତିକି ନୁହେଁ, ବିଧାନସଭା ବାଚସ୍ପତି ଓ ଉପବାଚସ୍ପତି ପରିବର୍ତ୍ତନ ହୋଇପାରନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମନ୍ତ୍ରୀ କରି ତାଙ୍କ ସ୍ଥାନରେ ଦୀର୍ଘ ଅଭିଜ୍ଞତା ରଖିଥିବା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନବୀନ ବାଚସ୍ପତି କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ସେହିଭଳି ନିର୍ବାଚନ ବେଳକୁ ଅନୁଗୁଳ ଜିଲ୍ଲା ରାଜନୀତିକୁ ଦୃଷ୍ଟିରେ ରଖି ଉପବାଚସ୍ପତି ରଜନୀ ସିଂହ କିମ୍ବା ବିଧାୟକ ବ୍ରଜ ପ୍ରଧାନଙ୍କୁ ମନ୍ତ୍ରୀ କରାଯାଇପାରେ। ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳରେ ପୁରୀରୁ ଜଣେ ମନ୍ତ୍ରୀ ବାଦ୍ ଦିଆଯିବା ଉପରେ କସରତ ଚାଲିଛି।

କାହାକୁ ମନ୍ତ୍ରୀ କରାଯିବ ସେ ନେଇ ସମ୍ଭାବ୍ୟ ତାଲିକା ଉପରେ ଭଲ ମନ୍ଦ ବିଚାର କରାଯାଉଥିବା ଖବର ଆସୁଛି। ଏହି କ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନାମରେ ଚର୍ଚ୍ଚାକୁ ଆସୁ ଥିବା ବେଳେ ବିଧାୟକ ଅତନୁ ସବ୍ଯସାଚୀ ନାୟକ, ପ୍ରତାପ କେଶରୀ ଦେବ, ସୁନ୍ଦରଗଡ଼ ଜିଲ୍ଲାରୁ ଶାରଦା ପ୍ରସାଦ ନାୟକ, ସୁବ୍ରତ ତରାଇ, ବାଲେଶ୍ବରରୁ ଅଶ୍ବିନୀ କୁମାର ପାତ୍ର, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ରଘୁରାମ ପୋଡାଲ, ପୂର୍ବତନ ବାଚସ୍ପତି ପ୍ରଦୀପ କୁମାର ଅମାତ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସତ୍ୟବାଦୀରୁ ଉମାକାନ୍ତ ସାମନ୍ତରାୟ ପ୍ରମୁଖଙ୍କ ନାମ ଓ କାର୍ଯ୍ୟ ତରିକା ଉପରେ ବିଚାର ଚାଲିଛି। ପ୍ରଥମଥରିଆ ବିଧାୟିକା ମୀନାକ୍ଷି ମହନ୍ତ, ଲତିକା ପ୍ରଧାନଙ୍କ ନାମ ବି ତର୍ଜମା ପରିସରରେ ରହିଛି। ମନ୍ତ୍ରୀ ପଦରୁ କାଢ଼ି ସମୀର ରଂଜନ ଦାଶଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ପଦବିରେ ନିଯୁକ୍ତି ଦିଆଯିବା ଉପରେ ବି ଚିନ୍ତା ଚାଲିଛି।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଅଦଳବଦଳ ରାଜ୍ୟ ରାଜନୀତି ପାଇଁ ବେଶ୍ ଗୁରୁତ୍ବ ରଖେ। ବେଶୀ ଆବଶ୍ୟକ ନ ହେଲେ ଏହି ଅଦଳବଦଳ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ପୂରା ଦମ୍‌ରେ ଅଢେଇ ବର୍ଷ ସରକାର ତୃଣମୂଳସ୍ତରରେ ବିରୋଧୀଙ୍କୁ ଜଗିବେ। ଏଣୁ ଅପେକ୍ଷାକୃତ ଦକ୍ଷ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରେ ଦେଖିବାକୁ ମିଳିପାରେ। ତେବେ ଯେଉଁମାନେ ଦଳ ସହିତ ମୂଲଚାଲ କରିବା ଲାଗି ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରିଛନ୍ତି, ସେମାନଙ୍କୁ କୌଣସି ପରିସ୍ଥିତିରେ ଆଗକୁ ନ ଆଣିବା ଲାଗି ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବରଂ ଏଭଳି ନେତାମାନଙ୍କୁ ଯେତେ କମ୍ ଗୁରୁତ୍ବ ଦିଆଯିବ ସେ ନେଇ ନବୀନ ଦଳର ଶୀର୍ଷସ୍ତରର ନେତାଙ୍କୁ ବି ନିର୍ଦେଶ ଦେଇଛନ୍ତି।

ମନ୍ତ୍ରିମଣ୍ଡଳ ଅଦଳବଦଳ ସହିତ ବିଜେଡି ତାର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। କିଛି ବରିଷ୍ଠ ମନ୍ତ୍ରୀଙ୍କୁ ସଂଗଠନର ଚାବି ଧରାଇବାକୁ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ସେମାନେ ଯେଉଁ ଜିଲ୍ଲା ଦାୟିତ୍ବ ନେବେ, ସେଠାରେ ବିଜେ଼ଡିକୁ ଏକ ନମ୍ବର କରିବାକୁ ହେବ। ଏଥିପାଇଁ ଏଥର ପର୍ଯ୍ୟବେକ୍ଷକମାନଙ୍କୁ ବି ବିଜେଡି କିଛି ଅଧିକ ଦାୟିତ୍ବ ଏବଂ କ୍ଷମତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଅଧିକ ଯୁବ ନେତାଙ୍କୁ ଜିଲ୍ଲା ଦାୟିତ୍ବ ଦେଇ ବିଜେଡି ଦଳରେ ସକ୍ରିୟତା ଆଣିବାକୁ ଚାହୁଁଛନ୍ତି। ୨୦୧୭ରେ ମଧ୍ୟ ଅନୁରୂପ ଏକ କୌଶଳ ବିଜେଡି ଗ୍ରହଣ କରିଥିଲା। ମନ୍ତ୍ରିମଣ୍ଡଳରୁ ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ବାହାରି ଆସି ସଂଗଠନ ସଜାଡିବା କାମରେ ଲାଗିଥିଲେ। ଏଭଳି କୌଶଳ ଏଥର ବି କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.