ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ବିଜେଡିରେ ଉତ୍ସାହ: ବଡ ସଫଳତା ପାଇଁ ବଡ କାର୍ଯ୍ୟକ୍ରମ

0
  • ଦଳକୁ ୨୫ବର୍ଷ ଛୁଇଁବ, ନବୀନଙ୍କ ରାଜନୀତିକୁ ବି
  • ଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳ ତିଷ୍ଠି ପାରୁନଥିଲା
  • ଖୁବ୍ ଶୀଘ୍ର ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବି ଛୁଇଁବ ୨୫ବର୍ଷ
  • ତିନିବର୍ଷ ଧରି ପାଳନ କରିବାକୁ ବଡ ଯୋଜନା ଚାଲିଛି
  • ସବୁ ରାଜ୍ୟରେ ପହଞ୍ଚିବ ନବୀନଙ୍କ ସଫଳତାର ଗାଥା
  • ପ୍ରତି ଘରେ ୨୫ବର୍ଷର ହିସାବ ରଖି ଆଗକୁ ବଢିବ ଦଳ

ଭୁବନେଶ୍ବର: ବିଜେଡି ଭିତରେ ଭିତରେ ଏକ ବଡ଼ ପ୍ରସ୍ତୁତିରେ ଲାଗିଛି। ଆସନ୍ତା ତିନିବର୍ଷ (୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୦୨୫) ଦଳ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଏଇଥିପାଇଁ ଯେ ଓଡ଼ିଶା ରାଜନୀତି ଇତିହାସରେ କୌଣସି ଆଞ୍ଚଳିକ ଦଳ ଯେବେ ତିଷ୍ଠି ପାରୁନଥିଲେ, ସେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ଖୁବ୍ ଶୀଘ୍ର ୨୫ବର୍ଷ ଛୁଇଁବାକୁ ଯାଉଛି।

୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଭୁବନେଶ୍ବର ନବୀନ ନିବାସ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାବେଶରେ ବିଜୁ ଜନତା ଦଳ ଜନ୍ମଲାଭ କରିଥିଲା। ନବୀନ ପଟ୍ଟନାୟକ ସେବେ ପ୍ରତିଷ୍ଠାତା ସଭାପତି ଭାବେ ଏହାର ନେତୃତ୍ବ ନେଇଥିଲେ। ଇତିମଧ୍ୟରେ ବହୁ ଉତ୍‌ଥାନ ଓ ପତନ ସେ ସାମ୍ନା କରିଛନ୍ତି ସତ, କିନ୍ତୁ ଏହା ତାଙ୍କୁ ଦୁର୍ବଳ କରିନି ବରଂ ସଶକ୍ତ ହୋଇଛନ୍ତି। ଆଜି ବି ସେ ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ ନେତା ଓ ବିଜେଡିର ମୁଖିଆ ଭାବେ ନିଜ ସ୍ଥାନକୁ ଅତ୍ୟନ୍ତ ସୁଦୃଢ କରି ରଖିଛନ୍ତି। ବିଜୁ ବାବୁଙ୍କ ନାମରେ ଏହି ଦଳ ଗଠନ ହୋଇଥିଲେ ହେଁ, ନବୀନ ହେଉଛନ୍ତି ଏହାର ପ୍ରାଣ। ଦଳ ଓ ସରକାର ସବୁ କ୍ଷେତ୍ରରେ ସେ ଓ ତାଙ୍କ ଭାବମୂର୍ତି ଆଜି ଏକମାତ୍ର ସମ୍ବଳ। ଲୋକପ୍ରିୟତା ଓ ଗ୍ରହଣୀୟତାରେ ନବୀନଙ୍କ ସମକକ୍ଷ ଆଜି ଓଡ଼ିଶା ରାଜନୀତିରେ କେହି ନାହାନ୍ତି।

୨୦୨୨ ମସିହା ଅନ୍ୟ ଗୋଟିଏ ଦୃଷ୍ଟିକୋଣରୁ ମଧ୍ୟ ବିଜେଡି ପାଇଁ ଗୁରୁତ୍ବପୂର୍ଣ୍ଣ। ତାହା ହେଲା, ନବୀନଙ୍କ ରାଜନୈତିକ କ୍ୟାରିଅରକୁ ବି ୨୫ବର୍ଷ ଛୁଇଁବ। ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କର ଦେହାନ୍ତ ହୋଇଥିଲା, ଏବଂ ଏହି ବର୍ଷ ନବୀନ ଓଡ଼ିଶା ରାଜନୀତିରେ ପାଦ ଥାପିବା ସହିତ ଆସ୍କାରୁ ଉପନିର୍ବାଚନ ଲଢି ବିଜୟୀ ହୋଇଥିଲେ। ସେବେ କିନ୍ତୁ ବିଜେଡି ନୁହେଁ, ବରଂ ଜନତାଦଳ ଚକ ଚିହ୍ନରେ ନବୀନ ନିର୍ବାଚନ ଲଢିଥିଲେ। ଅର୍ଥାତ୍ ନବୀନଙ୍କ ରାଜନୈତିକ ଜୀବନକୁ ବି ୨୫ବର୍ଷ ଛୁଇଁବ। ସେବେଠାରୁ ସେ କ୍ଷମତା ରାଜନୀତିରେ ଅଛନ୍ତି। କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ମ ଇସ୍ପାତ ବିଭାଗର ମନ୍ତ୍ରୀ ଭାବେ ସେ କ୍ଷମତା ଧରିଥିଲେ, ଆଉ ସେଠାରୁ ସିଧା ଆସି ମୁଖ୍ୟମନ୍ତ୍ରୀ ଚୌକିରେ ବସିଛନ୍ତି। ଭାରତବର୍ଷ ରାଜନୀତି ଇତିହାସରେ ଏଭଳି ସଫଳତା କ୍ବଚିତ୍ ବ୍ୟକ୍ତିଙ୍କୁ ମିଳିଥିବ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଉଭୟ ଦୃଷ୍ଟିକୋଣରୁ ବିଜୁ ଜନତା ଦଳ ଏହି ବର୍ଷକୁ ଅତି ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ଲାଗି ଚିନ୍ତା କରୁଛି, ଯେମିତି ପ୍ରତି ଘରେ ଘରେ ନବୀନଙ୍କ ରାଜନୀତି ଏବଂ ବିଜେଡିର ୨୫ ବର୍ଷର ସଫଳତା ପହଞ୍ଚିବ। ଭାରତର ସବୁ ରାଜ୍ୟରେ ନବୀନଙ୍କ ଉପସ୍ଥିତି ଓ ସଫଳ ରାଜନୀତିର ନକ୍ସା ଉପସ୍ଥାପନ କରିବ ବିଜେଡି। କେବଳ ସେତିକି ନୁହେଁ, ଦଳ ମତ ନିର୍ବିଶେଷରେ ବିଜୁ ଜନତା ଦଳ ଗଠନ ସମୟର ସବୁ ବିନ୍ଧାଣୀଙ୍କୁ ବିଜେଡି ସ୍ମରଣକୁ ନେଇପାରେ।

କେବଳ ସେତିକି ନୁହେଁ, ୨୦୨୪-୨୫ରେ ନବୀନ ପଟ୍ଟନାୟକଙ୍କ ପାଇଁ ଆହୁରି ଏକ ଉଲ୍ଲେଖନୀୟ ବର୍ଷ ଭାବେ ବିବେଚିତ ହେବ। ସେବେ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବି ୨୫ବର୍ଷ ଛୁଇଁବ। ଏହି ସଫଳତାକୁ ବିଜେଡି ଭାରତବର୍ଷର କୋଣ ଅନୁକୋଣରେ ପହଞ୍ଚାଇବାକୁ ଚାହୁଁଛି। ଶାସନର ଡୋରି ଧରିବା ବେଳେ ଓଡ଼ିଶା କେଉଁଠି ଥିଲା, ଆଜି ଦିନରେ କେଉଁଠି ପହଞ୍ଚିଛି, ଏହି ୨୫ବର୍ଷ ଯାତ୍ରା କାଳରେ ଓଡ଼ିଶା କଣ ପାଇଛି, କଣ ହରାଇଛି, ଏହାର ହିସାବ ନିକାସ ରଖାଯିବ ସାରା ଦେଶ ସାମ୍ନାରେ।

କାରଣ ୨୦୦୦ ମସିହାରେ ଯେବେ ନବୀନ ଓଡ଼ିଶା ରାଜନୀତିର ମଙ୍ଗ ଧରିଥିଲେ, ସେବେ ଓଡ଼ିଶାର ଆର୍ଥିକ ସ୍ଥିତି ଅତି ଦୁର୍ବଳ ଥିଲା। ବଜେଟ୍ କଥା ଦୂରେ ଥାଉ; ଓଭରଡ୍ରାଫ୍ଟରେ ଦରମା ନେଉଥିଲେ ସରକାରୀ କର୍ମଚାରୀ। ମହାବାତ୍ୟା ବିଧ୍ବସ୍ତ ଓଡ଼ିଶାରେ ଆଇନଶୃଙ୍ଖଳା ଅତି ବିପର୍ଯ୍ୟସ୍ତସ୍ତରକୁ ଚାଲିଯାଇଥିଲା। ଅଞ୍ଜନା ମାମଲା ଏବଂ ଷ୍ଟେନ୍ସ ପୋଡି ମାମଲାଠାରୁ ଆରମ୍ଭ କରି କଳାହାଣ୍ଡିର ଅନାହାର ଚିତ୍ର ଭାରତ ରାଜନୀତିରେ ଓଡ଼ିଶାର ଚିତ୍ରକୁ ବିବର୍ଣ୍ଣ କରିଦେଇଥିଲା। ଆଜି ଦିନରେ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ କେବଳ ବଳକା ରାଜ୍ୟ ତା ନୁହେଁ, ରାଜ୍ୟରେ ମାଳ ମାଳ କେନ୍ଦ୍ରୀୟ ପ୍ରତିଷ୍ଠାନ, ଦ୍ବିତୀୟ ଇସ୍ପାତ ପ୍ରକଳ୍ପ ଠାରୁ ଆରମ୍ଭ କରି ଏକାଧିକ ବନ୍ଦର ହୋଇସାରିଲାଣି, ଦ୍ବିତୀୟ ବିମାନବନ୍ଦର ବି। ଓଡ଼ିଶା ଏବେ ବିଶ୍ବସ୍ତରୀୟ କିଛି ପ୍ରକଳ୍ପର ସ୍ବପ୍ନ ଦେଖୁଛି। ଏସବୁ କଥା ଦେଶ ସାମ୍ନାରେ ରଖିବ ବିଜେଡି।

ସବୁଠାରୁ ବଡ଼ କଥା ହେଲା, ବିଜେଡିର ସଫଳ ରାଜନୈତିକ ଯାତ୍ରା ଭାରତବର୍ଷର ଅନ୍ୟ କୌଣସି ରାଜନୈତିକ ଦଳ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ ଅଟେ। ନିଜସ୍ବ ଯୋଜନା ପ୍ରସ୍ତୁତି, ନେତୃତ୍ବ ପ୍ରତି ବିଶ୍ବାସ, ବିରୋଧୀଙ୍କୁ ବଶ କରି ରଖିବା, ସର୍ବୋପରି ନେତୃତ୍ବର ଆଚରଣ ଓ ଉଚ୍ଚାରଣ କଣ ହେବା ଦରକାର, ଏସବୁର ସଙ୍କେତ ନବୀନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ଦେଇଛନ୍ତି। ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏବେ ସବୁଠୁ ଆଗରେ। ଏମିତି ସବୁ….।

ଏସବୁକୁ ମିଶାଇ ୨୦୨୨ରୁ ବିଜେଡି ତିନିବର୍ଷ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ କରିବାକୁ ମନସ୍ଥ କରୁଛି। ଏହାର ରୂପରେଖ କଣ ହୋଇପାରେ ଏସବୁ ସଂପର୍କରେ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବ।

Leave A Reply

Your email address will not be published.