ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

କାହାକୁ ଦେଖାଇବା ପାଇଁ ଅଶ୍ବିନୀ ଏମିତି କଲେ

0

ଭୁବନେଶ୍ବର: ରାଜନୀତିରେ କ୍ଷମତାର ଶୀର୍ଷରେ ରହି ସର୍ବେସର୍ବା ସାଜୁଥିବା ଲୋକଟି ହାତରୁ ଯେତେବେଳେ ଦୁଧିଆଳୀ ବିଭାଗ ଚାଲିଯାଏ ତାଙ୍କର ପ୍ରଭାବ କମିଯାଏ କି? ଓଜନିଆ ବିଭାଗ ଚାଲିଗଲେ ସଂପୃକ୍ତ ନେତାଙ୍କ ପ୍ରଭାବ ରାଜନୀତିରେ ଗୌଣ ହୋଇଯାଏ କି?

ଏମିତି କିଛି ପ୍ରଶ୍ନ ଏବେ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଆମେ କହୁଛୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା। କାରଣ ତାଙ୍କ ସହିତ ଘଟିଥିବା ଏକ ଘଟଣା ଏମିତି କିଛି ସଙ୍କେତ ଦେଇଛି।

ଏକଥା ସମସ୍ତେ ଜାଣନ୍ତି ଯେ ଓଡ଼ିଶା ବିଜେପି ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବିନା ଅନୁମତିରେ ପତ୍ରଟିଏ ବି ହଲେନି। ତାଙ୍କ ଇସାରା ବିନା କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୁଏନି। ହେଲେ ଗତକାଲି (ରବିବାର) ଏମିତି ଗୋଟିଏ ଘଟଣା ସାମ୍ନାକୁ ଆସିଲା, ଯାହା ରାଜନୈତିକ ସମୀକ୍ଷକ ଏବଂ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷଙ୍କୁ ନିହାତି ଚିନ୍ତାରେ ପକାଇ ଦେଇଛି। ଗୋଟିଏ ବାର୍ତ୍ତା ଯେମିତି ତିଆରି ହୋଇଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ବହୀନ ହୋଇପଡିଛନ୍ତି। ଏ ସନ୍ଦେହ ବି ବଢୁଛି ଯେ ତାଙ୍କୁ ଗୁରୁତ୍ବହୀନ ବୋଲି ପ୍ରମାଣ କରିବା ଲାଗି ଷଡ୍‌ଯନ୍ତ୍ର ଆରମ୍ଭ ହୋଇଛି?

କେଉଁ ପରିସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ (ଏହି ରିପୋର୍ଟ ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରସ୍ତୁତ ହେବା ବେଳକୁ) କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମାନ୍ୟ ଧନ୍ୟବାଦ ଟିଏ ଦେବାକୁ ଭୁଲିଗଲେ?

ପୂରା ଘଟଣା ଥିଲା କିଛି ଏହିଭଳି। କେନ୍ଦ୍ର ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରବିବାର ଥିଲା ଜନ୍ମଦିନ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିଜର ସହଯୋଗୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଠାରୁ ଶୁଭେଛା ପାଇଥିଲେ ଅଶ୍ୱିନୀ ବୈଷ୍ଣବ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶୁଭେଛା ପାଇଁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପୀୟୁଷ ଗୋଏଲ୍‌, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ନିଜ ବିଭାଗର ସହଯୋଗୀ ମନ୍ତ୍ରୀଙ୍କୁ ଶୁଭେଛା ପାଇଁ ଧନ୍ୟବାଦ ଦେଲେ । ମାତ୍ର ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ସାମିଲ ନାହିଁ । ଯାହା ଆମ ଭଳି ରାଜନୀତିରେ ରୁଚି ରଖୁଥିବା ସାମ୍ବାଦିକଙ୍କୁ ଚକିତ କରୁଛି।

ହୁଏତ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପୀୟୁଷ ଗୋଏଲ୍ ଏବଂ ନିଜର କ୍ୟାବିନେଟ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇବାକୁ ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ଅନେକ କାରଣ ଥାଇପାରେ । ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଯେତେବେଳେ ଧନ୍ୟବାଦ ଜଣାଉଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ସେତେବେଳେ ତାଲିକାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ବାଦ୍ ପଡିବା ଆଶ୍ଚର୍ଯ୍ୟ କରୁଛି । ଏମିତି କଣ ଘଟିଲା ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧନ୍ୟବାଦ ପାଇବାରୁ ବଞ୍ଚିତ ହେଲେ, ସେନେଇ ଓଡିଶା ରାଜନୀତିରେ ଯଥେଷ୍ଟ ଚର୍ଚ୍ଚା।

ଅଶ୍ବିନୀଙ୍କର ଓଡ଼ିଶା ସଂପର୍କ କେବଳ ବିଜେପି ଭିତରେ ସୀମିତ ନାହିଁ। ବିଜେଡି ସହିତ ତାଙ୍କ ସଂପର୍କ ବେଶୀ ଘନିଷ୍ଠ। କାରଣ ନବୀନ ପଟ୍ଟନାୟକଙ୍କର ସେ ବାଲେଶ୍ବର ଓ କଟକ ଭଳି ଜିଲ୍ଲାରେ ଜିଲ୍ଲାପାଳ ଥିଲେ। ରାଜ୍ୟ ପ୍ରଶାସନ ସହିତ ଅନେକ କାରଣରୁ ଅଶ୍ବିନୀଙ୍କର ସଂପର୍କ ରହିଛି। ଏକଥା ବି କେହି ଭୁଲିନାହାନ୍ତି ଯେ ଦିନେ ଅଶ୍ବିନୀ ହିଁ ନିଜେ ନବୀନଙ୍କୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଖକୁ ଯାଇଥିଲେ।

ଏବେ ରାଜ୍ୟ ରାଜନୀତିରେ ନିଜ ପ୍ରଭାବ ବୃଦ୍ଧି ଲାଗି ଧର୍ମେନ୍ଦ୍ରଙ୍କୁ ଛୋଟ କରି ଅଶ୍ବିନୀ ରାଜ୍ୟ କ୍ଷମତା କରିଡରରେ ନିଜର ପ୍ରଭାବ ସାବ୍ୟସ୍ତ କରିବାକୁ ଚାହିଁଛନ୍ତି କି? ସେ ଯେ କେନ୍ଦ୍ରରେ ଏକ ନମ୍ବର ଓ ଧର୍ମେନ୍ଦ୍ରଙ୍କର ପ୍ରଭାବ କମିଛି, ଏମିତି ସଙ୍କେତ ଦେଇଛନ୍ତି କି?

ଏମିତି କିଛି କଥା ଉପରେ ରାଜନୈତିକ ମହଲରେ ଆଲୋଚନା ସରଗରମ ହେଲାଣି।

ଉଲ୍ଲେଖଥାଉକି, ଓଡିଶାରୁ ରାଜ୍ୟସଭା ଯାଇଛନ୍ତି ଅଶ୍ୱିନୀ ବୈଷ୍ଣବ । ନିହାତି ଭାବେ ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ମତି ଥିବ କିମ୍ବା ତାଙ୍କ ସହ ବ୍ୟାପକ ଆଲୋଚନା ହେବା ପରେ ଏ ନିଷ୍ପତ୍ତି ନିଆଯାଇଥିବ। ହେଲେ ଏବେ ପରିବର୍ତ୍ତିତ ସ୍ଥିତିରେ କୁହାଯାଉଛି, ଧର୍ମେନ୍ଦ୍ର ରାଜନୀତିରେ ନିଜ ପ୍ରଭାବ ହରାଇ ବସିଛନ୍ତି। ଏହି ଚର୍ଚ୍ଚାଟି ବେଶୀ ବିଜେପି ଶିବିରରୁ ଆସୁଛି। ଧର୍ମେନ୍ଦ୍ର ପ୍ରଧାନ ଯେଉଁମାନଙ୍କୁ ନେତା ପଦରେ ବସାଇଛନ୍ତି ସମସ୍ତେ ଏହାକୁ ଉପଭୋଗ କରୁଛନ୍ତି ବା ନିରବରେ ଗ୍ରହଣ କରି ଏହି ବାର୍ତ୍ତାକୁ ବଳ ଦେଉଛନ୍ତି।

ଏମିତି ସ୍ଥିତିରେ ଓଡିଶାରୁ ରାଜ୍ୟସଭା ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ବୈଷ୍ଣବ ଯଦି ରାଜ୍ୟର ପୋଷ୍ଟର ବଏ କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ସଂପୁର୍ଣ୍ଣ ସାଇଡ୍ କରିପାରୁଛନ୍ତି, ସେତେବେଳେ ‘ଡାଲ୍ ମେଁ କୁଛ କାଲା ହେ’ ବୋଲି ବୁଝିବାକୁ ପଡିବ। ଆମେ ଜାଣିନୁ, ଧର୍ମେନ୍ଦ୍ର ଏହାକୁ କିଭଳି ଗ୍ରହଣ କରିଥିବେ, ହେଲେ ଏହା ନିହାତି ଭାବେ ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ କମୁଥିବା ପ୍ରଭାବକୁ ପ୍ରମାଣିତ କରୁଛି।

Leave A Reply

Your email address will not be published.