ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ଦେବାଶିଷଙ୍କୁ ସମ୍ମାନ ଟିକିଏ ଦେବାକୁ ବି ଭୁଲିଗଲେ!

0

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ଶେଷକୃତ୍ୟ କଟକ ଖାନନଗର ଶ୍ମଶାନରେ ଶେଷ ହୋଇଛି। ହେଲେ ଦେବାଶିଷଙ୍କ ବିୟୋଗ ଯେମିତି ପୂରା ଓଡ଼ିଶାକୁ ସ୍ତବ୍ଧ କରିଦେଇଥିଲା, ଠିକ୍ ସେମିତି ତାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ହୋଇଥିବା ବ୍ୟତିକ୍ରମ ବିଭିନ୍ନ ମହଲକୁ ବ୍ୟଥିତ କରିଛି। ଦେବାଶିଷଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବାକୁ ଭୁଲିଗଲେ?

ଅନେକ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲ କେହି ଏହି ଘଟଣାକୁ ଗ୍ରହଣ କରିପାରୁନାହାନ୍ତି। କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା? ପୁଲିସ ମହାନିର୍ଦେଶକଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଭିଜିଲାନ୍ସ ନିର୍ଦେଶାଳୟ, କଟକ ଜିଲ୍ଲା ପ୍ରଶାସନ କାହାର ମନକୁ ଏକଥା ଆସିଲାନି କେମିତି? ତାଙ୍କ ମରଶରୀରକୁ ତାଙ୍କ କର୍ମସ୍ଥଳୀ ଭିଜିଲାନ୍ସ ନିର୍ଦେଶାଳୟ ସାମ୍ନାକୁ ନିଆଗଲା ନାହିଁ କାହିଁକି?

କିଛି ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ରାଜ୍ୟ ସରକାରଙ୍କ ଉପଦେଷ୍ଟା ଥିବା ବିଜୟ ସାହୁ ହୁଅନ୍ତୁ କି ଚଳଚ୍ଚିତ୍ର ତାରକା ବିଜୟ ମହାନ୍ତି ଅଭା ଅଜିତ ଦାସ, କବି ରବି ସିଂହ; ଏ ସମସ୍ତଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ଲାଗି ସରକାର ନିର୍ଦେଶ ଦେଇଥିଲେ। ଏହାର ଅନୁପାଳନ ହୋଇଥିଲା। ହେଲେ ଭିଜିଲାନ୍ସ ନିର୍ଦେଶକଙ୍କ କ୍ଷେତ୍ରରେ ଏମିତି ନ ହେବା ବିସ୍ମୟକର ଘଟଣା। ଡିଆଇଜିରୁ ତତୋଧିକ ପାହ୍ୟାର ଅଧିକାରୀ ମର୍ଯ୍ୟାଦା ପାଇହାକୁ ହକ୍‌ଦାର। ଏହା ବ୍ୟତୀତ ଶ୍ରୀ ପାଣିଗ୍ରାହୀଙ୍କର ଅନ୍ୟ ଗୋଟିଏ ପରିଚୟ ବି ରହିଛି। ସେ ଜଣେ ଆଗଧାଡ଼ିର ସାହିତ୍ୟିକ। ରାଜ୍ୟ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ଲେଖକ ମଧ୍ୟ।

କେବଳ ସେତିକି ନୁହେଁ, ତାଙ୍କ କର୍ମମୟ ଜୀବନରେ ସଫଳତା ଅନେକ ରହିଛି। ରାଜ୍ୟର ସବୁ ପ୍ରମୁଖ ଜିଲ୍ଲାର ସେ ଏସ୍‌ପି ଥିଲେ। ଭିଜିଲାନ୍ସ ନିର୍ଦେଶକ ଭାବେ ଶ୍ରୀ ପାଣିଗ୍ରାହୀଙ୍କ ନିର୍ଭିକତା ଓ ସଫଳତା ସାରା ରାଜ୍ୟ ଜାଣିଛି। ଜଣେ ଭଦ୍ର ଓ ଅମାୟିକ ବ୍ୟକ୍ତିତ୍ବ ଭାବେ ତାଙ୍କର ଯେଭଳି ପରିଚୟ ରହିଛି, ଠିକ୍ ସେଭଳି ଜଣେ ଦକ୍ଷ ଓ ଟାଣୁଆ ଅଫିସର ଭାବେ ତାଙ୍କ ଖ୍ୟାତି ବି ସେଭଳି ରହିଛି। ଏଭଳି ଜଣେ ବ୍ୟକ୍ତିଙ୍କ ପାଇଁ ପୁଲିସ ମୁଖ୍ୟାଳୟ ଯେଭଳି ନ୍ୟାୟ କରିବା କଥା ତାହା ଦେଖାଗଲାନାହିଁ। ଏହା ଆଦୌ ଗ୍ରହଣଯୋଗ୍ୟ ଘଟଣା ନୁହେଁ। ନିଜେ ପୁଲିସ ମହାନିର୍ଦେଶକ ଏ କ୍ଷେତ୍ରରେ ସାମ୍ନାକୁ ଆସି ଏଭଳି ମର୍ଯ୍ୟାଦା ଦେବା ଲାଗି ଘୋଷଣା କରିବା କଥା। ସେ ବି ନିରବ ରହିଲେ କେମିତି?

ଅଧିକାରୀମାନଙ୍କର କହିବା କଥା ହେଉଛି, ଯଦି ଜଣେ ନେତାଙ୍କର ମୃତ୍ୟୁ ହେଉଛି କିମ୍ବା ବିଧାୟକଙ୍କର ପରଲୋକ ଘଟୁଛି, ତେବେ ତାଙ୍କୁ ତାଙ୍କ କର୍ମସ୍ଥଳୀ ବିଧାନସଭାକୁ ନିଆଯିବାର ପରମ୍ପରା ରହିଛି। ବିଶିଷ୍ଟ ତାରକାଙ୍କର ସଙ୍ଗୀତ ମହାବିଦ୍ୟାଳୟ ସହିତ ସଂପୃକ୍ତ ଥିବା କାରଣରୁ ସେମାନଙ୍କୁ ବି ନିଆଯାଇଥିଲା। ଯେଉଁ ସଂସ୍ଥାର ଖୋଦ୍ ମୁଖିଆ ଦାୟିତ୍ବରେ ଥିବା ବେଳେ ତାଙ୍କର ଦେହାନ୍ତ ଘଟୁଛି, ତାଙ୍କୁ ସେ କ୍ୟାମ୍ପସକୁ ନିଆଯିବ ନାହିଁ? ଇଏ କିଭଳି କଥା। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହିତ ନେବା ଲାଗି ମତପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ବିଧାନସଭା ବାଚସ୍ପତି ଶରତ କରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାନଯିବା ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହାର ପରିସମାପ୍ତି ଘଟିନି, ଡଣେ ଦକ୍ଷ ଓଡ଼ିଆ ପୁଲିସ ଅଧିକାରୀଙ୍କ ଶେଷ କୃତ୍ୟ ବେଳେ ରାଷ୍ଟ୍ରୀୟ ସମ୍ମାନ ବା ମର୍ଯ୍ୟାଦା ନ ମିଳିବା ଘଟଣାକୁ ସରକାର ହାଲକା ଭାବେ ନେବା ଉଚିଚ୍ ନୁହେଁ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.