ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଆଉ ପାଦେ ଆଗେଇଲେ

0
  • ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ଲାଗି ନିର୍ଦେଶ ଦେଲେ ସରକାର
  • ୬୦ କୋଟି ଟଙ୍କା ଅନୁମୋଦନ, ଓବିସିସି ପ୍ରକଳ୍ପ କାମ ହାତକୁ ନେଲା
  • ସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ ହେବ ଏହି ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ସତ୍ୟବାଦୀରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ ଲାଗି ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ହେଲେ ମିଳୁଥିବା ସୂଚନା ଅନୁସାରେ, ଓଡ଼ିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାର ୬୦କୋଟି ଟଙ୍କା ବିନିଯୋଗ ରାସ୍ତା ଖୋଲିଛନ୍ତି। ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ୍ ଏହାର ନିର୍ମାଣ କରିବ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଖୁବ୍ ଶୀଘ୍ର ସାରିବା ଲାଗି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।

ଏଯାଏ ପାଖାପାଖି ୧୦ ଏକର ଜମି ଅଧ୍ରଗ୍ରହଣ ହୋଇଥିବା ବେଳେ ବାକି ଜମି ଶୀଘ୍ର ହାତକୁ ନେବା ଲାଗି କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍କୁଲ ଅଫ୍ ଲର୍ଣ୍ଣିଂ, ଛାତ୍ରଛାତ୍ରୀଙ୍କ ପାଇଁ ୧୬୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ପ୍ରଶାସନିକ ଭବନ, ଅଡିଟୋରିୟମ୍ ଆଦି କରାଯିବ।

ଚଳିତ ଆର୍ଥିକ ବର୍ଷ ବଜେଟ୍‌ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଲାଗି ଅର୍ଥ ବରାଦ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀସ୍ଥିତ ବନ ବିଦ୍ୟାଳୟରେ ସ୍ଥାପିତ ହେବାକୁ ଥିବା ଏହି ବିଶ୍ବବିଦ୍ୟାଳୟ ରୂପରେଖକୁ ଅନୁମୋଦନ ଦେଇଥିଲେ। ବନ ବିଦ୍ୟାଳୟ ଢାଞ୍ଚାରେ ଶାନ୍ତ, ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଏବଂ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ ଲକ୍ଷ୍ୟରେ ଏହି ବିଶ୍ବବିଦ୍ୟାଳୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସେବେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ନକ୍ସା ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରଖାଯାଇଥିଲା।

ପ୍ରସ୍ତାବିତ ଏହି ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାର ବ୍ୟବସ୍ଥା ରହିବ। ତେବେ ଏହି ନିର୍ମାଣର ବିସ୍ତୃତ ଯୋଜନା ସଂପର୍କରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯିବ। ହେଲେ ଏହି ବୈଠକ କେତେଥର ବସିଲାଣି, କି ନିଷ୍ପତ୍ତି ହୋଇଛି ସେ ସଂକ୍ରାନ୍ତରେ କିନ୍ତୁ କିଛି ବି ଜଣାପଡିନାହିଁ।

ଉଲ୍ଲେଖଥାଉକି, ସରକାର ଏକ ପ୍ରେସ ଇସ୍ତାହାର ଜାରି କରି କହିଥିଲେ ‘‘ଉତ୍କଳମଣି ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସ୍ବାଧୀନତା ସଂଗ୍ରାମ ସମୟର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ। ବକୁଳ ଓ ଛୁରିଆନା ବୃକ୍ଷ ଛାୟାରେ ମୁକ୍ତ ପରିବେଶ ମଧ୍ୟରେ ଏହି ବିଦ୍ୟାଳୟ ଗଢ଼ିଉଠିଥିଲା। ଏଥିରେ ଓଡ଼ିଶାର ବହୁ ବିଖ୍ୟାତ ବ୍ୟକ୍ତି ଅଧ୍ୟୟନ କରି ପରବର୍ତ୍ତୀ ସମୟରେ ରାଜ୍ୟର ଗୌରବ ବୃଦ୍ଧି କରିଥିଲେ। ଏହାଥିଲା ଏକ ଆଦର୍ଶ ବିଦ୍ୟାଳୟ। ମଣିଷ ତିଆରି କାରଖାନା। ସ୍ବାଧୀନତା ଯୁଗର ପଞ୍ଚସଖା ଗୋପବନ୍ଧୁ ଦାସ, କୃପାସିନ୍ଧୁ ମିଶ୍ର, ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ସୁଯୋଗ୍ୟ ସନ୍ତାନଙ୍କ ମାର୍ଗଦର୍ଶନରେ ଦେଶ ଭକ୍ତି, ସେବା, ପ୍ରଜ୍ଞା ଓ ଜାତୀୟତାର ମହାନ ଶିକ୍ଷାନୁଷ୍ଠାନ ଭାବେ ଏହା ପ୍ରସିଦ୍ଧି ଲାଭ କରିଥିଲା। ସେହି ଐତିହାସିକ ବନ ବିଦ୍ୟାଳୟରେ ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ନିଶ୍ଚିତ ଭାବେ ଏକ ଅନନ୍ୟ ଉଦ୍ୟମ।’’
‘‘ଓଡ଼ିଆ ଭାଷା ଷଷ୍ଠ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡ଼ିଆଭାଷାର ଅତୀତ ଅତ୍ୟନ୍ତ ସମୃଦ୍ଧ। ଓଡ଼ିଆ ଭାଷାରେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇଛି। ସତ୍ୟବାଦୀ ବନ ବିଦ୍ୟାଳୟରେ ସ୍ଥାପିତ ହେବାକୁ ଯାଉଥିବା ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ହିଁ ଓଡ଼ିଆ ଭାଷାକୁ ବିଶ୍ବସ୍ତରରେ ପ୍ରତିଷ୍ଠା କରିବା ପାଇଁ ଅନନ୍ୟ ସୁଯୋଗ ଆଣିଦେବ। ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ସଂପର୍କରେ ଉଚ୍ଚତର ଶିକ୍ଷା ପ୍ରଦାନ କରାଯିବା ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯିବ। ସାରା ଦେଶରେ ଓଡ଼ିଆ ଜାତିର ସ୍ବତନ୍ତ୍ରତା ଓ ଓଡ଼ିଆ ଭାଷାର ମହନୀୟତା ସଂପର୍କରେ ଏହା ଏକ ଉଦାହରଣ ସୃଷ୍ଟି କରିବ।’’

Leave A Reply

Your email address will not be published.