ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଭାଗ ଭାଗ ହୋଇଯିବ କି ପ୍ରଶାସନ, ଅମଲା?

0
  • ଭୁବନେଶ୍ବର କ୍ଲବକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଲାଣି
  • ବିଜୟ ଓ ଅସିତଙ୍କ ପ୍ରାର୍ଥିତ୍ବକୁ ନେଇ ସବୁଠାରେ କମ୍ପନ
  • ମୁଖ୍ୟମନ୍ତ୍ରୀ ଜାଣିଲେଣି ନା ନାହିଁ, କଣ ହେବାକୁ ଯାଉଛି

ଭୁବନେଶ୍ବର: ଓଡ଼ିଶାରେ ଆଇଏଏସ୍ ଅଫିସର ଏବେ ଦୁଇଭାଗ। କିଛି ପ୍ରାଶାସନିକ ଅଧିକାରୀ, ବ୍ୟବସାୟୀ, କର୍ପୋରେଟ୍ ସଂସ୍ଥାର ବରିଷ୍ଠ ପଦାଧିକାରୀ ବି ଭାଗ ଭାଗ (ଗୋଷ୍ଠୀରେ ବିଭକ୍ତ) ହୋଇଗଲେଣି। ମତାନ୍ତର ଧୀରେ ଧୀରେ ମନାନ୍ତର ଆଡକୁ ଯାଉଛି।

ଓଡ଼ିଶାର ସ୍ବାର୍ଥ ପାଇଁ ଯେ ଏମାନେ ବିବାଦକୁ ଓହ୍ଲାଇଛନ୍ତି ତା’ ନୁହେଁ। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ମଧ୍ୟ ନୁହେଁ। ଏଯାଏ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ଥିବା ପଛୁଆପଣକୁ ଆଗୁଆ ବା ବିକାଶ ଆଡକୁ ଟାଣିନେବା ଲାଗି ଏମାନେ ପରସ୍ପର ମଧ୍ୟରେ ଏମିତି ପ୍ରତିଯୋଗିତା ବା ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି।

ଗୋଟିଏ କ୍ଲବର ନିର୍ବାଚନ ପାଇଁ ରାଜ୍ୟରେ ଏବେ ଏଭଳି ଏକ ଅଭାବନୀୟ ପରିବେଶ ସୃଷ୍ଟି ହୋଇଛି। ଭୁବନେଶ୍ବର କ୍ଲବ ନିର୍ବାଚନ ଏବେ ଅଫିସରଙ୍କ ଠାରୁ ଆରମ୍ଭ କରି ଶି​ଳ୍ପପତିଙ୍କ ଯାଏ ସବୁସ୍ତରରେ ବିବାଦର ମଞ୍ଜି ବୁଣି ସାରିଲାଣି। ଓଡ଼ିଶା ପ୍ରଶାସନର ଦୁଇ ଅବସରପ୍ରାପ୍ତ ମୁଖ୍ୟଶାସନ ସଚିବ, ଯେଉଁମାନେ କି ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି, ସେମାନଙ୍କୁ ନେଇ ରାଜ୍ୟ ରାଜଧାନୀ ଉଠୁଛି ପଡୁଛି।

ଏମାନେ ହେଲେ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଅତ୍ୟନ୍ତ ପ୍ରଭାବଶାଳୀ ଅଧିକାରୀ ତଥା ପୂର୍ବତନ ମୁଖ୍ୟସଚିବ; ୧୯୭୬ ବ୍ୟାଚ୍ ଆଇଏଏସ୍ ବିଜୟ କୁମାର ପଟ୍ଟନାୟକ, ଯିଏ କି ୨୦୧୦ ମସିହାରୁ ଅବସର ନେଲେଣି। ଅନ୍ୟ ଜଣକ ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ, ଯିଏକି ଗତବର୍ଷ ଅବସର ନେଇଛନ୍ତି। ଶ୍ରୀ ତ୍ରିପାଠୀ ଏବେ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ବି ଅଛନ୍ତି।

ଏହି ଦୁଇଜଣଙ୍କ ପାଇଁ ଏବେ ସରକାରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। କ୍ଲବ ନିର୍ବାଚନରେ କାହାର ପଲା କେତେ ଭାରି, ସର୍ବୋପରି କିଏ ଏମାନଙ୍କ ମଧ୍ୟରୁ ପ୍ରଭାବଶାଳୀ ସେ ନେଇ ଚର୍ଚ୍ଚା ଧୀରେ ଧୀରେ ଜମିଲାଣି। ଏହି କ୍ଲବର ସାଧାରଣ ସଂପାଦକ ପଦବି ଲାଗି ମଧ୍ୟ ଆଇଏଏସ୍ ଅଫିସର ବିଶାଳ ଦେବ ପ୍ରାର୍ଥୀ ଅଛନ୍ତି। ପରିସ୍ଥିତି ଏବେ ଏମିତି ହେଲାଣି ଯେ ନିର୍ବାଚନ ସରିବା ପରେ କ୍ଲବ ନିର୍ବାଚନରୁ ଯେଉଁ ଅଶାନ୍ତି  ସୃଷ୍ଟି ହୋଇଥିବ, ସରକାର ଉପରେ ତାହା ଭୀଷଣ ଭାବେ ପଡିବ। ସରକାରର ଉଚ୍ଚ ପ୍ରଶାସନ ଗୋଷ୍ଠୀରେ ବିଭକ୍ତ ହୋଇଯାଇପାରେ, ଏ ଆଶଙ୍କାକୁ ବି ଏଡ଼ାଇ ଦେଇ ହେବ ନାହିଁ।

ଏହି କ୍ଲବ ଏବେ ରାଜନୀତିର ପ୍ରୟୋଗଶାଳା ପାଲଟିଛି।

କିଏ କହିଲେଣି ଯେ ଏହି ପଦବିରେ ଦୀର୍ଘ ଦିନ ଧରି ପଟ୍ଟନାୟକମାନେ ଶାସନ କରିଛନ୍ତି, ଏଣୁ ଏବେ ବ୍ରାହ୍ମଣ ବସିବା ଦରକାର। ଆଉ କାହାର ଯୁକ୍ତି ହେଉଛି, ଦିବଂଗତ ପ୍ରିୟବତ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଏହି ଆସନରେ ଯଦି କାହାର ବସିବାର ହକ୍ ରହିଛି, ତେବେ ବିଜୟ ପଟ୍ଟନାୟକଙ୍କର। କିଏ କାହାକୁ ଭୋଟ ଦେବେ, ସେ ନେଇ ଏବେଠାରୁ ଜୋରଦାର ଲବି ଚାଲିଲାଣି, ଯେମିତି ସାଧାରଣ ନିର୍ବାଚନ ହେଉଛି କି ଆଉ।

ସବୁଠାରୁ ବଡ଼ କଥା ହେଲା, ଗୁଇନ୍ଦା ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଉଛି କି ନାହିଁ କେଜାଣି, ଏହି କ୍ଲବ ନିର୍ବାଚନ ସରିବା ବେଳକୁ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ଅନେକଙ୍କ ମଧ୍ୟରେ କଥାବାର୍ତା ବନ୍ଦ ହୋଇଯାଇଥିବ ଯଦି ସେଥିରେ ବିଚିତ୍ର ହେବାର କିଛି ନାହିଁ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଏହି ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ଉଷ୍ମତାକୁ ଗୁରୁତର ସହିତ ଗ୍ରହଣ କରୁଛନ୍ତି। ସେମାନଙ୍କର ମତ ହେଉଛି, ଭୁବନେଶ୍ବର କ୍ଲବର ଆବଶ୍ୟକତା ଅଛି ଏଥିରେ କାହାର ଦ୍ବିମତ ନାହିଁ। ହେଲେ ସେଥିରେ ରାଜ୍ୟ ସରକାରଙ୍କର ବରିଷ୍ଠ ଅଫିସରମାନେ ଯେଉଁମାନେ ପ୍ରତ୍ୟକ୍ଷ ଭାବେ ସରକାରୀ କାର୍ଯ୍ୟ ପରିଚାଳନା କରୁଛନ୍ତି, ସେମାନେ କେମିତି ନିର୍ବାଚନ ଲଢ଼ିବେ? ଯଦି ଲୋକସେବା ଭବନରୁ ଏହି ବାର୍ତ୍ତା ଯିବ, ତେବେ ପ୍ରତି ଗାଁ ଗଣ୍ଡାରେ ଥିବା ପଂଜୀକୃତ କ୍ଲବମାନଙ୍କରେ ସରକାରୀ ଅଧିକାରୀମାନେ ସଭାପତି, ସଂପାଦକ ହେବେ ଓ ସେଠାକୁ ଯାଉଥିବା ଅର୍ଥ ବି ଏମାନଙ୍କ ଦ୍ବାରା ନିୟନ୍ତ୍ରିତ ହେବ। ଏହା କେମିତି ଶୃଙ୍ଖଳା?

ପୁଣି ଯେଉଁ କ୍ଲବରେ ବ୍ୟାବସାୟିକ ଗୋଷ୍ଠୀ ବି ସଦସ୍ୟ ଅଛନ୍ତି, ସେ କ୍ଷେତ୍ରରେ କି ବାର୍ତ୍ତା ଯିବ? ପ୍ରଶାସନରେ ନିରପେକ୍ଷତା ଓ ସ୍ବଚ୍ଛତା କେମିତି ରହିବ? ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ହୋଇ ଅସିତ ତ୍ରିପାଠୀ କିଭଳି ଏହି କ୍ଲବ ନିର୍ବାଚନର ସଭାପତି ହେବା ପାଇଁ ଆଗ୍ରହ ଦେଖାଇଲେ? ଏଥିରେ ସରକାର ପ୍ରଭାବିତ ହେବ ନା ନାହିଁ? ମୁଖ୍ୟମନ୍ତ୍ରୀଙ୍କ ୫ଟିର ଏହା ଉଲ୍ଲଂଘନ ନୁହେଁ କି? ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ମର୍ଯ୍ୟାଦା ବଢ଼ିବ ନା କମିବ? ଏଭଳି ଅନେକ ପ୍ରଶ୍ନ ଉପରେ ଚର୍ଚ୍ଚା ଆଲୋଚନା ଚାଲିଛି।

ସାରା ଭାରତରେ ବହୁତ ବଡ଼ ବଡ଼ ସଂସ୍ଥା  ମ୍ୟାନେଜମେଣ୍ଟ ପିଲାଙ୍କୁ ନେଇ ଚାଲିଛି। ଏଠାରେ ବି ଗୋଟିଏ ପରିଚାଳନା ବୋର୍ଡ ରହିଛି। ସେମାନେ ଏହାର ସଠିକ୍ ଢଙ୍ଗରେ ପରିଚାଳନା କରୁଛନ୍ତି।  ସଭାପତି, ସଂପାଦକ ପଦରେ କାର୍ଯ୍ୟରତ ଆଇଏଏସ୍ ଅଫିସର କାହିଁକି ରହିବେ? ଯଦି ରହିବେ, ତେବେ ଏହି ଅଧିକାରୀମାନେ କ୍ଲବ ପାଇଁ ଯେଉଁ ବ୍ୟାବସାୟିକ ନିଷ୍ପତ୍ତି ନେବେ, ତାହା ପ୍ରଶାସନିକ ନିଷ୍ପତ୍ତିର ପରିପନ୍ଥୀ ହେବ ନି କି? ସଭାପତି, ସଂପାଦକ ପଦବିକୁ ଉଚ୍ଛେଦ କରି ସମ୍ପୂର୍ଣ୍ଣ ବ୍ୟାବସାୟିକ ସଂସ୍ଥା ଭାବେ ସରକାର ଏହାକୁ ଆଗେଇ ନେବା ଲାଗି ରାସ୍ତା କାହିଁକି ଖୋଲୁନାହାନ୍ତି।


ଏଠାରେ ଉଲ୍ଲେଖଥାଉକି, ୧୯୪୯ ମସିହା ଜୁଲାଇରେ ପରିକଳ୍ପନା ହେଲା ଓ ୧୯୫୦ ମସିହାରେ ମାତ୍ର ୨୩ ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଭୁବନେଶ୍ବର କ୍ଲବରେ ଏବେ ତିନି ହଜାର ପାଖାପାଖି ସଦସ୍ୟ ଅଛନ୍ତି। ଉଭୟ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କର ଏହି କ୍ଲବ ପଛରେ ଯୋଗଦାନ କିଛି କମ୍ ନାହିଁ। ରବି ନାରାୟଣ ଦାସ, ରାଜ କିଶୋର ଭୁଜବଳ, ସୁଧାଂଶୁ ମିଶ୍ରଙ୍କ ଭଳି ବରିଷ୍ଠ ଆଇଏଏସ୍ ଅଫିସରମାନେ ଗୋଟିଏ ସମୟରେ ଏହି କ୍ଲବର ସଭାପତି ଥିଲେ। ଆଉ ୨୦୦୪-୦୫ରୁ ପ୍ରିୟବ୍ରତ ପଟ୍ଟନାୟକ ୨୦୨୦ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ଏହାର ସଭାପତି ଥିଲେ।  ଏବେ ସଭାପତି, ସଂପାଦକ ବ୍ୟତୀତ ଯୁଗ୍ମ ସଚିବ ଓ କମିଟି ସଦସ୍ୟ ପଦବି ପାଇଁ ବି ନିର୍ବାଚନ ହେବ।

ମିଳିଥିବା ସୂଚନା ଅନୁସାରେ,  କ୍ଲବର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ  କରୋନା ମହାମାରୀ କାରଣରୁ ସବୁକିଛି ଅଟକିଯାଇଛି। ନିର୍ଦିଷ୍ଟ କେବେ ଭୋଟଦାନ ହେବ, ତାହା ସ୍ଥିର ହୋଇନାହିଁ।

ତଥାପି ନିର୍ବାଚନୀ ଉଷ୍ମତା ଏତେ ଯେ ସବୁଠି ସେହି ଚର୍ଚ୍ଚା।

Leave A Reply

Your email address will not be published.