ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଏଲଇ୍‌ଡି ଟେଣ୍ଡରରୁ କେଳେଙ୍କାରୀ ଗନ୍ଧ ବାହାରୁଛି!

0
  • ୧୫୦ କୋଟିର ଏଲ୍‌ଇଡି କିଣାଯିବ, ମାତ୍ର ୫ଟି କଂପାନିକୁ ଅନୁମତି କାହିଁକି?
  • ଦଶନ୍ଧି ତଳର ପୁରୁଣା ବୈଷୟିକ ଜ୍ଞାନ କୌଶଳର ଏଲ୍‌ଇଡି କାହିଁକି ଆସିବ?

ଭୁବନେଶ୍ବର: କିଛି ଦିନ ବ୍ୟବଧାନରେ ରାଜ୍ୟରେ ଏଲ୍‌ଇଡି ଲାଇଟ୍ କିଣା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପୂର୍ବରୁ ଏଥିରେ ଦୁର୍ନୀତି ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସିଥିଲା। ଗଣମାଧ୍ୟମରେ ତମ୍ବିତୋଫାନ ହେଲା, ବିଧାନସଭାରେ ବି। ହେଲେ ଏଥର ମଧ୍ୟ ଟେଣ୍ଡର ବେଳୁ କେଳେଙ୍କାରୀ ଅଭିଯୋଗ ଉଠିଲାଣି। ଅର୍ଥାତ୍ ସରକାର ସମ୍ଭବତଃ ସତର୍କ ହୋଇନାହାନ୍ତି।

କାହିଁକି ନା, ରାଜ୍ୟର ୨୯ଟି ଜିଲ୍ଲାରେ ଏଲ୍ଇ‌ଡି ଲାଇଟ ଲଗାଇବା ନେଇ ଆରଡବ୍ଲୁଏସ୍‌ଏସ୍‌ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ଟେଣ୍ଡର ପ୍ରକ୍ରିୟାର ସର୍ତ୍ତକୁ ନେଇ ନାନା ପ୍ରଶ୍ନ ଉଠିଲାଣି। କେତେକ ନିର୍ଦ୍ଦିଷ୍ଟ କମ୍ପାନିକୁ ସୁହାଇବାକୁ ଏହି ଟେଣ୍ଡର ନୋଟିସ୍ କରାଯାଇଛି ବୋଲି ଅଭିଯୋଗ ଉଠିଛି। ଯେଉଁ କାମ କମ୍ ଖର୍ଚ୍ଚରେ ହୋଇ ପାରିଥାନ୍ତା ତା ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଏହି ଟେଣ୍ଡର ପ୍ରକ୍ରିୟାରେ ସର୍ତ୍ତ ଧାର୍ଯ୍ୟ କରାଯାଇଛି। ନୂଆ‌ ଟେକନୋଲୋଜିର ଉପଯୋଗ ଉପରେ ଗୁରୁତ୍ବ ଦିଆ ନ ଯାଇ ଦଶନ୍ଧି ତଳେ ମିଳୁଥବା ନିମ୍ନମାନର ଓ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଏଲଇଡି ଲାଇଟ ଯୋଗାଣ ନେଇ ଏହି ଟେଣ୍ଡର କରାଯାଇଛି ବୋଲି ଅଭିଯୋଗ ଉଠିଲାଣି।

ଏଥିରେ କୁହାଯାଇଛି, ପ୍ରାୟ ୧୫୦ କୋଟି ଟଙ୍କାର ଏହି କାମ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡରରେ ଯେଉଁ ସବୁ ସର୍ତ୍ତ ରଖାଯାଇଛି ତାହା ବହୁତ ପୁରୁଣା ବୈଷୟିକ ଜ୍ଞାନ କୌଶଳ ଉପରେ ଆଧାରିତ। ଏବେ ଏଲଇଡି ଲାଇଟ ଟେକନୋଲୋଜିରେ ବହୁ ଉନ୍ନତି ହୋଇଥିବା ବେଳେ ଏକ ଦଶନ୍ଧି ତଳେ ମିଳୁଥିବା ଏଲଇଡି ଲାଇଟ ଯୋଗାଣ ପାଇଁ ସର୍ତ୍ତ ଟେଣ୍ଡରେ ରଖାଯିବ କାହିଁକି?

ଟେଣ୍ଡର ବିଜ୍ଞପ୍ତିରେ ୭୧୦୦ ଲୁମେନ ପାଇଁ ସର୍ବାଧିକ ୮୦ ୱାଟ୍‌ର ଏଲଇଡି ଲାଇଟ ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ପ୍ରତି ୱାଟ୍ ପିଛା ୯୦ ଲୁମେନ ବ୍ୟବହାର କରାଯାଇ ପାରିବ। ଏଭଳି କମ୍ ଲୁମେନ୍ ପ୍ରଦାନ କରୁଥିବା ଉତ୍ପାଦ ୯ରୁ ୧୦ ବର୍ଷ ତଳେ ବ୍ୟବହାର କରାଯାଉଥିଲା। ଏଲଇଡି ଲାଇଟ ନୂଆ କରି ବଜାରକୁ ଆସିବା ବେଳେ ଏଭଳି କମ୍ ଲୁମେନ ଥିବା ଲାଇଟ ଦେଖିବାକୁ ମିଳୁଥିଲା। କିନ୍ତୁ ସମୟ ଗଡିବା ସହିତ ଏଲଇଡି ଲାଇଟ ଟେକନୋଲୋଜିରେ ବହୁ ଉନ୍ନତି ଆସିଛି। ଏବେ ଦେଶର ସମସ୍ତ ପ୍ରମୁଖ କମ୍ପାନି ଯେଉଁ ଏଲଇଡି ଲାଇଟ ଉତ୍ପାଦନ କରୁଛନ୍ତି ସେଥିରେ ପ୍ରତି ୱାଟ୍ ପିଛା ଲୁମେନ୍ ହାର ୧୧୦ରୁ ୧୨୦ ରହୁଛି। ଏଭଳି ଉଚ୍ଚ ହାରର ଲୁମେନ ଥିବା ଏଲିଇଡି ଲାଇଟର ଗୁଣବତ୍ତା ମଧ୍ୟ ଉଚ୍ଚ ଓ ଆଲୋକୀକରଣ କ୍ଷମତା ମଧ୍ୟ ଯଥେଷ୍ଟ ଅଧିକ। ଏବେ ପ୍ରମୁଖ କମ୍ପାନି ଗୁଡିକ ଦ୍ବାରା ଉତ୍ପାଦନ କରାଯାଉଥିବା ୬୦ରୁ ୬୫ ୱାଟର ଏଲଇଡି ଲାଇଟ ଗୁଡିକ ୭୧୦୦ ଲୁମେନ ପ୍ରଦାନ କରିବାରେ ସକ୍ଷମ।

ଏପରି ନୂଆ ଟେକନୋଲୋଜିର ଏଲଇଡି ଷ୍ଟ୍ରିଟ୍ ଲାଇଟ ବ୍ୟବହାର ଦ୍ବାରା ପ୍ରତି ଲାଇଟ ପିଛା ଘଣ୍ଟାକୁ ପ୍ରାୟ ୨୦ ୱାଟ ବିଦ୍ୟୁତ କମ୍ ଖର୍ଚ୍ଚ ହେବ, ଯାହା କି ୮୦ ୱାଟ ଠାରୁ ୨୫ ପ୍ରତିଶତ କମ୍। ଯଦି ୨୯ଟି ଜିଲ୍ଲାରେ ୧୦୦,୦୦୦(ଏକ ଲକ୍ଷ) ଏଲଇଡି ଷ୍ଟ୍ରିଟ୍ ଲାଇଟ ଲାଗିବ ତେବେ ଉଚ୍ଚହାରର ଲୁମେନ ଥିବା ଏପରି ଲାଇଟ ଦ୍ବାରା ଘଣ୍ଟାକୁ ୨୦୦୦ (ଦୁଇ ହଜାର) ୟୁନିଟ ବିଦ୍ୟୁତ କମ୍ ଖର୍ଚ୍ଚ ହେବ। ୟୁନିଟ ପିଛା ଯଦି ବିଦ୍ୟୁତ ଦର ୫ ଟଙ୍କା ହିସାବ କରାଯାଏ ତେବେ ୨ ହଜାର ୟୁନିଟ ପାଇଁ ୧୦ ହଜାର ଟଙ୍କା ପ୍ରତି ଘଣ୍ଟାରେ କମ୍ ଖର୍ଚ୍ଚ ହେବ। ବର୍ଷକୁ ୪ କୋଟି ଟଙ୍କାରୁ ଅଧିକ ସରକାରଙ୍କ ଷ୍ଟ୍ରିଟ୍ ଲାଇଟ ବିଦ୍ୟୁତ ବିଲ୍ କମିଯିବ। ଏଥି ସହିତ ୮୦ ୱାଟର ଏଲଇଡି ଲାଇଟ ମୂଲ୍ୟ ଠାରୁ ୬୦ ୱାଟର ଲାଇଟ ଦର ପ୍ରାୟ ୨ ହଜାର ଟଙ୍କା କମ୍। ଏଭଳି ସ୍ଥିତିରେ ସରକାର ଏହି ପ୍ରକଳ୍ପରେ ଆକଳନ କରାଯାଇଥବା ଖର୍ଚ୍ଚରୁ ୨୦ କୋଟି ଟଙ୍କା ବଞ୍ଚାଇ ପାରିବେ, ଯାହାକୁ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ବୋଲି ବିଶେଷଜ୍ଞମାନଙ୍କର ମତ।

ଆହୁରି ଏକ ବିଚିତ୍ର କଥା ମଧ୍ୟ ଏହି ଟେଣ୍ଡର ବିଜ୍ଞପ୍ତିରେ ଦେଖିବାକୁ ମିଳିଛି। ମାତ୍ର ୫ଟି କମ୍ପାନି ଯଥା ବଜାଜ, ଫିଲିପ୍ସ, କ୍ରମ୍ପଟନ୍, ହାଭେଲ୍ସ, ସୂର୍ଯ୍ୟା ରୋଶନୀ ଏଲଇଡି ଲାଇଟ ଯୋଗାଣ ପାଇଁ କେବଳ ଅନୁମୋଦନ କରାଯାଇଛି। ସମାନ ଗୁଣବତ୍ତା ଥିବା ଅନ୍ୟ କୌଣସି ସଂସ୍ଥାର ଏଲିଇଡି ଲାଇଟ ଯୋଗାଣ ପାଇଁ କିଛି ସୁଯୋଗ ରଖାଯାଇ ନାହିଁ। ଏଭଳି ଟାଳଟୁଳ ନୀତି ପାଇଁ ସର୍ବଭାରତୀୟ ସ୍ତରର ବହୁ ପ୍ରତିଷ୍ଠିତ କମ୍ପାନି ଏହି ଟେଣ୍ଡର ପ୍ରକ୍ରିୟାରୁ ବାଦ ପଡିଛନ୍ତି। ଟେଣ୍ଡରରେ ରହିଥିବା ସର୍ତ୍ତ ପୂରଣ କରିବାକୁ ସକ୍ଷମ ଥିବା ସର୍ବଭାରତୀୟ ସ୍ତରର ଅନ୍ୟ ବଡ଼ ବଡ଼ କମ୍ପାନିର ଏଲଇଡି ଲାଇଟ ଯୋଗାଣ ନେଇ ପରୋକ୍ଷରେ ଏଭଳି କଟକଣା କାହା ସ୍ବାର୍ଥରେ ଜାରି କରାଯାଇଛି ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ନିର୍ଦ୍ଦିଷ୍ଟ ଭାବେ ସରକାର କଣ ପାଇଁ ୫ଟି କମ୍ପାନି ପ୍ରତି ଅନୁକମ୍ପା ଦେଖାଉଛନ୍ତି ତାହା ତଦନ୍ତ ସାପେକ୍ଷ। ଯଦି ସର୍ବଭାରତୀୟ ସ୍ତରର ବିଭିନ୍ନ କମ୍ପାନି ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ପାଇଥା‌େନ୍ତ ତେବେ ସୁସ୍ଥ ପ୍ରତିଯୋଗିତା ହୋଇଥାନ୍ତା। ଏଥି ସହିତ କମ୍ ମୂଲ୍ୟରେ ମଧ୍ୟ ଟେଣ୍ଡର ଚୂଡାନ୍ତ ହୋଇ ପାରିଥାନ୍ତା।

ଏଭଳି ଟେଣ୍ଡର ବିଜ୍ଞପ୍ତିକୁ ରଦ୍ଦ କରାଯିବା ଲାଗି ମଧ୍ୟ ଦାବି ଉଠିଲାଣି। ସରକାର ସବୁ କଥାରେ ସ୍ବଚ୍ଛତା ଓ ସ୍ବଚ୍ଛ ଶାସନ (୫ଟି) କଥା କହୁଥିବା ବେଳେ କେଉଁ ପରିସ୍ଥିତିରେ ଏଭଳି ସର୍ତ୍ତ ରଖି ୧୫୦ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଗଲା?

ତିନି ବର୍ଷ ହେବ ଏଭଳି ଢଙ୍ଗରେ ଏଲଇଡି ଲାଇଟ ପାଇଁ ଟେଣ୍ଡର ପ୍ରକ୍ରିୟା ଅନୁଷ୍ଠିତ ହେଉଛି। କିଛି ଅଧିକାରୀଙ୍କ ଭୁଲ ନିଷ୍ପତ୍ତି ଯୋଗଁ ସରକାରୀ ତହବିଲରୁ କୋଟି‌ କୋଟି ଟଙ୍କା ଅଯଥାରେ ଯାଉଛି। ଏହି ପ୍ରସଂଗରେ ତର୍ଜମାର ଆବଶ୍ୟକତା ରହିଛି। ନିର୍ଦ୍ଦିଷ୍ଟ କମ୍ପାନିର ଏଲଇଡିରେ ଟେଣ୍ଡର ପ୍ରକ୍ରିୟା ସୀମିତ ନ ରଖି ସର୍ତ୍ତପୂରଣ କରୁଥିବା ସବୁ କମ୍ପାନିକୁ ସୁଯୋଗ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ। ଏଥି ସହିତ କମ୍ ଖର୍ଚ୍ଚରେ କିଭଳି ଉଚ୍ଚ ଗୁଣବତ୍ତାର ଏଲଇଡି ଲାଇଟ ଯୋଗାଣ ହୋଇ ପାରିବ ତାହା ସରକାର ସୁନିଶ୍ଚିତ କରିବା ଦରକାର। କରେନା ସଂକ୍ରମଣ ସ୍ଥିତିରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ପାଇଁ ଆବଶ୍ୟକ କରୁଥିବା ବେଳେ ଏଲଇଡି ଲାଇଟ ଯୋଗାଣରେ ଅଯଥା ସରକାରୀ ଅର୍ଥ ଦୁଇ ବର୍ଷ ହେଲା ପାଣିରେ ପଡୁଛି। ଏଭଳି ସ୍ଥିତିରେ ଏଲଇଡି ଲାଇଟ ଟେଣ୍ଡର ରଦ୍ଦ କରାଯାଉ। କେତେକ କମ୍ପାନି ବା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସ୍ବାର୍ଥକୁ ନ ଦେଖି ଜନସାଧାରଣଙ୍କ ସ୍ବାର୍ଥ ତଥା ସରକାରୀ ଅର୍ଥର ସୁରକ୍ଷା ପାଇଁ ଏଲଇଡି ଲାଇଟ ଯୋଗାଣ ସର୍ତ୍ତରେ ଆବଶ୍ୟକ ସଂଶୋଧନ କରି ସାନି ଟେଣ୍ଡର ନୋଟିସ୍ ଜାରି କରାଯାଉ।

Leave A Reply

Your email address will not be published.