- ଆସନ୍ତା ବର୍ଷ ହେବାକୁ ଥିବା ପାଞ୍ଚ ରାଜ୍ୟ ନିର୍ବାଚନ ପାଇଁ ନୂଆଦିଲ୍ଲୀରେ କସରତ ଜାରି
- ନଡ୍ଡାଙ୍କ ନେତୃତ୍ବରେ ଆଜି କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ନେତା ଥିଲେ, ଧର୍ମେନ୍ଦ୍ର ବି ଯୋଗଦେଇଥିଲେ
- ଉତ୍ତରପ୍ରଦେଶ ନିର୍ବାଚନ ଗୁରୁତ୍ବପୂର୍ଣ୍ଣ, ପଞ୍ଜାବ ହାତକୁ ନ ଆସିଲେ ଚାଷୀ ପ୍ରସଙ୍ଗ ଥମିବନି
- ପଶ୍ଚିମବଙ୍ଗ ନିର୍ବାଚନ ପରାଜୟ ପରେ ମାଡ଼ିଆସିଛି ବିଜେପିକୁ ବିପତ୍ତି, ବିରୋଧୀ ସଜବାଜ
- ପ୍ରଧାନମନ୍ତ୍ରୀଙ୍କ ସଙ୍କେତ ପରେ ୫ଟି ଯାକ ରାଜ୍ୟରେ ବିଜେପି ସରକାର ପାଇଁ ବଡ଼ ଯୋଜନା
- ସେପଟେ ରାମମନ୍ଦିର ନିର୍ମାଣ ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ-ଯୋଗୀଙ୍କ ଭର୍ଚୁଆଲରେ ବୈଠକ
ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗ ନିର୍ବାଚନ ପରାଜୟ ଏତେ ଭୀଷଣ ଭାବେ ପଡ଼ିଲା ଯେ ରାଜସ୍ଥାନ, ଉତ୍ତରପ୍ରଦେଶ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ସବୁଠାରେ ବିଜେପି ଭିତରେ କମ୍ପନ ସୃଷ୍ଟି ହେଲା। କୋଭିଡ୍ ଦ୍ବିତୀୟ ଲହର ବିପର୍ଯ୍ୟୟ ମୁକାବିଲାରେ ମୋଦୀ ସରକାରର ବିଫଳତା ନେଇ ଅନ୍ତର୍ଜାତୀୟ ସ୍ତରରୁ ଯେବେ ପ୍ରଚଣ୍ଡ ଚାପ ସୃଷ୍ଟି ହେଉଥିଲା, ସେବେ ଶୀର୍ଷ ନେତୃତ୍ବକୁ ବି ଚାପରେ ରଖିଦେଲେ ଏସବୁ ରାଜ୍ୟର ବିଜେପି ନେତାମାନେ। ପରିସ୍ଥିତିକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନ୍ସିପି ମୁଖିଆ ଶରଦ ପାଓ୍ବାର ପ୍ରମୁଖ ଏବେ କେନ୍ଦ୍ର ବିରୋଧରେ ରଣନୀତି ଜୋରଦାର କରିଛନ୍ତି।
ତେବେ ଏଭଳି ସଙ୍କଟ ସମୟରେ ସଂଜୀବନୀ ସାଜିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଦେଶ ସାମ୍ନାକୁ ଆସି ରାସ୍ତା ନିର୍ଣ୍ଣୟ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ବଡ଼ ରାଜନୈତିକ କୌଶଳ କ୍ରମେ ଟିକାକରଣ ସଂପର୍କରେ ନିଷ୍ପତ୍ତି ନେଲେ। ଏଥିସହିତ ଦ୍ବିତୀୟ ଲହର ପ୍ରଭାବ ଅକସ୍ମାତ୍ କମିବା ଆରମ୍ଭ କରିବା ଘଟଣା ପରିସ୍ଥିତିରେ ଅନେକ ପରିମାଣରେ ସୁଧାର ଆଣିଛି। ପ୍ରଧାନମନ୍ତ୍ରୀ ସମ୍ଭବତଃ ଆସନ୍ତା ସପ୍ତାହରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରି ଦଳ ଭିତରେ ଥିବା ରାଜନୈତିକ ଅସ୍ଥିରତା ଦୂର କରିପାରନ୍ତି।
ହେଲେ ଏହି ବିପର୍ଯ୍ୟୟରୁ କିନ୍ତୁ ଭାରତୀୟ ଜନତା ପାର୍ଟିର ଜାତୀୟ ନେତାମାନେ ଅନେକ ଶିକ୍ଷା ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସଙ୍କେତକୁ ଆଧାର କରି ଏବେ ବିଜେପି ଶୀର୍ଷସ୍ତରରେ ଲଗାତାର ମାନସମନ୍ଥନ ଚାଲିଛି। ଜୁନ୍ ପ୍ରଥମ ସପ୍ତାହରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯେଉଁ ବିଚାର ଆଲୋଚନା ଆରମ୍ଭ କରିଛନ୍ତି, ତାହା ଆଜି ଆଉ ପାଦେ ଆଗେଇଛି। ଆସନ୍ତାବର୍ଷ ନିର୍ବାଚନକୁ ଯାଉଥିବା ପାଞ୍ଚଟି ରାଜ୍ୟର ଭୋଟ ଫଳାଫଳ ଅନେକ ଦୃଷ୍ଟିରୁ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଗଣିତ ଯଦି ବିଗିଡିଯାଏ, ତେବେ ବିଜେପିର ଚେହେରା ଅନେକାଂଶରେ ପ୍ରଭାବିତ ହୋଇପାରେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଚାପ ଭିତରେ ଚାପି ହୋଇଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ଏସବୁକୁ ବିଚାରକୁ ନେଇ ଆଜି ନୂଆଦିଲ୍ଲୀରେ ଶ୍ରୀ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ଗୋଆ ଏବଂ ମଣିପୁର ଭୋଟର ଯେଭଳି ବିଜେପି ସପକ୍ଷରେ ଭୋଟ୍ ଦେବେ, ସେ ନେଇ ଏବେଠାରୁ ଉଦ୍ୟମ କରିବା ଲାଗି ଶ୍ରୀ ନଡ୍ଡା ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସଂପ୍ରତି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ବିଜେପି କିମ୍ବା ବିଜେପି ନେତୃତ୍ୱାଧୀନ ସରକାର ଥିବାବେଳେ ପଞ୍ଜାବରେ କଂଗ୍ରେସ ସରକାରରେ ଅଛି। ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ପଞ୍ଜାବରେ ବି ବିଜେପି ସରକାର ଗଢ଼ିବା ଏବେ ଦଳ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ଏଣୁ ଏସବୁ ରାଜ୍ୟପାଇଁ ଠୋସ୍ ରଣନୀତି ନିର୍ଧାରଣ କରିବା ଲାଗି ଖସଡ଼ା ପ୍ରସ୍ତୁତ ଚାଲିଛି।
ମିଳିଥିବା ସୂଚନା ଅନୁସାରେ, ଆଜିର ବୈଠକରେ ଟିକାକରଣ ଠାରୁ ଆରମ୍ଭ କରି ନିର୍ବାଚନ ପାଇଁ ରାଜନୈତିକ ପ୍ରସଙ୍ଗ ଆଦି ସଂପର୍କରେ ଆଲୋଚନା ହୋଇଥିଲା। ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ଏଥିରେ ସାମିଲ ଥିଲେ। ଏମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂ ତୋମାର, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଏବଂ କିରେନ ରିଜ୍ଜୁ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିବା ଜଣାପଡ଼ିଛି।
ବିଜେପିର ରାଜନୈତିକ ଭାଗ୍ୟ ପାଇଁ ଉତ୍ତରପ୍ରଦେଶ ବିଶେଷ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କ୍ଷମତାକୁ ଆସିବା ପରଠାରୁ ଦେଶର ବୃହତ୍ତମ ରାଜ୍ୟରେ ବିଜେପି ପ୍ରାଧାନ୍ୟ ବିସ୍ତାର କରିଆସୁଛି। ୨୦୨୪ ପାଇଁ ବିଜେପିର ବଡ଼ ଗୋଟି ବୋଲି କୁହାଯାଉଥିବା ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗଟି ସହିତ ଉତ୍ତରପ୍ରଦେଶ ରାଜନୀତି ବିଶେଷ ଭାବରେ ଯୋଡ଼ି ହୋଇ ରହିଛି। ଯଦିଓ ଯୋଗୀ ସରକାର ଦୃଢ଼ ଅଛନ୍ତି ଯେ ସେମାନେ ପୁଣି ଥରେ ସରକାର କରିବେ, କିନ୍ତୁ ସଦ୍ୟସମାପ୍ତ ନିର୍ବାଚନରେ ଅଖିଳେଶ ଯାଦବଙ୍କ ସମାଜବାଦି ପାର୍ଟିର ଉତ୍ତରଣ ପ୍ରସଙ୍ଗକୁ ବିଜେପିର କେନ୍ଦ୍ରୀୟ ନେତାମାନେ ହାଲକା ଭାବେ ନେବା ସ୍ଥିିତିରେ ନାହାନ୍ତି। କେବଳ ସେତିକି ନୁହେଁ, ଯୋଗୀଙ୍କ ଆଚରଣ ମଧ୍ୟ ଅନେକ ସମୟରେ କେନ୍ଦ୍ରୀୟ ନେତାଙ୍କୁ ଚିନ୍ତାରେ ପକାଉଛି। ଏସବୁ ଦୃଷ୍ଟିରେ ରଖି ଶ୍ରୀ ନଡ୍ଡା ପ୍ରଥମେ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟ ଦାୟିତ୍ବରେ ଥିବା ନେତା ଓ ପ୍ରଭାରୀମାନଙ୍କ ସହିତ ବୈଠକ କରିଥିଲେ। ବିଭିନ୍ନ ମୋର୍ଚ୍ଚା ସହିତ ବୈଠକ କରାଯାଇ ସାରିଲାଣି। ସଂଗଠନକୁ ସଂକ୍ରିୟ କରିବା ଲାଗି ଚିନ୍ତନ ବୈଠକ ପାଇଁ ପରାମର୍ଶ ଦିଆଯାଇଥିଲା। ରାଜ୍ୟ ନେତାମାନଙ୍କ ସହିତ ଶ୍ରୀ ନଡ୍ଡା ପ୍ରତ୍ୟେକ୍ଷ ଭାବେ ଆଲୋଚନା କରିବା ଲାଗି ସେମାନଙ୍କୁ ଛୋଟ ଛୋଟ ଦଳରେ ଆସି ତାଙ୍କ ସହିତ ଆଲୋଚନା କରିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ରାମ ମନ୍ଦିର ନିର୍ମାଣ ଓ ସ୍ଥାନୀୟ ଅଞ୍ଚଳର ବିକାଶ ସଂପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ଥିଲେ। ସେଠାରେ ବିମାନ ବନ୍ଦର ଠାରୁ ଆରମ୍ଭ କରି ଟାଉନ୍ ସିପ୍ ଆଦିର ବିକାଶ ସଂପର୍କରେ ମଧ୍ୟ ବିଶଦ ଭାବେ ଆଲୋଚନା ହୋଇଥିଲା।