ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଅଫିସ କେଳେଙ୍କାରୀ-୨
ଭୁବନେଶ୍ବର: ପ୍ରାରମ୍ଭିକ ଆକଳନ କରି ରାଜ୍ୟ ଭିଜିଲାନ୍ସ ଟିମ୍ ଯେଉଁ ତଥ୍ୟ ପାଇଛନ୍ତି, ତାହା ଦର୍ଶାଉଛି ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍ ବା ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ ନିଜ ରୋଜଗାର ଠାରୁ ପ୍ରାୟ ୨୬୫ ପ୍ରତିଶତ ଅଧିକ ସଂପତ୍ତି ଆହରଣ କରିଛନ୍ତି। ଶ୍ରୀ ସାହୁଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରାଯିବା ପରେ ତାଙ୍କର ଜାମିନ ନାମଞ୍ଜୁର ହୋଇଛି ଓ ସେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଭିଜିଲାନ୍ସ ଅଧିକ ଅନୁଧ୍ୟାନ ପାଇଁ ଶ୍ରୀ ସାହୁଙ୍କୁ ରିମାଣ୍ଡରେ ଆଣିପାରେ।
କିନ୍ତୁ ଯେଉଁ ବଡ଼ ପ୍ରସଙ୍ଗଟି ଏବେ ରାଜ୍ୟ ସାମ୍ନାକୁ ଆସିଛି, ତାହା ହେଉଛି, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ ବା ସଦସ୍ୟ ନିଯୁକ୍ତିର ଆଧାରଟି କଣ? ଏହି ପ୍ରଶ୍ନଟି ଏଇଥିପାଇଁ ଉଠୁଛି, କାରଣ ଯେଉଁ ଚୌକିରେ ଏବେ ନିର୍ମଳ ମିଶ୍ର (ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ) ବସିଛନ୍ତି, ସେହି ଚୌକିରେ ସରକାର ପୂର୍ବରୁ କେଉଁମାନଙ୍କୁ ବସାଇଛନ୍ତି ତାଙ୍କୁ ଭୁଲିଯାଇଛନ୍ତି କି? ନା ସରକାରଙ୍କ ହାତରେ ଏ କ୍ଷେତ୍ରରେ ଅଖଣ୍ଡ କ୍ଷମତା ରହିଛି, ସରକାର ଯାହାକୁ ଚାହିଁବେ ସେଠାରେ ନିଯୁକ୍ତି ଦେଇପାରିବେ?
୧୯୯୪ ମସିହାରେ ଆରମ୍ଭ ହୋଇଥିବା ଷ୍ଟାଫ୍ ସିଲେକ୍ସନ କମିସନ ବାସ୍ତବରେ ବେଶୀ ଶକ୍ତିଶାଳୀ ହୋଇଥିଲା ଯେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାୟିତ୍ବ ନେଲେ। ୨୦୦୧ ମସିହାରେ ରାଜ୍ୟ ସରକାର ବରିଷ୍ଠ ପ୍ରଶାସକ ସୁଧାଂଶୁ ମୋହନ ପଟ୍ଟନାୟକଙ୍କୁ ଏହି ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ ଚୌକିରେ ବସାଇଥିଲେ। ସେ ୨୦୦୨ ଫେବ୍ରୁଆରି ୨୨ ତାରିଖ ଯାଏ ରହିଲେ।
କ’ଣ ହେଲା କେଜାଣି, ପୁଣି ଧାରା ବଦଳିଲା। ସରକାର ୨୦୦୮ରେ ପୁଣି ଟ୍ରାକକୁ ଫେରିଲେ। ପୂର୍ବତନ ପୁଲିସ ମହାନିର୍ଦେଶକ ତଥା ରାଜ୍ୟରେ ଜଣେ ଟାଣୁଆ ପୁଲିସ ଭାବେ ଜଣାଶୁଣା ଗୋପାଳ ଚନ୍ଦ୍ର ନନ୍ଦଙ୍କୁ ଅଧ୍ୟକ୍ଷ ଚୌକିରେ ବସାଗଲା। ସେ ୨୦୦୮ ନଭେମ୍ବର ୧୭ ତାରିଖରୁ ୨୦୧୦ ସେପ୍ଚେମ୍ବର ୨୭ ତାରିଖ ଯାଏ ଏହି ପଦବିରେ ବସିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଅନ୍ୟତମ କ୍ଷମତାଶାଳୀ ଅଫିସର ଭାବେ ଜଣାଶୁଣା ତଥା ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ବି ସେହି ଆସନରେ ବସିଲେ। ସେ ୨୦୧୩ ଜୁଲାଇ ୫ ତାରିଖରୁ ୨୦୧୪ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଅଧ୍ଯକ୍ଷ ଦାୟିତ୍ବ ତୁଲାଇଲେ।
ହେଲେ ଯେଉଁ ଆସନଟି ଜଣେ ଡିଜି ପାହ୍ୟାର ଅଧିକାରୀଙ୍କୁ ଦିଆଗଲା, ପରବର୍ତ୍ତୀ ସମୟରେ ସେଠାରେ ମୁଖ୍ୟଶାସନ ସଚିବ ପାହ୍ୟାର ଅଧିକାରୀ ବସିଲେ, ତା ପରେ କିନ୍ତୁ ସେହି ଆସନଟିର ମର୍ଯ୍ୟାଦା ହଠାତ୍ ଖସିଗଲା। ଏକଦା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଥିବା ଦେବେନ୍ଦ୍ର ପ୍ରସାଦ ଧଳ ଯାଇ ସେହି ଚୌକିରେ ବସିଲେ। ଏବେ ଯିଏ ଅଧ୍ୟକ୍ଷ ଅଛନ୍ତି, ସେ ଅତିିରିକ୍ତ ସଚିବ ପାହ୍ୟାରେ ଅବସର ନେଲେ। କଟକ, ଖୋର୍ଧାର ଜିଲ୍ଲାପାଳ ଥିଲେ। ତାଙ୍କୁ ସରକାର ଏହି ଆସନଟିକୁ ଦେଇଦେଲେ। ୨୦୧୯ ସେପ୍ଟେମ୍ବର ୩୦ ତାରିଖରୁ ସେ ଏହି ପଦବିରେ ଅଛନ୍ତି। ଆଉ ଦୁଇମାସରେ ତାଙ୍କ କାର୍ଯ୍ୟକାଳକୁ ଦୁଇବର୍ଷ ପୂରିବ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଷ୍ଟାଫ୍ ସିଲେକ୍ସନ କମିସନ ଠିକ୍ ଭାବେ କାମ କରୁନି, ଏକଥା ଆଉ କେହି ନୁହେଁ, ଖୋଦ୍ ପୁଲିସ ମହାନିର୍ଦେଶକ ହିଁ ସଙ୍କେତ ଦେଇଛନ୍ତି। ବର୍ଷ ବର୍ଷ ଧରି ପରୀକ୍ଷା ହୋଇନପାରିବା କାରଣରୁ ପୁଲିସ ନିଯୁକ୍ତି ବୋର୍ଡ ବ୍ୟବସ୍ଥାକୁ ପୁଣି ଥରେ ସରକାର ଫେରିଲେ। ସରକାରଙ୍କ ଏହି ନିଷ୍ପତ୍ତି ଜଣାଇ ଦେଲା ଯେ ଷ୍ଟାଫ୍ ସିଲେକ୍ସନ କମିସନ ଠିକ୍ ଭାବେ କାମ କରୁନି। ଏବେ କମିସନଙ୍କ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଯେବେ ଭିଜିଲାନ୍ସ ପଶିଲା, ସେବେ ଆଉ ଦୁଇଟି କଥା ସାମ୍ନାକୁ ଆସିଲାଣି। ପ୍ରଥମତଃ, ସରକାରୀ ବ୍ୟବସ୍ଥାରେ ନିଯୁକ୍ତି ପ୍ରକ୍ରିୟାର ଅସଙ୍ଗତିକୁ ସରକାର ନିଜେ ପ୍ରଶୟ ଦେଇଛନ୍ତି। ଅନ୍ୟଥା ଜଣେ ଡେପୁଟେସନରେ ଆସି ଏତେବର୍ଷ କିଭଳି ରହିବେ? କାହାର ଜଣକର ଏହି ସଂସ୍ଥା ଉପରେ ନଜର ନାହିଁ? କମିସନର ଅଧ୍ୟକ୍ଷ ଶ୍ରୀ ମିଶ୍ର ପାଖାପାଖି ଦୁଇବର୍ଷ ହେଲା ସେଠାରେ ରହିଲେଣି। ନିଜ କ୍ୟାମ୍ପସ ସଂପର୍କରେ ସେ ଏତେ ଅଜ୍ଞ ହେଲେ କେମିତି? ଯଦି ନିଜ କ୍ୟାମ୍ପସକୁ ସେ ସୁରକ୍ଷା ଦେଇପାରୁନାହାନ୍ତି, ତେବେ ରାଜ୍ୟରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଦେଉଥିବା ପରୀକ୍ଷା ବ୍ୟବସ୍ଥାକୁ ସେ କିଭଳି ପରିଚାଳନା କରୁଥିବେ?
ଦ୍ବିତୀୟତଃ ଚଢାଉ ବେଳେ ଭିଜିଲାନ୍ସ କହିଛି ଯେ ଗୋଟିଏ ପିଲାର ଆଡମିଟ୍ କାର୍ଡ ତାଙ୍କୁ ମିଳିଛି। ଅର୍ଥାତ୍ ନିଯୁକ୍ତି କେଳେଙ୍କାରୀ ଚାଲିଥିଲା, ଏହି ସନ୍ଦେହ ଦୃଢୀଭୂତ ହେବା ସ୍ବାଭାବିକ। କେବଳ ସେତିକ ନୁହେଁ, ଏ ସଂପତ୍ତିର ହିସାବ ଦେଖି ଭିଜିଲାନ୍ସ ଟେରା ହୋଇଯାଇଛି। ଯଦି ସଦସ୍ୟଙ୍କ ଅଫିସଟି ଦୁର୍ନୀତିଯୁକ୍ତ, ସେବେ ସଂପୃକ୍ତ ସଦସ୍ୟ କିଭଳି ଏହି ଚୌକିରେ ଆଉ ରହିବେ?କାହିଁକି ପ୍ରଫେସର ଜଗନ୍ନାଥ ଲେଙ୍କା ଏହି ପଦର ଗରିମା ରକ୍ଷା କରି ନିଜ ପଦରୁ ଇସ୍ତଫା ଦେବେନି ବା ରାଜ୍ୟ ସରକାର ଷ୍ଟାଫ୍ ସିଲେକ୍ସନ କମିସନର ମର୍ଯ୍ୟାଦା ରକ୍ଷା କରିବା ଲାଗି ତାଙ୍କୁ ସେଠାରୁ ଅପସାରଣ କରିବେନି?
ଓଡ଼ିଶାର ସବୁ ମେଧାବୀ ଛାତ୍ରଛାତ୍ରୀ ବର୍ଷ ବର୍ଷ ଧରି ପରିଶ୍ରମ କରନ୍ତି, କିଭଳି ପ୍ରବେଶିକା ପରୀକ୍ଷା ହେଉ କିମ୍ବା ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଆଜି ଦିନରେ ମାଳ ମାଳ କୋଚିଂ ସେଣ୍ଟର ଖୋଲିଲାଣି, ଯେଉଁଠାରେ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ମାସ ମାସ ଧରି ପ୍ରଶିକ୍ଷଣ ନିଅନ୍ତି। ଯେବେ ନିଯୁକ୍ତି ପ୍ରକ୍ରିୟା କରୁଥିବା ଅଫିସ ସନ୍ଦେହ ଭିତରକୁ ଚାଲିଆସିବ, ସେବେ ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ମନ କଣ ହେଉଥିବ, ସେମାନେ କିଭଳି ମାନସିକ ସ୍ଥିତିରେ ଥିବେ, ସରକାର ସେକଥା ଅନୁମାନ କରିପାରୁଛନ୍ତି ନା ନାହିଁ?
ସରକାରୀ ଚାକିରି ଅନ୍ବେଷଣରେ ଥିବା ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆ ପ୍ଲାଟ୍ ଫର୍ମରେ ଯେଉଁ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ସଂପର୍କରେ ସରକାର ଅବଗତ ଅଛନ୍ତି ନା ନାହିଁ? ଏହା ସରକାରଙ୍କ ସପକ୍ଷରେ ବାତାବରଣ ସୃଷ୍ଟି କରୁଛି ନା ବିପକ୍ଷରେ? ଭୋଟ ବ୍ୟାଙ୍କକୁ ଏହା ପ୍ରଭାବିତ କରିବ ନ ନାହିଁ? ଗୋଟିଏ ନିଯୁକ୍ତି ଦାତା ସଂସ୍ଥାର ଭାବମୂର୍ତିରେ ଯେବେ ସାମାନ୍ୟ ଆଞ୍ଚ ଆସିବ, ସେବେ ସରକାରଙ୍କ ଭାବମୂୁର୍ତି ବିପଦକୁ ଚାଲିଆସିବନି କି?
ରାଜ୍ୟ ସରକାର ଏସବୁ କେବେ ହେଜିବେ?