ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ
୦-୧୮ ବର୍ଷରେ ୭୧ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ
ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟ ୪୫୫୪ ରହିଛି
ରାଜ୍ୟର ବିଭିନ୍ନ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ଛୁଇଁଲା ୮୩୧୨
ମୋଟ ଉପରେ ୬୪,୭୦୯ ନମୁନା ପରୀକ୍ଷଣ ହୋଇଥିଲା, ଟିପିଆର୍, ୦.୬୫%
ରାଜ୍ୟରେ ସମୁଦାୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୮ହଜାର ୮୩୬
ଖୋର୍ଦ୍ଧାରେ ୨୧୧ କୋଭିଡ୍ ପଜିଟିଭ୍ ଚିହ୍ନଟ ଓ କଟକ ୪୦

ଘର କେଳେଙ୍କାରୀ: କାହା ଭୁଲରୁ ପଛେଇଗଲା ଓଡ଼ିଶା?

0

ଭୁବନେଶ୍ବର: ଯାଜପୁର ଜିଲ୍ଲା ବଡଚଣା ଆସନରେ ୨୦୦୪ ମସିହାରେ ବିଜୁ ଜନତା ଦଳ ହାରିବା ପଛର ବଡ଼ କାରଣ ଥିଲା ଇନ୍ଦିରା ଆବାସ ପ୍ରସଙ୍ଗ।

ଗୃହ ନିର୍ମାଣ କେଳେଙ୍କାରୀ କାରଣରୁ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଦ୍ବିତୀୟ ପାଳିର ଏହି ଘଟଣା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା।

ଏବେ ପଞ୍ଚମ ପାଳିରେ ଗୃହ କେଳେଙ୍କାରୀକୁ ଧରି ବିଜେପି ଆସନ୍ତାବର୍ଷ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବାକୁ ପାଗ ଭିଡ଼ିଛି। ଆବାସ କେଳେଙ୍କାରୀ ସଂପର୍କରେ ମାହାଙ୍ଗାରୁ ବିଜେପି ନେତା ଶାରଦା ପ୍ରଧାନ ଗର୍ଜନ ତର୍ଜନ ଆରମ୍ଭ କରିବା, ପରେ ଓଡ଼ିଶାର ସବୁ ସାଂସଦ ଏହି ପ୍ରସଙ୍ଗକୁ ରାଜ୍ୟସ୍ତରକୁ ନେଇ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ସରକାରଙ୍କ ନିକଟରେ ଗୁହାରି କରିବା, କେନ୍ଦ୍ରୀୟ କମିଟି ଦ୍ବାରା ତଦନ୍ତ ଓ ଏବେ ଏହି ତଦନ୍ତ ରିପୋର୍ଟକୁ ଧରି ବିଜେପି ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିବା ଗେରୁଆ ଦଳ ନିର୍ବାଚନ ରଣନୀତିର ଏକ ଅଂଶ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଠଉରାଇ ସାରିଲାଣି।

ହେଲେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇ ଆସିଥିବା ନବୀନ ଏହି କେଳେଙ୍କାରୀ ପ୍ରସଙ୍ଗରେ ଯଦିଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ତଥାପି ତାଙ୍କ ଗୋଟିଚାଳନା ଉପରେ ନିର୍ଭର କରୁଛି ଯେ ବିଜେପିର ଏହି ଚାଲ୍ ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ବଳଦେବ ନା ଫୁସ୍‌କିଯିବ।

ଏସବୁ ଭିତରେ କିନ୍ତୁ ଦୁଇ ତିନିଟି ଘଟଣା କଥା କିନ୍ତୁ ଅତି ସମ୍ବେଦନଶୀଳ ମନେ ହେଉଛି। କେଉଁଠି ନା କେଉଁଠି ଧରାପଡିଯାଉଛି ଯେ କିଛି ସରକାରୀ ଅଧିକାରୀଙ୍କ ଉଦାସୀନତା ଓ ଅଳସୁଆମୀ ଏବଂ ରାଜନୈତିକ ନେତାଙ୍କ ହାତବାରିସୀ ସାଜି ସେମାନେ ନେଇଥିବା ନିଷ୍ପତ୍ତି ଆଜି ଦିନରେ ରାଜ୍ୟ ସରକାରଙ୍କ ବିରୋଧରେ ଏତେ ବଡ ପ୍ରସଙ୍ଗ ଥୋଇବାରେ ବିଜେପିକୁ ଅନେକ ସାହାଯ୍ୟ କରିଛି।

ଏକଥା ବି ବୁଝାପଡୁନାହିଁ ଯେ କାହିଁକି କେନ୍ଦ୍ର ସରକାର ଯେବେ ପାଞ୍ଚ ପାଞ୍ଚ ଥର ଅବଧି ସଂପ୍ରସାରିତ କରି ରାଜ୍ୟମାନଙ୍କୁ ଘର ପାଇଁ ଆବେଦନ ତାଲିକା ବଢାଇବା ଲାଗି ସୁଯୋଗ ଦେଇଥିଲେ, ସେବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ, ଜିଲ୍ଲାପାଳମାନେ କାହିଁକି ତତ୍ପରତା ପ୍ରକାଶ କଲେ ନାହିଁ?

ଦୁର୍ନୀତିକୁ ଯଦି ଦ୍ବିତୀୟ ପ୍ରସଙ୍ଗ କରିବା, ତେବେ ପ୍ରଥମ ପ୍ରସଙ୍ଗଟି ହେଲା, ୨୦୧୮ ଜାନୁଆରିରୁ ୨୦୧୯ ମାର୍ଚ୍ଚ ( ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପର୍ଯ୍ୟନ୍ତ) ଭିତରେ ଓଡ଼ିଶାର ସବୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯୋଡିବାରେ ପଞ୍ଚାୟତିରାଜ ବିଭାଗ କାହିଁକି ହେଳା କଲା? ଇତିମଧ୍ୟରେ ପାଞ୍ଚ ଥର କେନ୍ଦ୍ର ସମୟ ଅବଧି ବଢାଇଛି। ତଥ୍ୟ ଅନୁସାରେ, ଓଡ଼ିଶା ଭଳି ରାଜ୍ୟ ଯେମିତିକି କେରଳ ସେବେ ପାଖାପାଖି ୩ଲକ୍ଷ ନାମ ଯୋଡିଥିଲା।ଗୁଜରାଟ ସରକାର ୯.୧୨ଲକ୍ଷ, ଆସାମ ୨୩ଲକ୍ଷ, ଛତିଶଗଡ ୧୦ଲକ୍ଷ, ଝାଡଖଣ୍ଡ ୧୪ ଲକ୍ଷ, ନାଗଲାଣ୍ଡ ଭଳି ରାଜ୍ୟ ୪୭୦୦ନାମ ଯୋଡିଥିବା ବେଳେ ଓଡ଼ିଶା କାହିଁକି ୪୫ ହଜାର ୫୯୦ରେ ଅଟକିଗଲା?

ଆଜି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ବେଳେ କହିଛନ୍ତି ଯେ ଫନି ବେଳେ ରାଜ୍ୟ ସରକାର ଯଦିଓ ୩.୮୯ଲକ୍ଷ ଲୋକଙ୍କୁ ଯୋଡିବା ଲାଗି ଆବାସ ପ୍ଲସ୍ ଓ୍ବିଣ୍ଡୋ ଖୋଲିବା ଲାଗି ଅନୁମତି ଦେଇଥିଲେ, କିନ୍ତୁ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୧୪ଲକ୍ଷ ଲୋକଙ୍କର ନାମ ତାଲିକା ସଂଶ୍ଳିଷ୍ଟ କଲେ। ଶ୍ରୀ ହରିଚନ୍ଦନଙ୍କ ଅଭିଯୋଗକୁ ବିଶ୍ବାସ କଲେ ଜଣାପଡିଯାଉଛି ଯେ ଅଧିକାରୀମାନଙ୍କର ବିଳମ୍ବରେ ନିଦ ଭାଙ୍ଗିଛି। ନିର୍ଦିଷ୍ଟ ସମୟ ଭିତରେ ନାମ ଯୋଡିବାରେ ବିଫଳ ହେବା ପରେ ଫନି ଆଳରେ ଏହି ନାମକୁ ଆବାସ ପ୍ଲସରେ ସାମିଲ କରିଥାଇପାରନ୍ତି। ସମ୍ଭବତଃ ସେଇଥିପାଇଁ ମାଲକାନଗିରି ଠାରୁ ଆରମ୍ଭ କରି ମୟୂରଭଂଜ ତାଲିକା ବି ସାମିଲ ହୋଇଗଲା।

ହେଲେ ୯ଟି ଜିଲ୍ଲା ବାଦ୍ ପଡିଲା କେମିତି? ଏସବୁ ଜିଲ୍ଲାର ଜିଲ୍ଲାପାଳ ସେ ସମୟରେ କେଉଁମାନେ ଥିଲେ? ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗରେ ସେ ସମୟରେ ଏହି ଦାୟିତ୍ବରେ କିଏ ଥିଲେ? ହାତଗଣତି କିଛି ଅଧିକାରୀଙ୍କ ଅବହେଳାର ସାମଗ୍ରିକ ଉତ୍ତରଦାୟିତ୍ବ ରାଜ୍ୟ ସରକାର କାହିଁକି ନେବେ? ଏମାନଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ନେବାର ବେଳ ଆସିଛି।

ଏଠାରେ ଉଲ୍ଲେଖଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ୨୦୧୬ରେ ଯେବେ ଆବାସ ଯୋଜନା ଆରମ୍ଭ କରାଗଲା, ସେବେ ନାମ ତାଲିକା ଯୋଡିବା ପାଇଁ ଏସ୍‌ଇସିସିକୁ ନିର୍ଭର କରାଯାଉଥିଲା। ହେଲେ ଓଡ଼ିଶା ସମେଚ ଅନ୍ୟ ରାଜ୍ୟମାନେ ଆପତ୍ତି ଉଠାଇଥିଲେ। କାରଣ, ଏହି ତାଲିକାରେ ବହୁ ନାମ ବାଦ ପଡ଼ିଯାଉଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଆବାସ ଓ୍ବିଣ୍ଡୋକୁ ଅଧିକ ସଂପ୍ରସାରିତ କରି ଓ୍ବିଣ୍ଡୋ ପ୍ଲସ କରିଥିଲେ ଓ ନାମ ତାଲିକା ସାମିଲ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ସେ ସମୟର ଅଧିକାରୀମାନଙ୍କର ଖାମଖିଆଲି ନୀତି ପାଞ୍ଚବର୍ଷ ପରେ ରାଜନୈତିକ ପ୍ରସଙ୍ଗରେ ରୂପାନ୍ତରିତ ହୋଇଛି।

Leave A Reply

Your email address will not be published.