ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଶନିବାର ଜାଣନ୍ତୁ, ମାଆ କାଳୀଙ୍କ ସଂପର୍କରେ ଏମିତି କିଛି କଥା

0

କାଳୀଂ କରାଳବଦନାଂ ମୁଣ୍ଡମାଳାବିଶୋଭିତାମ୍।

ଲୋଳଜିହ୍ବାଂ ତ୍ରିନେତ୍ରାଙ୍ଗାଖଡ୍ଗପାତ୍ରଧରାନନାମ୍।।

ଗୂହ୍ୟାଦ୍ ଗୂହ୍ୟତମାଂ ଦେବୀଂ ସର୍ବସିଦ୍ଧି ପ୍ରଦାୟିନୀମ୍।

ଗୂହ୍ୟଚକ୍ରେଶ୍ବରୀଂ ବନ୍ଦେ କାଳିକାଂ କାଳମାତୃକାମ୍

ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଅନେକ ଶାକ୍ତ ପୀଠ ରହିଛି, ଯେଉଁଠାରେ କାଳୀଙ୍କ ଉପାସନା କରାଯାଇଥାଏ। ଯେମିତିକି ପୁରୀରେ ଚର୍ତୁଭୁଜା ଶ୍ୟାମାକାଳୀଙ୍କ ମନ୍ଦିର ରହିଛି । ଏହା ବହୁ ପୂରାତନ ମନ୍ଦିର ଭାବେ ଜଣାଶୁଣା। ପାଖାପାଖି ୪ଫୁଟ ଉଚ୍ଚତା ବିଶିଷ୍ଟ ଦେବୀଙ୍କର ଉଭୟ ପାର୍ଶ୍ୱରେ ବିମଳା ଓ ସର୍ବମଙ୍ଗଳା ବିରାଜିତା। ଶ୍ୟାମାକାଳୀ ଗଜପତି ମହାରାଜାଙ୍କ ଆରାଧ୍ୟା ଭାବେ ଜଣାଶୁଣା। ଯେଭଳି ଓଡ଼ିଶା ଶାସନ ଗାଦିରେ ବସିବା ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାର ଏକ ପରମ୍ପରା ରହିଛି, ଠିକ୍ ସେମିତି ଗଜପତିଙ୍କ ଅଭିଷେକ ପରେ ସିଂହାସନ ଆରୋହଣ କରିବା ପୂର୍ବରୁ ମାଆ ଶ୍ୟାମାକାଳୀଙ୍କୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି।

କେବଳ ଏହି ଗୋଟିଏ ସ୍ଥାନରେ ନୁହେଁ, ଶ୍ରୀମନ୍ଦିର ଦକ୍ଷିଣ-ପୂର୍ବ କୋଣରେ ମାଆ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଏଠାରେ ଦେବୀଙ୍କ ମୁଖ କିନ୍ତୁ ପୂର୍ବ ଦିଗକୁ ରହିଛି। ଦେବୀ ଏଠାରେ ଚର୍ତୁଭୁଜା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଶାଳାର ମୁରବି ଭାବେ ଜଣାଶୁଣା ।

ପୁରୀ ଜିଲ୍ଲାର ବୀରଗୋବିନ୍ଦପୁର, ସମଯାଜପୁର ଓ ବୀର ପ୍ରତାପପୁରରେ ମଧ୍ୟ କାଳୀ ପୂଜା ପାଆନ୍ତି । ବିଶ୍ୱାସ ରହିଛି, ବୀରଗୋବିନ୍ଦପୁରରେ ମାଆ ଦକ୍ଷିଣକାଳୀ ବହୁତ ଉଗ୍ର ଓ ପ୍ରତ୍ୟକ୍ଷ । ଏକଦା ଜଣେ ବଙ୍ଗାଳୀ ବ୍ରାହ୍ମଣ କୋଲକାତାରୁ ଆସି ଏଠାରେ ଦେବୀଙ୍କୁ ସ୍ଥାପନ କରିଥିଲେ । ଅନୁରୂପ ଭାବେ ଅନ୍ୟ ଦୁଇ ଶାସନରେ ମଧ୍ୟ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା।

ଭଦ୍ରକ ସହର ଠାରୁ ଆଠ କିଲୋମିଟର ଦୂର ଅଗରପଡାରେ ମାଆ ଭଦ୍ରକାଳୀ ପୂଜା ପାଆନ୍ତି । ଭଦ୍ରକାଳୀଙ୍କ ନାମାନୁସାରେ ଭଦ୍ରକ ସହର ନାମିତ ହୋଇଥିବା କୁହାଯାଏ । କିମ୍ୱଦନ୍ତୀ ଅନୁସାରେ, ଦେବୀ ମୟୂରଭଞ୍ଜ ଜିଲ୍ଲା ମେଘାସନ ପାହାଡ ଗୁମ୍ଫାରେ ପୂଜା ପାଉଥିଲେ। ସେଠାରେ ଜଣେ ଋଷି ତାପସ ତାଙ୍କର ପୂଜାର୍ଚ୍ଚନା କରୁଥିଲେ। ପରେ ତାଙ୍କର ଜଣେ ଶିଷ୍ୟ ଭଦ୍ରନାଥ ଦେବୀଙ୍କୁ ଭଦ୍ରକ ପର୍ଯ୍ୟନ୍ତ ଆଣିଛନ୍ତି ।

ଭଦ୍ରକ ଭଳି ନୟାଗଡ ଜିଲ୍ଲାରେ ମାଆ ଦକ୍ଷିଣକାଳୀ ହେଉଛନ୍ତି, ଆରାଧ୍ୟ ଦେବୀ ଭାବେ ପୂଜିତା। କୁହାଯାଏ, ଦେବୀଙ୍କୁ ରାଜା ପରିବାର ସହ ଜଡିତ ଜଣେ ତାନ୍ତ୍ରିକ ଏଠାରେ ପ୍ରତିଷ୍ଠା କରାଇଛନ୍ତି।ସଂପୃକ୍ତ ବ୍ୟକ୍ତି ଥରେ ଖଣ୍ଡପଡାରୁ ଗୋଟିଏ ଆମ୍ୱ ବଗିଚା ଦେଇ ଆସୁ ଆସୁ ଦେବୀଙ୍କ ବାଟ ଓଗାଳିଥିଲେ। ତାନ୍ତ୍ରିକ ତାଙ୍କୁ ବନ୍ଦୀ କରି ନୟାଗଡ ଯାଏ ଆଣିଥିଲେ ।

ଚିଲିକା ମଧ୍ୟରେ ଥିବା ଦେବୀ କାଳିଯାଇଙ୍କୁ ନେଇ ଅନେକ ଲୋକକଥା ରହିଛି । ହେଲେ ଗୋଟିଏ ମତ ରହିଛି ଯେ କାଳିଯାଇ ମଧ୍ୟ ମାଆ କାଳୀ । ଡ. ରାଧାଚରଣ ପଣ୍ଡାଙ୍କ ପାରିକୁଦ ଇତିହାସ ପୁସ୍ତକରେ ଦର୍ଶାଯାଇଛି ଯେ ମାଆ କାଳିଯାଇଙ୍କ ମନ୍ଦିର ୧୭୧୭ ମସିହାରେ ନିର୍ମିତ। ବଙ୍କଡ (ବର୍ତମାନ ବାଣପୁର) ରାଜା ଶ୍ରୀ ଜଗନ୍ନାଥ ମାନସିଂହ ଦେବୀଙ୍କ ମନ୍ଦିର ନିର୍ମାଣ କରିଥିଲେ। ପଣ୍ଡିତ ଗୋଦାବରୀଶ ମିଶ୍ର ତାଙ୍କ କବିତାରେ ଉଲ୍ଲେଖ କରିଛନ୍ତି, ଯାଇ ନାମକ ଏକ ଝିଅ, ପାରିକୁଦ ଦ୍ୱୀପରେ ବିବାହ କରିବାକୁ ଯାଉଥିଲେ। ଅକସ୍ମାତ ଝଡରେ ଡଙ୍ଗା ବୁଡିଯାଇଥିଲା। ଯାଇ ପ୍ରାଣ ହରାଇଥିଲେ ଓ ସେ କାଳିଯାଇ ନାମରେ ପୂଜିତା। ଏହା କବିଙ୍କ କଳ୍ପନା ହୋଇପାରେ, ମାତ୍ର ଅନେକଙ୍କ ମତରେ କାଳୀ ସେଠାର ଆରାଧ୍ୟ ଦେବତା।

ଏସବୁ ବ୍ୟତୀତ ମାହାଙ୍ଗା ସିପୁରାରେ ମାଆ କାଳୀଙ୍କ ମନ୍ଦିର ରହିଛି। ରାଜଧାନୀ ଭୁବନେଶ୍ୱର ସତ୍ୟନଗର, ବରମୁଣ୍ଡାରେ ବି। କେନ୍ଦ୍ରାପଡାରେ ସହର ସନ୍ନିକଟ ସ୍ଥାନରେ ମଧ୍ୟ ମାଆ କାଳୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦେବୀ ସେଠାରେ ପୂଜା ପାଉଛନ୍ତି ।

Leave A Reply

Your email address will not be published.