ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଓଡ଼ିଶାରେ ରାଜନୈତିକ ଦଳଙ୍କୁ କି ରୋଗ ହୋଇଛି?

0
  • କେଉଁ ରାସ୍ତାରେ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ
  • ଓଡ଼ିଶା ଲୋକଙ୍କ ପାଇଁ କିଏ ଲଢ଼ିବ? ସେମାନଙ୍କ ପାଇଁ କିଏ କହିବ?

ଭୁବନେଶ୍ବର: ରାଜ୍ୟରେ ସମବାୟ ନିର୍ବାଚନ ହେଲାନି। ଇତିମଧ୍ୟରେ ବର୍ଷାଧିକ ସମୟ ବିତିଗଲାଣି। ରାଜ୍ୟର ସବୁ ସମବାୟ ସଂସ୍ଥା ଏବେ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ରହିଛି।

ରାଜ୍ୟର ପୌରସଂସ୍ଥାମାନଙ୍କର କାର୍ଯ୍ୟକାଳ କାହିଁ କେବେଠାରୁ ସରିଲାଣି। ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏବେ ଏସବୁ ସଂସ୍ଥା ଦାୟିତ୍ବରେ ଅଛନ୍ତି।

ଓଡ଼ିଶାର ଦୁଇ ଦୁଇଟି ବଡ଼ ବ୍ୟବସ୍ଥା ଗାଣତାନ୍ତ୍ରିକ ପ୍ରକ୍ରିୟାରୁ ଦୂରେଇଯାଇ ବାବୁଙ୍କ ଦ୍ବାରା ପରିଚାଳିତ। ସମବାୟ ରାଜନୀତି ସହିତ ଜ଼ଡିତ ନେତାମାନେ ହାତ ବାନ୍ଧି ବସିଛନ୍ତି। ପୌର ନିର୍ବାଚନ ଲାଗି ଆଶାୟୀ ପ୍ରାର୍ଥୀ ବି।

ଶାସକ ଦଳର ନେତାମାନେ ନିଜ ସରକାରଙ୍କ ଏ ନିଷ୍ପତ୍ତି ଗ୍ରହଣ କରିପାରୁଛନ୍ତି କି ନାହିଁ, ତାହା ଅଲଗା କଥା। କାରଣ ସମସ୍ତେ ଜାଣନ୍ତି, ଦଳୀୟ ଶୃଙ୍ଖଳା ଟପି ସେମାନେ ମୁହଁ ଖୋଲି ଏସବୁର ପ୍ରତିବାଦ କରିବା ଅସମ୍ଭବ। ହେଲେ ବିରୋଧୀ ବିଜେପି ଓ କଂଗ୍ରେସ ଉଭୟ ପ୍ରସଙ୍ଗରେ ପୂରା ନିରବ ଅଛନ୍ତି କାହିଁକି? ଦୁଇ ଦୁଇଟି ସାମ୍ବିଧାନିକ ସଂସ୍ଥାରେ ସରକାର ନିର୍ବାଚନ କରୁନାହାନ୍ତି, ଅଥଚ ଏମାନଙ୍କ ମୁହଁରେ ତାଲା ପଡିଛି!

ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଏବେ ଏଭଳି ଅନେକ ପ୍ରଶ୍ନ ଉପରେ ତର୍ଜମା ଜାରି ରହିଛି। ସମସ୍ତଙ୍କ ମନରେ ଏକଥା ବି ସନ୍ଦେହ ହେଲାଣି, ଉଭୟ ବିଜେପି ଓ କଂଗ୍ରେସ ଉଭୟ ସମବାୟ ଓ ପୌର ନିର୍ବାଚନରେ ବ଼ଡ଼ ପରାଜୟ ଭୟରେ ଚୁପ୍ କି?  ନା ଆଉ କୌଣସି ଅଦୃଶ୍ୟ କାରଣ ଏହା ପଛରେ ଲୁଚି ରହିଛି?

ଅନ୍ୟପକ୍ଷରେ ତୈଳଦର ଓ ଦରଦାମ ବୃଦ୍ଧି ଏବେ ପ୍ରତି ଘରର ମୁଖ୍ୟ ବିଷୟ ହୋଇଛି। ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଦର, ଗ୍ୟାସ ସର୍ବକାଳୀନ ରେକର୍ଡ ଛୁଇଁଛି।  ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କଥା ନ କହିବା ଭଲ। କରୋନା କାଳରେ ଯେବେ ଲୋକମାନେ ଜୀବନ ଓ ଜୀବିକାକୁ ନେଇ ସଂଘର୍ଷ ଜାରି ରହିଛନ୍ତି, ସେବେ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ପୂର୍ବରୁ ଯେତେବେଳେ ଦରଦାମ ବା ତୈଳଦର ଏହା ଠାରୁ ଯଥେଷ୍ଟ କମ୍ ପ୍ରଭାବ ପକାଉଥିଲା, ସେବେ ବିଜେଡି ନେତାମାନେ ପଲ୍ଲୀରୁ ଦିଲ୍ଲୀ ଯାଏ କମ୍ପାଇ ଦେଉଥିଲେ। ଏବେ ଗଣମାଧ୍ୟମରେ ବଡ଼ ବଡ଼ ଭାଷଣ ଝାଡି ସେମାନେ ଚୁପ୍। ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ତ ଦୂରର କଥା, ଦଳର ଶୀର୍ଷ ନେତାମାନେ ବି ଏ ପ୍ରସଙ୍ଗରେ ଯେଭଳି ପ୍ରତିକ୍ରିୟା ରଖିବା କଥା ରଖୁନାହାନ୍ତି।

ବିଜେପି ଓ କଂଗ୍ରେସ ଉଭୟ ଜାତୀୟ ଦଳ ହୋଇ ଯେଭଳି ଭୂମିକାରେ ଅବତୀର୍ଣ୍ଣ ଅଛନ୍ତି, ଆଞ୍ଚଳିକ ଦଳ ଭାବେ ବିଜେଡି ବି ଅଳ୍ପ ବହୁତେ ସେମିତି ହିଁ ଅଭିନୟ କରୁଛି।

ଏହି ତିନିଟି ଘଟଣାକୁ ନିରେଖି ଦେଖିଲେ, କେଉଁଠି ନା କେଉଁଠି ସଙ୍କେତ ମିଳୁଛି ଯେ ଓଡ଼ିଶାରେ ରାଜନୈତିକ ଦଳଗୁଡିକ କୌଣସି ଏକ ବଡ଼ ରୋଗରେ ରୋଗାକ୍ରାନ୍ତ। ସେମାନଙ୍କ ସ୍ବାସ୍ଥ୍ୟ ଭଲ ନାହିଁ ଅଥବା ସେମାନେ ଜନମତକୁ ହେୟ ଜ୍ଞାନ କରିବା ଆରମ୍ଭ କରିଦେଲେଣି।

ଏଠାରେ ସ୍ମରଣଥାଉକି, ଲଢିକି ତିନି ନମ୍ବର ସ୍ଥାନରୁ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଥିଲା ରାଜ୍ୟ ବିଜେପି।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ବଡ଼ ଯୋଗଦାନ ଅଛି, ଏଥିରେ କାହାର ସନ୍ଦେହ ନାହିଁ। କିନ୍ତୁ ସାଧାରଣ ନିର୍ବାଚନ ପରେ ବିଜେପିର ପରିବର୍ତ୍ତିତ ରାଜନୈତିକ କୌଶଳ ଭୋଟର ତ ଦୂରର କଥା ବିଜେପିର ନିଜ ଦଳର ଅଧିକାଂଶ ନେତା, କର୍ମୀଙ୍କୁ ବି ଅସନ୍ତୁଷ୍ଟ କରିପକାଇଲାଣି। ଏମିତି ଯେ ବିଜେପି ଦୁଇ ନମ୍ବର ସ୍ଥାନରେ ରହି ମଧ୍ୟ  ଅନେକଙ୍କ ଆଖିରେ ପୁଣି ତିନି ନମ୍ବର ସ୍ଥାନକୁ ଖସିଗଲାଣି। ନେତୃତ୍ବର ଆଚରଣ ଓ ଉଚ୍ଚାରଣ  ଏବଂ ରଣନୀତି ମଧ୍ୟରେ ସର୍ବନିମ୍ନ ସମନ୍ବୟ ଥିବା ଭଳି ମନେ ହେଉନାହିଁ। ନେତାମାନେ ଖୋଲାଖୋଲି କହିଲେଣି, ରାଜ୍ୟ ସରକାରଙ୍କ ବିକାଶ ସହିତ ଯୋଡି ହୋଇ କାମ କରିବା ଲାଗି ନିର୍ଦେଶ ରହିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି, ବିଜେପି-କଂଗ୍ରେସ ଓ ବିଜେଡି ନେତାଙ୍କ ଭାଷା ଓ କାର୍ଯ୍ୟକ୍ରମ ଯିଏ ନିରେଖି ଦେଖୁଥିବ, ସେ ସବୁକିଛି ସ୍ପଷ୍ଟ ଭାବେ ବୁଝିପାରିବ, କିଏ କାହା ସହିତ କିଭଳି ଛନ୍ଦି ହୋଇରହିଛନ୍ତି।

ଏଭଳି ରାଜନୈତିକ କୌଶଳ କିନ୍ତୁ ରଣନୀତିକାରଙ୍କୁ ସନ୍ତୁଷ୍ଟ କରୁନି। ସେମାନଙ୍କ ମତରେ, ବିଜେପି ନିଜ ଗୋଡରେ ନିଜେ ଚୋଟ ମାରୁଛି। ଏହି ମହଲ ଆହୁରି କହୁଛନ୍ତି ଯେ ଏକଦା ଏମିତି ଭ୍ରମରେ ପଡ଼ିଥିଲା କଂଗ୍ରେସ। ଚାରି ପାଞ୍ଜିରୁ ଗଲା। କେନ୍ଦ୍ରୀୟ ନେତାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ରୁ ୨୦୧୪ ଯାଏ ଯେଭଳି ଗୋଟିଚାଳନା କଲେ, ସେଥିରେ କଂଗ୍ରେସ ତଳିତଳାନ୍ତ ହୋଇଗଲା। ଏବେ ବିଧାନସଭାରେ ସେମାନେ ଏକ ଅଙ୍କ ବିଶିଷ୍ଟ। ଅନେକ ସୁଯୋଗ ସେମାନେ ହାତଛଡ଼ା କରିଛନ୍ତି।  ୨୦୦୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିଲେ ବି ସେ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଚାହିଁନଥିଲେ କଂଗ୍ରେସ ହାଇକମାଣ୍ଡ। 

ସାମ୍ନାରେ ଏତେ ଏତେ ଉଦାହରଣ ଥାଇ ବି ବିଜେପି ନେତା ସେହି ରାସ୍ତାରେ କିଭଳି ଚାଲିଛନ୍ତି , ତାହା ବୁଝାପଡୁନାହିଁ। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଚାଳନା ଏବେ ବି ସମସ୍ତଙ୍କ ପାଇଁ ଦୁର୍ବୋଧ୍ୟ ହୋଇ ରହିଛି। ସେ ଏମିତି ଜାଲ ବିଛାଇ ଆସିଛନ୍ତି, ସେଥିରେ ଥରେ ପଡିଥିବା ଦଳ ବା ନେତା ସବୁଦିନ ପାଇଁ ଆତ୍ମବିଶ୍ବାସ ହରାଇ ବସନ୍ତି। ଏବେ କଂଗ୍ରେସ ଦୁର୍ଗ ଦୋହଲୁଛି, ବିଜେପି ସ୍ବାସ୍ଥ୍ୟ ବି ଠିକ୍ ନାହିଁ।

ଆଉ ଗୋଟିଏ ମହଲ କହିବା କଥା, ନିକଟରେ ବାତ୍ୟା ‘ୟାସ୍’ ମୁକାବିଲା ନେଇ ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିଥିଲେ, ସେବେ ଗୋଟିଏ ଚିତ୍ର ସ୍ପଷ୍ଟ କରିଦେଇଛି ଯେ ନବୀନଙ୍କୁ ଛାଡି ମୋଦୀ ବହୁତ ଶୀଘ୍ର ଆଗକୁ ଯିବା ସ୍ଥିତିରେ ନାହାନ୍ତି। ସାରା ଦେଶ ଏକ ବିରଳ ଦୃଶ୍ୟ ଦେଖିଛି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଓଡ଼ିଶାରେ ସେଦିନ ଯେତେବେଳେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ଆଗକୁ ବଢୁଥିଲେ, ସେବେ ମୋଦୀ ନିଜେ ଚାଲିଆସି ଶ୍ରୀ ପଟ୍ଟନାୟକଙ୍କ ପିଠି ଥାପୁଡାଇବା ଘଟଣା କାହା ଆଖିରୁ ଖସିନାହିଁ। ସେହିଭଳି ଯେବେ ଟିକାକରଣ ନେଇ କେନ୍ଦ୍ର ସରକାର ଅଡୁଆରେ ଥିଲେ, ସେବେ ସବୁ ରାଜ୍ୟ ମଧ୍ୟରେ ସହମତି ସୃଷ୍ଟି ପାଇଁ ନବୀନ ହିଁ ଆଗକୁ ଆସି ଉଦ୍ୟମ କରିଥିଲେ। ଏଣୁ ସ୍ବାଭାବିକ ଭାବେ ଏହା ରାଜ୍ୟ ନେତାଙ୍କ ଉପରେ ଚାପ ସୃଷ୍ଟି କରିବ।

ଦ୍ବିତୀୟତଃ, କେନ୍ଦ୍ର ବିଜେପି ସରକାର ଏକଥା ବି ଭଲ ଭାବେ ବୁଝିଛନ୍ତି, କେବଳ ନବୀନ ହିଁ ଓଡ଼ିଶାରେ କଂଗ୍ରେସର ଗତିରୋଧ କରି ରଖିଛିନ୍ତି। ଆସନ୍ତାକାଲି ସକାଳେ ଯଦି ବିଜେଡି ଦୁର୍ବଳ ହୋଇଯାଏ, ତେବେ ବିଜେପି ବଢ଼ିପାରେ କିନ୍ତୁ କଂଗ୍ରେସ ଭୀଷଣ କ୍ଷତି ପହଞ୍ଚାଇବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଏପରିକି ବିଜେପିକୁ ଟପି ଆଗକୁ ଚାଲିଆସିବା ଅସମ୍ଭବ ନୁହେଁ।

କିନ୍ତୁ, ଅସଲ ପ୍ରଶ୍ନଟି ହେଉଛି, ଏ ବୁଝାମଣା ଭିତ୍ତିକ ରାଜନୀତିରେ ଭୋଟରଙ୍କ ଭାଗ୍ୟ କଣ ହେବ? ତାଙ୍କ ପାଇଁ କିଏ ଲଢ଼ିବ?

Leave A Reply

Your email address will not be published.